ମାଓକ୍ୟାମ୍ପ ଠାବ : ବିସ୍ପୋରକ ସାମଗ୍ରୀ ଜବତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଓ ପାଟଧରା ସଂରକ୍ଷିତ ଜଙ୍ଗଲରେ ଏସ୍‌ଓଜି ଯବାନଙ୍କ ଦ୍ୱାରା ସର୍ଚ୍ଚ ଅପ୍‌ରେସନ୍‌ ଚାଲିଥିବା ବେଳେ ପାଟଧରା ସଂରକ୍ଷିତ ଜଙ୍ଗଲରୁ ଭଇଁଷମୁଣ୍ଡି ଏବଂ ବାହାଦୁରପାଣି ଗାଁ ନିକଟରୁ ଏକ ମାଓକ୍ୟାମ୍ପ ଠାବ ହୋଇଥିବା ବେଳେ ମାଓକ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ ହୋଇଥିବା ନୂଆପଡା ଜିଲ୍ଲା ଆରକ୍ଷୀ ସୂଚନା ଦେଇଛନ୍ତି । ଏସ୍‌ପିଙ୍କ ମିଳିଥିବା ସୂଚନା ଅନୁସାରେ ପାଟଧରା ସଂରକ୍ଷିତ ଜଙ୍ଗଲର ବାହାଦୁରପାଣି ଗାଁ ଏବଂ ଭଇଁଷମୁଣ୍ଡି ଗାଁ ନିକଟସ୍ଥ ଜଙ୍ଗଲ ନିକଟରେ ମାଓବାଦୀ ସଂଗଠନ ଏକ କ୍ୟାମ୍ପ କରି ରହିଥିବା ବିଶେଷସୂତ୍ରରୁ ଖବର ପାଇ ନୂଆପଡା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଓଜି ଯବାନଙ୍କ କୁମ୍ବିଂଙ୍ଗ ଅପ୍‌ରେସନ୍‌ ସମୟରେ ମାଓ ଏବଂ ଯବାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ବେଳେ ମାଓବାଦୀ ମାନେ କ୍ୟାମ୍ପ ଛାଡି ଛତ୍ରଭଙ୍ଗ ଦେଇଥିଲେ । ପରେ କ୍ୟାମ୍ପରେ ଯବାନଙ୍କ ସର୍ଚ୍ଚ ଅପ୍‌ରେସନ୍‌ରେ କ୍ୟାମ୍ପରୁ ୫୦୦ଟି ଇଲେକଟ୍ରିକ ଡିଟୋନେଟର ସହ ସୁରକ୍ଷା ଫିୟୁଜ ରିଲ, ୫ଟି ଆଇଇଡ଼ି ସୁଇଚ, ୨ଟି ଏସ୍‌ବିଜିଏଲ୍‌, ଗୋଟିଏ ଜେଲାଟିନ୍ ବାଡି ସହ ବିପୁଳ ପରିମାଣରେ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି । ମାଓକ୍ୟାମ୍ପ ଠାବ ହେବା ପରେ ଅନ୍ୟପଟେ କୁମ୍ବିଂଙ୍ଗ ଅପ୍‌ରେସନ୍‌କୁ ଜୋରଦାର କରାଯାଇ ପୋଲିସ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରିଥିବା ନୂଆପଡା ଏସ୍‌ପି ଜି.ଆର୍‌. ରାଘବେନ୍ଦ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.