ଡିପିଆଇଆଇଟି ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୪ ପାଳିତ

  • ୫୧୯ଟି ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟକୁ ରୂପାନ୍ତରିତ କରିବା ସହ ୨୩୬ଟି ଜନଭାଗିଦାରୀ କାର୍ଯ୍ୟକ୍ରମର ଆୟୋଜନ

ନୂଆଦିଲ୍ଲୀ, (ପିଆଇବି) : ସ୍ୱଚ୍ଛ ଭାରତ ମିଶନର ୧୦ମ ବାର୍ଷିକୀ ପାଳନ ଅବସରରେ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ସ୍ୱଚ୍ଛତା ହିଁ ସେବା (ଏସ୍‌ଏଚ୍‌ଏସ୍‌) ଅଭିଯାନ ୨୦୨୪କୁ ସଫଳତାର ସହ ପାଳନ କରିଛି । ୧୭ ସେପ୍ଟେମ୍ବର ୨୦୨୪ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମଗ୍ର ଭାରତରେ ୫୧୯ଟି ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟ୍ (ସିଟିୟୁ) ଗ୍ରହଣ ଏବଂ ପରିବର୍ତନ ସହିତ ୨୩୬ଟି ଜନଭାଗିଦାରୀ କାର୍ଯ୍ୟକ୍ରମ (ସ୍ୱଚ୍ଛତା ମେ ଜନ ଭାଗିଦାରୀ) ଏବଂ ସଫେଇ କର୍ମଚାରୀଙ୍କ ଜୀବନ ଧାରଣରେ ଉନ୍ନତି ପାଇଁ ୩୭ଟି ସଫେଇ ମିତ୍ର ସୁରକ୍ଷା ଶିବିର ଆୟୋଜନ କରାଯାଇଛି । ‘ସ୍ୱଭାବ ସ୍ୱଚ୍ଛତା- ସଂସ୍କାର ସ୍ୱଚ୍ଛତା’ ଶୀର୍ଷକ ଉପରେ ଆଧାରିତ ଏହି ଏସ୍ଏଚ୍ଏସ୍ ଅଭିଯାନରେ ତିନୋଟି ପ୍ରମୁଖ ସ୍ତମ୍ଭ ଉପରେ ଗୁରୁତ୍ୱ ଦିଆଯାଇଥିଲା : ଅବହେଳିତ ଅଞ୍ଚଳକୁ ଉଲ୍ଲେଖନୀୟ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସହିତ ପରିବର୍ତ୍ତନ କରିବା, ସ୍ୱଚ୍ଛତା କାର୍ଯ୍ୟକଳାପରେ ଜନସାଧାରଣଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଏବଂ ସଫେଇ କର୍ମଚାରୀଙ୍କ କଲ୍ୟାଣରେ ଉନ୍ନତି ଆଣିବା । ଡିପିଆଇଆଇଟିର ସମ୍ପାଦକ ଅମରଦୀପ ସିଂ ଭାଟିଆଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସଚିବଙ୍କ ଦ୍ୱାରା ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିବା ସ୍ୱଚ୍ଛତା ଦୌଡ଼ ଏବଂ ଡିପିