jayashree

ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ଦ୍ୱାରା ଜାତୀୟ ପ୍ରେସ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ତରଫରୁ ଆଜି ଅମଠି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ସଭାପତି ମୋତିଲାଲ ବାଗଙ୍କ ସଭାପତିତ୍ୱରେ ଜାତୀୟ ପ୍ରେସ ଦିବସ ୨୦୨୪ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମ ମିର୍ଦ୍ଧା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଝାରବନ୍ଧ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମହେନ୍ଦ୍ର ପ୍ରଧାନ, ବୈତାଳି କ୍ଲଷ୍ଟର ସିଆର୍‌ସିସି ଦିବସ କୁମାର ସାହୁ, ସମ୍ୱନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟର ସୁପରଭାଇଜର ଜାହ୍ନବୀ ମେହେର, ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବ୍ୟ କିଶୋର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ତୁମୁରିପାଣି ଠାରେ ବୈତାଳି କ୍ଲଷ୍ଟରର ସମସ୍ତ ଶିଶୁ ସାମ୍ବାଦିକ ମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଖବର ସଂଗ୍ରହ, ଖବର ଲେଖିବା ଶୈଳୀ, ଫଟୋ ଭିଡ଼ିଓ ଉତ୍ତୋଳନ, ସାକ୍ଷାତକାରର ଶୈଳୀ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ତରଫରୁ ଶିଶୁ ସାମ୍ବାଦିକ ମାନଙ୍କୁ ନେଇ ତାଲିମ ପ୍ରଦାନ ଏବଂ ଜାତୀୟ ପ୍ରେସ ଦିବସ ପାଳନ କାର୍ଯ୍ୟକ୍ରମକୁ ଅତିଥି ମାନେ ସମାଜ ପାଇଁ ଏକ ସୁନ୍ଦର ପ୍ରୟାସ ବୋଲି ଅଭିନନ୍ଦନ ଜଣାଇ ଥିଲେ । ଜର୍ଣ୍ଣାଲିଷ୍ଟ ଏସୋସିଏସନର ନିଆରା ପ୍ରୟାସ ବାସ୍ତବରେ ଆଗମୀ ଦିନରେ ଶିକ୍ଷା ବିଭାଗରେ ଏକ ନୂତନ ବାର୍ତ୍ତା ପ୍ରଦାନ କରି ଉତ୍ତମ ଛାତ୍ରଛାତ୍ରୀଙ୍କର ଚରିତ୍ର ଗଠନରେ ସହାୟକ ହେବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିବ ବୋଲି ବିଡ଼ିଓ ଶ୍ରୀ ମିର୍ଦ୍ଧା କହିଥିଲେ । ଏହି ଅବସରରେ ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ଶିଶୁ ସାମ୍ବାଦିକଙ୍କୁ ଆଗକୁ ଆଣି ତାଙ୍କୁ ମଧ୍ୟ ବୈତାଳି କ୍ଲଷ୍ଟରର ଶିଶୁ ସାମ୍ବାଦିକ ଭଳି ଗଢିବା ପାଇଁ ସଭାପତି ମୋତିଲାଲ ବାଗ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ପାଇକମାଲ ବ୍ଲକରେ ଜୀବନ ହାରିଥିବା ନାବାଳିକାର ଆତ୍ମାର ସଦ୍‌ଗତି ନିମନ୍ତେ ସମସ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଜର୍ଣ୍ଣାଲିଷ୍ଟ ଏସୋସିଏସନର ସମ୍ପାଦକ ସୋମନାଥ ବାଗ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ ଭାବେ ରୂପାୟନ କରିବା ପାଇଁ ସଦସ୍ୟ ସୌଦାଗର ବରିହା, ଗୌରୀଶଙ୍କର ପାଞ୍ଚଭାୟା, ବାସନ୍ତୀ ପାଇକ ପ୍ରମୁଖ ସହଯୋଗ କରିଥିଲେ । ଅମଠି ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ଥିଲେ ।

Leave A Reply

Your email address will not be published.