ଖେଲୋ ଇଣ୍ଡିଆ ଯୋଜନାର ଚତୁର୍ଥ ସାଧାରଣ ପରିଷଦ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ଡ. ମନସୁଖ ମାଣ୍ଡଭୀୟ

  • ଜନସାଧାରଣଙ୍କ ପରାମର୍ଶ ପାଇଁ କ୍ରୀଡ଼ା ନୀତିର ଡ୍ରାଫ୍ଟ ପ୍ରକାଶିତ
  • କ୍ରୀଡ଼ାବିତ୍ କଲ୍ୟାଣ, ପ୍ରତିଭା ଚିହ୍ନଟ ଓ କ୍ରୀଡ଼ା ପରିବେଶକୁ ସୁଦୃଢ଼ କରିବା ପାଇଁ ସବ୍ କମିଟିର ପୁନର୍ଗଠନ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ବିଭିନ୍ନ ସଂସ୍ଥାରେ ସମନ୍ୱିତ ପ୍ରତିଭା ଚିହ୍ନଟ ପ୍ରୟାସ ପାଇଁ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି
  • ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ର ମନ୍ତ୍ରଣାଳୟ ଗୁଡିକର ସହଯୋଗରେ କ୍ରୀଡ଼ା ନିଯୁକ୍ତି ପାଇଁ ଉତ୍ସର୍ଗୀକୃତ ପୋର୍ଟାଲ ବିକଶିତ କରିବ
  • ଦେଶରେ ଥିବା ସମସ୍ତ କ୍ରୀଡ଼ା ଭିତ୍ତିଭୂମିକୁ ଜାଣିବା ଏବଂ ଏକତ୍ରିତ କରିବା ପାଇଁ ୟୁନିଫାଇଡ୍ ନ୍ୟାସନାଲ ଡାଟାବେସ୍

ନୂଆଦିଲ୍ଲୀ, (ପିଆଇବି) : ଖେଲୋ ଇଣ୍ଡିଆ ଯୋଜନାର ସାଧାରଣ ପରିଷଦ (ଜିସି)ର ଚତୁର୍ଥ ବୈଠକ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ଏବଂ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ବରିଷ୍ଠ ଅଧିକାରୀ, ପ୍ରମୁଖ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ, ଜାତୀୟ କ୍ରୀଡ଼ା ମହାସଂଘ ଏବଂ କେନ୍ଦ୍ର ମନ୍ତ୍ରଣାଳୟର ପ୍ରମୁଖ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଜନସାଧାରଣଙ୍କ ପରାମର୍ଶ ପାଇଁ ମନ୍ତ୍ରଣାଳୟର ୱେବ୍‌ସାଇଟ୍‌ରେ ଏକ ଡ୍ରାଫ୍ଟ କ୍ରୀଡ଼ା ନୀତି ଜାରି କରାଯାଇଛି । ଦେଶର ବିକଶିତ କ୍ରୀଡ଼ା ପରିପ୍ରେକ୍ଷୀରେ ସାମ୍ପ୍ରତିକ ଢାଞ୍ଚାକୁ ଆଧୁନିକୀକରଣ ଏବଂ ଅଧୁନାତନ କରିବା ଏହି ନୀତିର ଲକ୍ଷ୍ୟ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମେତ ହିତାଧିକାରୀ ତଥା ସାଧାରଣ ଜନତାଙ୍କୁ ସେମାନଙ୍କ ମତାମତ ଦାଖଲ ପାଇଁ ନିମନ୍ତ୍ରଣ କରାଯାଇଛି । ଚୂଡ଼ାନ୍ତ ହେବା ପରେ ଏହି ନୀତି ସେହି ରାଜ୍ୟଗୁଡ଼ିକ ପାଇଁ ଏକ ମଡେଲ୍ ଭାବେ କାମ କରିବ ଯେଉଁମାନେ ଏପର୍ଯ୍ୟନ୍ତ ନିଜର କ୍ରୀଡ଼ା ନୀତି ସ୍ଥିର କରିନାହାନ୍ତି ।
