jayashree

ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସର ୱେବସାଇଟ୍ ଉନ୍ମୋଚନ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‌. ଜୟଶଙ୍କର ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

  • ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ
  • ଉଦ୍‌ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ଓ ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ମିଳିତ ଭାବେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ୱେବସାଇଟ୍ (pbdindia.gov.in)କୁ ଉନ୍ମୋଚନ କରିଛନ୍ତି । ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ମଧ୍ୟ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରବାସୀ ଭାରତୀୟ ଦିବସ (ପିବିଡି) ସମ୍ମିଳନୀ ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ । ବିଦେଶରେ ରହୁଥିବା ଭାରତୀୟ ପ୍ରବାସୀଙ୍କ ସହ ଯୋଗାଯୋଗ ଏବଂ ସମ୍ପର୍କ ସ୍ଥାପନ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥାଏ । ଓଡ଼ିଶା ସରକାରଙ୍କ ସହଯୋଗରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆସନ୍ତା ୨୦୨୫ ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ । ୨୦୨୫ ପାଇଁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ବିଷୟବସ୍ତୁ ହେଉଛି ‘‘ଏକ ବିକଶିତ ଭାରତରେ ପ୍ରବାସୀଙ୍କ ଅବଦାନ’’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦ୍‌ଘାଟନ କରିବେ । ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ମିଳିତ ସହଯୋଗରେ ପ୍ରବାସୀ ଭାରତୀୟ ଦିବସର ଏକ ଯୁବ ସଂସ୍କରଣ ଅନୁଷ୍ଠିତ ହେବ । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉଦ୍‌ଯାପନୀ ଅଧିବେଶନରେ ଅଧ୍ୟକ୍ଷତା କରିବା ସହ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିବେ । ୱେବସାଇଟର ଉନ୍ମୋଚନ ସହ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଛି । ଏହି ୱେବସାଇଟ ଓଡ଼ିଶାରେ ରହିବା ପାଇଁ ରିଜର୍ଭେସନ ସୁବିଧା ପ୍ରଦାନ କରିବ ଏବଂ ପ୍ରବାସୀ ଭାରତୀୟ ଦିବସ ୨୦୨୫ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବ । ୱେବସାଇଟକୁ ଉନ୍ମୋଚନ କରିବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ଭାରତ ସରକାର ୩୫ ନିୟୁତରୁ ଅଧିକ ପ୍ରଭାବଶାଳୀ ଭାରତୀୟ ପ୍ରବାସୀଙ୍କ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି । ବିଦେଶ ଗସ୍ତ ସମୟରେ ପ୍ରବାସୀ ଭାରତୀୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ନିୟମିତ ବାର୍ତ୍ତାଳାପ କରିଛନ୍ତି । ଭାରତର ବିକାଶ ଧାରା ପ୍ରତି ପ୍ରବାସୀଙ୍କ ଅତୁଟ ସମର୍ଥନ ଭାରତ ଏବଂ ଏହାର ବିଶ୍ୱ ସମୁଦାୟ ମଧ୍ୟରେ ଥିବା ଦୃଢ଼ ସମ୍ପର୍କର ପ୍ରମାଣ । ଭାରତୀୟ ପ୍ରବାସୀ ମାନେ ଏକ ବିକଶିତ ଭାରତ ଅଭିମୁଖେ ଭାରତର ଅଗ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ଓଡ଼ିଶା ଗସ୍ତରେ ଆସୁଥିବା ପ୍ରବାସୀ ଭାରତୀୟଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି । ପ୍ରବାସୀମାନେ ଓଡ଼ିଶାର ସମୃଦ୍ଧ ଐତିହାସିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିପାରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.