ପରିବେଶ ସୁରକ୍ଷାକୁ ନେଇ ସ୍କୁଲ ଛାତ୍ରଛାତ୍ରୀଙ୍କ ସଚେତନତା ରାଲି

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ସହର ସାଇପ୍ରିୟା ନଗର ସ୍ଥିତ ଏନ୍‌ଭିଆର୍‌ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଶ ସୁରକ୍ଷାକୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ରାୟଗଡା ସହର ଉତ୍ତପ୍ତ ହେଉଥିବା ବେଳେ ଅଧିକରୁ ଅଧିକ ଗଛ ଲଗାଇବାର ଆବଶ୍ୟକତା ରହିଛି । ବର୍ତ୍ତମାନ ଅବାଧ୍ୟରେ ବୃକ୍ଷ କାଟୁଥିବା ଓ ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁଁ ପରିବେଶ ନଷ୍ଟ ହେଉଛି । ଯାହାଫଳରେ ପରିବେଶ ବହୁତ ମାତ୍ରାରେ ପ୍ରଭାବିତ ହେଉଛି । ଜୀବନ ବଞ୍ଚିବା ପାଇଁ ହେଲେ ଅମ୍ଳଜାନର ନିହାତି ଆବଶ୍ୟକ ରହିଛି । ଯେତେ ପରିମାଣରେ ବୃକ୍ଷ ରହିବ ଜୀବଜଗତ ବଞ୍ଚି ରହିବା ସହିତ ପରିବେଶ ବି ସନ୍ତୁଳିତ ରହିବ । ପ୍ରତ୍ୟେକ ଲୋକ ନିଜ ନିଜର ଖାଲି ସ୍ଥାନ ମାନଙ୍କରେ ବୃକ୍ଷ ରୋପଣ କରନ୍ତୁ । ଛାଇ ଓ ଫଳ ପାଇବା ସହିତ ପରିବେଶର ସୁରକ୍ଷା ସହିତ ନିଜେ ଏବଂ ନିଜର ପରିବାର ସୁରକ୍ଷିତ ରହିପାରିବ । ଏହାକୁ ଦୃଷ୍ଟିରେ ରଖି ସାଇପ୍ରିୟା ନଗର ସହ ସାରା ସହରରେ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ନେଇ ଏକ ସଚେତନତା ବାର୍ତ୍ତା ଦେଇଛନ୍ତି ଏନ୍‌ଭିଆର୍‌ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ । ଉକ୍ତ ଛାତ୍ରଛାତ୍ରୀ ମାନେ ହାତରେ ପରିବେଶ ସଚେତନତା ବାର୍ତ୍ତା ଲେଖାଥିବା ପ୍ଲା-କାର୍ଡ ଧରି ସ୍ଥାନୀୟ ସାଇପ୍ରିୟା ନଗରର ପ୍ରତ୍ୟେକ ଗଳିରେ ପରିକ୍ରମା କରିବା ସହ ପରିବେଶ ସୁରକ୍ଷା ନାରା ଦେଇ ଜନ ସଚେତନତା କରିଥିଲେ । ପରିବେଶବିତ ତଥା ବରିଷ୍ଠ ସାମ୍ବାଦିକ ଏବଂ ସାଇପ୍ରିୟା ନଗର ବାସିନ୍ଦା ଦୟାନନ୍ଦ ଖାଡ଼ଙ୍ଗାଙ୍କ ନିଜସ୍ୱ ଉଦ୍ୟମରେ ଉକ୍ତ କାର୍ଯ୍ୟକ୍ରମ କରିଥିବା ବେଳେ ଏଥିରେ ସାଇପ୍ରିୟା ନଗର ବାସିନ୍ଦା ନାକା ପ୍ରଣଭ, ଭି. କାନାକା ଦୁର୍ଗା, କେ. କ୍ରିଷ୍ଣା ମୂର୍ତ୍ତି, ବି. ନାଗାରାଜୁ, ମହାଶ୍ୱେତା ପାଣିଗ୍ରାହୀ, ଟି. ଇଶ୍ୱର କୁମାର, ଜି. ଜଗଦୀଶ, କେ. ଅଶୋକ କୁମାର ପ୍ରମୁଖ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ପରିବେଶ ସୁରକ୍ଷା ଦିଗରେ ବ୍ୟାପକ ସଚେତନ କରିଥିଲେ ଏବଂ ନିଜେ ବି ପରିବେଶର ସୁରକ୍ଷା ନେଇ ଜାଗୃତ ରହିବା ସହିତ ବୃକ୍ଷଚାରା ରୋପଣ କରିବା ନେଇ ଶପଥ ନେଇଥିଲେ ।

Leave A Reply

Your email address will not be published.