ଏହି ବୈଠକରେ ଡ. ମାଣ୍ଡଭୀୟ ଖେଲୋ ଇଣ୍ଡିଆ ଯୋଜନାର ଅଗ୍ରଗତିର ସମୀକ୍ଷା କରିବା ସହ କ୍ରୀଡ଼ା ଭିତ୍ତିଭୂମିରେ ଉନ୍ନତି ଆଣିବା ଏବଂ କ୍ରୀଡାବିତମାନଙ୍କ ପ୍ରଦର୍ଶନ ବୃଦ୍ଧି ପାଇଁ ସୁବିଧା ସୁଯୋଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା, ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ଏବଂ ଜାତୀୟ କ୍ରୀଡ଼ା ମହାସଂଘ ଅଧୀନରେ ପ୍ରତିଭା ଚିହ୍ନଟ ଓ ପୋଷଣ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ନିମ୍ନଲିଖିତ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇ ଉପକମିଟିର ପୁନର୍ଗଠନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି :
୧. କ୍ରୀଡ଼ାବିତ୍ ମାନଙ୍କ ପାଇଁ ଉନ୍ନତ କ୍ୟାରିୟର ପ୍ରଗତି ସୁନିଶ୍ଚିତ କରିବା ନିମନ୍ତେ ମନ୍ତ୍ରଣାଳୟ ଏବଂ ବିଭାଗ ଗୁଡିକରେ ନିଯୁକ୍ତି ନୀତି ଏବଂ ପ୍ରକ୍ରିୟାରେ ଉନ୍ନତି ଆଣିବା ।
୨. କ୍ରୀଡାବିତ୍ ମାନଙ୍କ ପାଇଁ କଲ୍ୟାଣ ଏବଂ ସହାୟତା ବ୍ୟବସ୍ଥା ବୃଦ୍ଧି କରିବା ।
୩. ତୃଣମୂଳ ସ୍ତରରେ ପ୍ରତିଭା ଚିହ୍ନଟ ପାଇଁ ପ୍ରଭାବଶାଳୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କେନ୍ଦ୍ରମନ୍ତ୍ରୀ ଏକ ଉତ୍ସର୍ଗୀକୃତ ପୋର୍ଟାଲ, ଯେଉଁଥିରେ କେନ୍ଦ୍ର ମନ୍ତ୍ରଣାଳୟ ଗୁଡିକରେ କ୍ରୀଡ଼ା ନିଯୁକ୍ତି ସମ୍ପର୍କରେ ସୂଚନା ରହିବ, ତାହା ପ୍ରସ୍ତୁତ କରିବାକୁ ଘୋଷଣା କରିଛନ୍ତି । କ୍ରୀଡ଼ା କୋଟା ଖାଲି ଥିବା ପଦବୀର ବିଜ୍ଞାପନ, ନିଯୁକ୍ତିରେ ଉପଲବ୍ଧତା ଏବଂ ସ୍ୱଚ୍ଛତାରେ ଉନ୍ନତି ଆଣିବା ପାଇଁ ରାଜ୍ୟମାନଙ୍କୁ ମଧ୍ୟ ଏହି ପ୍ଲାଟଫର୍ମ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯିବ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଅଧୀନରେ ସମନ୍ୱିତ କ୍ରୀଡ଼ା ଭିତ୍ତିଭୂମି ଡାଟାବେସ୍‌ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ମଧ୍ୟ କରାଯାଇଥିଲା । ଦେଶର ସମସ୍ତ କ୍ରୀଡ଼ା ଭିତ୍ତିଭୂମିର ବ୍ୟାପକ ତାଲିକା ପ୍ରସ୍ତୁତ କରିବା ପାଇଁ ରାଜ୍ୟ, କ୍ରୀଡ଼ା ମହାସଂଘ ଏବଂ ଅନ୍ୟାନ୍ୟ ସଂସ୍ଥାର ତଥ୍ୟ ସଂଗ୍ରହ କରିବାକୁ ଡ. ମାଣ୍ଡଭୀୟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.