- ପୃଥିବୀ ହେଉଛି ସକଳ ସୃଜନତାର ଆଦ୍ୟ ଜନନୀ
- ସାହିତ୍ୟ ସଂଘ ସହ ଜଡ଼ିତ ରହିଲେ ଶବ୍ଦାଭାବ ରୋଗ ରହେନାହିଁ
ରାଉରକେଲା, (ସସ୍ମିତା ପ୍ରଧାନ) : ପୃଥିବୀ ହେଉଛି ସକଳ ସୃଜନତାର ଆଦ୍ୟ ଜନନୀ ତଥା ପୃଥିବୀ ଚିରକାଳ କାବ୍ୟମୟ । ସାହିତ୍ୟ ସଂଘ ସହ ସମ୍ପୃକ୍ତ ରହିଲେ ମାନସିକ ଅବସାଦ ଦୂର ହେବା ସଂଗେସଂଗେ ଶବ୍ଦାଭାବ ରୋଗରୁ ମୁକ୍ତି ମିଳିଥାଏ ବୋଲି ଅତିଥି ମାନେ ପ୍ରଥମ ରାଉରକେଲା ସାହିତ୍ୟ ଉତ୍ସବରେ ମତ ବ୍ୟକ୍ତ କରିଥିଲେ । ଛେଣ୍ଡ ଗୋପବନ୍ଧୁ ପାଠାଗାର ଠାରେ ଲେଖାଲେଖି ପ୍ରକାଶନର ମୁଖ୍ୟ ପ୍ରଦୀପ୍ତ କୁମାର ବେହୁରିଆଙ୍କ ଆବାହକତ୍ଵରେ ଆୟୋଜିତ ପ୍ରଥମ ରାଉରକେଲା ସାହିତ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ପରେଶ କୁମାର ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବେ କବି ରାଜୀବ ପାଣି ଯୋଗଦେଇ ଉପରୋକ୍ତ ମତ ପ୍ରକାଶ କରିଥିଲେ । ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ସାହିତ୍ୟ ଲେଖିବା ପାଇଁ ସମୟସୀମା ନଥାଏ । ଲେଖକଙ୍କୁ ମାନ୍ୟତା ଦିଏ ପାଠକ । ସେହିପରି ପରଷ୍ପରକୁ ଗାଳିଦେଇ ବିଭ୍ରାନ୍ତ କରିବା ସତସଙ୍ଗ ଗୁରୁଙ୍କ କାମ ହୋଇଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ପାଣି ତାଙ୍କ ବକ୍ତବ୍ୟରେ କହିଲେ ଯେ ପୃଥିବୀକୁ ଯେବେଠାରୁ ମଣିଷ ଆସିଲେଣି ସେବେଠାରୁ ସାହିତ୍ୟ ତା ପାଖାପାଖି ଅଛି । ନିଜର ସୃଜନ ବଳରେ ମଣିଷ ପାହାଚ ଚଢି ଚାଲିଛି । ଯେ କୌଣସି ସର୍ଜନକଳା ମୃତ୍ୟୁ ସହ ଜୀବନର, ଶାନ୍ତ ସହ ଅଶାନ୍ତର, ପ୍ରକୃତି ସହ ସମ୍ପର୍କୀତ ହୋଇଥାଏ । ଲେଖକ ତା’ର ଲେଖା ମାଧ୍ୟମରେ ତାର ଚେତନାକୁ ଲେଖେ । ଏହା ସହ ତୈଜସ, ବୈଶ୍ୱାନର ଓ ସୁସୁପ୍ତିର ସ୍ୱର ସମ୍ପର୍କରେ ମାର୍ମିକ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଶଶଧର ପଣ୍ଡା କହିଲେ ଯେ ରାଉରକେଲାର ସାହିତ୍ୟାନୁଷ୍ଠାନ ଓଡିଶାକୁ ତାର ଅନନ୍ୟ ଅବଦାନ ଦେଇଛି । ପ୍ରାରମ୍ଭରେ ଆବାହକ ଶ୍ରୀ ବେହୁରିଆ ଅନୁଷ୍ଠାନର ଆଭିମୁଖ୍ୟ, ଇସ୍ପାତ ନଗରୀ ସହ ତାଙ୍କର ସମ୍ପର୍କ, ରାଉରକେଲା ସାହିତ୍ୟ କିପରି ଭାଷା ସାହିତ୍ୟକୁ ସ୍ୱତନ୍ତ୍ର ଅବଦାନ ସେ ସମ୍ପର୍କରେ ଆଲୋଚନା କରିବା ସହ ମଞ୍ଚ ସଂଯୋଜନା କରିଥିଲେ । ଅନ୍ୟତମ ଅତିଥି ସୁଶାନ୍ତ କୁମାର ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଅନ୍ୟତମ କାର୍ଯ୍ୟକର୍ତ୍ତା ହୃଷିକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଶାରଦୀୟ ବିଶେଷାଙ୍କ ରାଉରକେଲା ସାହିତ୍ୟ ପତ୍ରକୁ ଅତିଥିମାନେ ଉନ୍ମୋଚିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ନିରୁପମା ନାୟକ ସହଯୋଗ କରିଥିଲେ । ସମ୍ବର୍ଦ୍ଧନା ପର୍ବରେ ରାଜୀବ ପାଣି, କୁଞ୍ଜବିହାରୀ ରାଉତ, ଆର୍ତ୍ତତ୍ରାଣ ମହାପାତ୍ର, ସୁଶାନ୍ତ କୁମାର ନାୟକ, ବିଜୟ କୁମାର ସାହୁ, ଶଶଧର ପଣ୍ଡା ଓ ହୃଷିକେଶ ସାହୁ ପ୍ରମୁଖଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ଲେଖାଲେଖି ରାଉରକେଲା ସାହିତ୍ୟ ଉତ୍ସବ ସମ୍ମାନରେ ସମ୍ମାନିତ କରାଯାଇଥିଲା । କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ବିଜୟ କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ସୁସ୍ମିତା ମହାପାତ୍ର ଓ ପ୍ରଣତୀ ବେହେରା ସଂଯୋଜନା କରିଥିଲେ । ଏଥିରେ ଡ. ଅଶ୍ୱିନୀ ରାୟ, କୁଞ୍ଜବିହାରୀ ରାଉତ, ରଶ୍ମି ସାହୁ, ଅଶୋକ ପଟ୍ଟନାୟକ, ସୁଶାନ୍ତ ନାୟକ, ବଳରାମ ରାଉଳ, ଆର୍ତ୍ତତ୍ରାଣ ମହାପାତ୍ର, ନିରୁପମା ନାୟକ, ପ୍ରଶାନ୍ତ କୁମାର ପତି, ତାରିଣୀ ଚରଣ ସାହୁ, ସଞ୍ଜୀବ ଭୋଇ, ସୁଚିତ୍ରା ଲେଙ୍କା, ତ୍ରିନାଥ ସିଂହ, ତ୍ରିଲୋଚନ ସ୍ୱାଇଁ ଓ ସଂଯୋଜକ ଦ୍ୱୟଙ୍କ ସହ ସଭାପତି କବିତା ପାଠ କରିଥିଲେ । ଶେଷରେ ରଶ୍ମି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ସାହିତ୍ୟିକ, କବି, ସଂଗଠକ ଯୋଗ ଦେଇଥିଲେ ।