ଭାରତୀୟ ମଜଦୁର ସଂଘର ବୈଠକ

  • ପାଚିକାମାନଙ୍କ ଜୀବନ ଜୀବିକା ସଦୃଢ଼, ସ୍ୱଚ୍ଛଳ ଓ ସଂଗଠିତ କରିବାକୁ ବିଏମ୍‌ଏସ୍‌ର ଆହ୍ଵାନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଠାରେ ସୁଭଦ୍ରା ଉଦ୍ଧବ ମଙ୍ଗଳ ଭବନ ପରିସରରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ମୁନିଗୁଡ଼ା, ଚନ୍ଦ୍ରପୁର ଓ ବିଷମ କଟକ ବ୍ଲକର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁନିଗୁଡ଼ା, ଚନ୍ଦ୍ରପୁର ଓ ବିଷମକଟକ ବ୍ଲକର ପ୍ରତିନିଧିମାନଙ୍କ ସହ ପ୍ରାୟ ୩୫୦ରୁ ଅଧିକ ଭାରତୀୟ ମଜଦୁର ସଂଘ, ପାଚିକା ଏବଂ ସ୍ୱାବଲମ୍ବୀ କାରିଗର ସଂଘ କାର୍ଯ୍ୟକର୍ତ୍ତା ସେମାନଙ୍କ ଜୀବନ ଜୀବିକାର ସୁଦୃଦ୍ଧତା, ସ୍ଵଚ୍ଛଳତା, ସ୍ଥାୟିତତାକୁ ନେଇ ଭାରତୀୟ ମଜଦୁର ସଂଘ ବ୍ୟାନରରେ ଏକାଠି ହୋଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିଥିବା ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘର ସମ୍ପାଦକ ଗଣେଶ କୁମାର ସାହୁଙ୍କ ସଭାପତିତ୍ୱ ଓ ଜିଲ୍ଲା ଉପସଭାପତି ଦୁର୍ଗାମାଧବ ଘୋଷଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ, ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବରିଷ୍ଠ ସାମ୍ବାଦିକ ଏବଂ ସ୍ତମ୍ଭକାର ମନୋରଞ୍ଜନ ଦଳାଇ, ସମ୍ମାନିତ ଅତିଥି ସ୍ୱାବଲମ୍ବୀ କାରିଗର ସଂଘର ଜିଲ୍ଲା ସମ୍ପାଦକ ଶୀମାଞ୍ଚଳ ମିଶ୍ର, ମୁନିଗୁଡ଼ା ପ୍ରଗତି ମଞ୍ଚ ସଭାପତି ସିଏଚ ଗଣେଶ୍ୱର ରାଓ, ମୁନିଗୁଡ଼ା ବ୍ଲକ ବିଏମ୍ଏସ୍‌ ସଭାପତି କ୍ଷମାସାଗର ଦାଶ, ପାଚିକା ସଂଘ ଜିଲ୍ଲା ସଂଯୋଜିକା ରୁକ୍ମଣୀ ପାତ୍ର, ସୁଭଦ୍ରା ଦାସ ଓ ରାମ ଗୁଡମ୍ବକା ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ପ୍ରେରଣାଦାୟୀ ଭାରତ ମାତା ଓ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ଠେଙ୍ଗେଡେଜୀଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ ବିଶ୍ୱର ସର୍ବ ବୃହତ୍ ମଜଦୂର ସଂଘ ଭାରତୀୟ ମଜଦୁର ସଂଘର ରାଷ୍ଟ୍ରବାଦ ବିଚାରଧାରା ରାଷ୍ଟ୍ରହିତ, ଉଦ୍ୟୋଗହିତ ଓ ଶ୍ରମିକହିତର ସୁନ୍ଦର ସରଳ ବ୍ୟାଖା କରି ସ୍ୱାବଲମ୍ବୀ କାରିଗର ଏବଂ ପାଚିକା ମାଆ ଭଉଣୀମାନଙ୍କୁ ବୁଝାଇଥିଲେ । ସ୍ୱାବଲମ୍ବୀ କାରିଗର ଏବଂ ପାଚିକାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ କିପରି ସଂଗଠନ ଶକ୍ତି ମାଧ୍ୟମରେ ସମାଧାନ ହୋଇପାରିବ ତା’ ଉପରେ ଅଭିଭାଷଣ ରଖିଥିଲେ ।

Leave A Reply

Your email address will not be published.