jayashree

ଅସହାୟକୁ ସହାୟ ହେଲା ଜନକଲ୍ୟାଣ ଟ୍ରଷ୍ଟ

  • ପରିବାର ଜାତିଭାଇ ନଥିବାରୁ ଟ୍ରଷ୍ଟ କର୍ମକର୍ତ୍ତା କଲେ ଶବ ସଂସ୍କାର

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ସହରର ଶ୍ରୀରାମ ମନ୍ଦିର ନିକଟ ପଡାରେ ରହୁଥିବା ଜଣେ ଅସହାୟ ବୃଦ୍ଧଙ୍କ ଗୁରୁବାର ରାତିରେ ମୃତ୍ୟୁ ହୋଇଥିଲା । ମୃତକ ବୃଦ୍ଧ ଜଣକ ସିହିନି ଗ୍ରାମ ପଂଚାୟତ ସେମେଲପାଲି ଗ୍ରାମର ଭଗବାନ ମଲ୍ଲିକ ବୋଲି ଜଣାପଡିଛି । ତାଙ୍କ ଶବ ସସ୍କାର କରିବା ପାଇଁ କେହି ଜାତି ଭାଇ ନଥିଲେ । ବୃଦ୍ଧଙ୍କ ନିଜ ପରିବାର ବୋଲି କେହି ନାହାନ୍ତି । ବୃଦ୍ଧଙ୍କ ମୃତ୍ୟୁ ଖବର ଜାଣିବା ପରେ ବେଲପଡା ଜନକଲ୍ୟାଣ ଟ୍ରଷ୍ଟ ପହଞ୍ଚିଥିଲା । ତା’ପରେ ବୃଦ୍ଧଙ୍କ ଶବକୁ ସସମ୍ମାନରେ ସ୍ଥାନୀୟ ଲାନ୍ତ ନଦୀରେ ଶବ ସସ୍କାର କରିଥିଲେ । ଜନ କଲ୍ୟାଣ ଟ୍ରଷ୍ଟର ସଭାପତି କାନ୍ତ ରଣା, ସମ୍ପାଦକ କେଦାର ଦଣ୍ଡସେନା, ଅନ୍ୟ ସଭ୍ୟ ସଂଜୀବ କୁମାର ପୃଷ୍ଟି, ସୁରେଶ ବରିହା, ସଂଗ୍ରାମ ଦୀପ, ନରେଶ ସାହୁ, ମୁରଲୀ ମେହେର ଉପସ୍ଥିତ ରହି ସଂସ୍କାର କାର୍ଯ୍ୟ ତୁଳାଇ ଥିଲେ । ବୃଦ୍ଧ ଭଗବାନ ମଲ୍ଲିକ ଦୀର୍ଘ ୮ ବର୍ଷ ହେବ ନିଜ ଘରୁ ଚାଲି ଆସି ରାମ ମନ୍ଦିର ନିକଟ ପଡ଼ାର ଉମାକାନ୍ତ କଟାଙ୍କ ଘରେ ରହୁଥିଲେ । ବୃଦ୍ଧ ଜଣକ ବଞ୍ଚି ଥିବାବେଳେ କୌଣସି ସରକାରୀ ସୁବିଧା ବାର୍ଦ୍ଧକ୍ୟ ଭତ୍ତା କିମ୍ବା ଆବାସ ଯୋଜନା କି ରାସନ୍ କାର୍ଡରେ ଚାଉଳ ପାଉନଥିଲେ । ବୃଦ୍ଧ ଜଣକ ଲୋକଙ୍କୁ ମାଗିଯାଚି ଯିଏ ଦେଲା ଖାଉଥିଲେ । ବିଭିନ୍ନ ସମୟରେ ଉମାକାନ୍ତ କଟା ଖାଇବା ପାଇଁ ଦେଉଥିଲେ । ଏହି ସମସ୍ତ ବିଷୟ ଜାଣିଲା ପରେ ବେଲପଡ଼ାର ଜନକଲ୍ୟାନ ଟ୍ରଷ୍ଟ କର୍ମକର୍ତ୍ତା ବୃଦ୍ଧ ଭଗବାନଙ୍କ ନିକଟରେ ପହଞ୍ଚି ବିଭିନ୍ନ ସମୟରେ ରାସନ୍ ସାମଗ୍ରୀ ସହ ଔଷଧ ଦେଉଥିଲେ । କିନ୍ତୁ ଗତ ୧ ମାସ ହେଲା ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଚଲାବୁଲା କରିପାରୁ ନଥିଲେ ଓ ଗୁରୁବାର ରାତିରେ ତାଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.