ମୁରିବାହାଲର ବହୁ ସାମୂହିକ ସମସ୍ୟା ନେଇ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ବ୍ଲକ ଅଞ୍ଚଳର ବିଭିନ୍ନ ସାମୂହିକ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ଜନ ଶୁଣାଣିରେ ଅଭିଯୋଗ କରାଯାଇଛି । ଆସୋସିଏସନର ଅଭିଯୋଗ ମୁତାବକ ବ୍ଲକ ଅଞ୍ଚଳର ଲକ୍ଷାଧିକ ଲୋକ ନିର୍ଭର କରୁଥିବା ମୁରିବାହାଲ ସିଏଚ୍‌ସିରେ ଖାଲି ପଡ଼ିଥିବା ଓ ଅତି ଜରୁରୀ ଜଣେ ସ୍ତ୍ରୀ ରୋଗ, ଶିଶୁ ରୋଗ ଓ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ, ବ୍ଲକ ମୁଖ୍ୟାଳୟରେ ପ୍ରସ୍ତାବିତ ଆଧୁନିକ ବସଷ୍ଟାଣ୍ଡ ନିର୍ମାଣ ସମ୍ପୂର୍ଣ୍ଣ ସହ କେବଳ ବ୍ଲକ ଭିତରେ କ୍ଷତିରେ ଚଳାଚଳ କରୁଥିବା ଲକ୍ଷ୍ମୀ ବସକୁ ବନ୍ଦ କରି ଏହାକୁ ଦିନବେଳା ପଞ୍ଚାୟତ, ବ୍ଲକ ମୁଖ୍ୟାଳୟରୁ କଣ୍ଟାବାଞ୍ଜି, ଟିଟିଲାଗଡ ସହର ଓ ବଲାଙ୍ଗିର ଭଳି ଜିଲ୍ଲା ମୁଖ୍ୟାଳୟକୁ ବସ୍ ଚଳାଚଳ, ଗରଗଡ଼ବାହାଲ୍ ପଞ୍ଚାୟତ ମୁଖ୍ୟାଳୟକୁ ସବୁଦିନିଆ ପକ୍କାରାସ୍ତା ନିର୍ମାଣ ସହ ବ୍ଲକର ଅନ୍ୟ ରାସ୍ତା ନ ଥିବା ଗ୍ରାମଗୁଡିକୁ ଅତିଶୀଘ୍ର ସବୁଦିନିଆ ରାସ୍ତା ନିର୍ମାଣ, ବ୍ଲକ ଅଞ୍ଚଳର ବହୁ ଅଙ୍ଗନୱାଡ଼ି କେନ୍ଦ୍ର ଅସମ୍ପୂର୍ଣ୍ଣ, କେତେକ ଅଙ୍ଗନବାଡ଼ି କେନ୍ଦ୍ରରେ ଆଦୌ ଘର ନ ଥିବାରୁ ବାହାରେ କୁନି କୁନି ଶିଶୁମାନେ ପଢାପଢି କରୁଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଏହି କେନ୍ଦ୍ରଗୁଡିକ ନିର୍ମାଣ କରିବା, ମୁରିବାହାଲ ରେଳଷ୍ଟେସନ, ବଜାର ପଡ଼ାରୁ ବ୍ଲକ କାର୍ଯ୍ୟାଳୟକୁ ଯିବା ପାଇଁ ସବୁଦିନିଆ ରାସ୍ତା ସମସ୍ୟା ଲାଗି ରହିଥିବାରୁ ଭୂତଳ ରେଳ ପୋଲରୁ ବାମ ପାର୍ଶ୍ୱରେ ରେଳ ଫାଟକ ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ନିର୍ମାଣ, ଅତ୍ୟନ୍ତ ଜରାଜୀର୍ଣ୍ଣ, ଦୟନୀୟ ଅବସ୍ଥାରେ ଥିବା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୋଠା ନିର୍ମାଣ, ବ୍ଲକ କାର୍ଯ୍ୟାଳୟରେ ମତ୍ସ୍ୟ ବିଭାଗର କୌଣସି ଅଫିସ ନ ଥିବାରୁ ମତ୍ସ୍ୟ ବିଭାଗ ଅଧିକାରୀ ବୁଲି ବୁଲି ଅଫିସ କରୁଥିବାରୁ ତାଙ୍କୁ ସ୍ଥାୟୀ ଅଫିସ ଗୃହ ଯୋଗାଇଦେବା, ଜବରଦଖଲରେ ଥିବା ସରକାରୀ ଓ ଜଙ୍ଗଲ ଜମି ଚିହ୍ନଟ କରି ସରକାରୀ କାର୍ଯ୍ୟ ପାଇଁ ବ୍ୟବହାର ଓ ବ୍ଲକରେ ଅତି ନଗଣ୍ୟ ଥିବା ତଥା ଅଞ୍ଚଳର ଶତକଡା ନବେ ପ୍ରତିଶତ ଚାଷୀମାନେ ନିର୍ଭର କରୁଥିବା ଚାଷ ପାଇଁ ସବୁଦିନିଆ ଜଳସେଚନ ଯୋଗାଇ ଦେବାକୁ ଆସୋସିଏସନ୍ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ଜିଲ୍ଲାପାଳ ଉପସ୍ଥିତ ବିଡିଓଙ୍କ ସହ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଡାକି ଆସୋସିଏସନର ଅଭିଯୋଗ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଆସୋସିଏସନ ସଭାପତି ଦୁର୍ଗାନନ୍ଦ ମହାକୁରଙ୍କ ନେତୃତ୍ୱରେ ଉପଦେଷ୍ଟା ଭଗବାନ ମହାନ୍ତି, ବନବିହାରୀ ଯୋଶୀ, କାର୍ଯ୍ୟକାରୀ ସଭାପତି ଖଗେଶ୍ୱର ସାହୁ, ଉପସଭାପତି ଗିରିଧାରୀ ସାହୁ ପ୍ରେମାନନ୍ଦ ତାଣ୍ଡି, ସାଧାରଣ ସମ୍ପାଦକ ଜୟନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ନବୀନ କୁମାର ତାଣ୍ଡି ସହସମ୍ପାଦକ ମୋତିଲାଲ ତାଣ୍ଡି, ସୁଧୀର ତାଣ୍ଡି, ପାର୍ଥରାଜ ଲୁହା, ହୃଦାନନ୍ଦ ବାଗ, ଚୁଡ଼ାମଣି ମହାକୁର, ସୁବାସ ଚନ୍ଦ୍ର ମାଝୀ, ମଦନ ମୋହନ ସାହୁ, ସୁମନ୍ତ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.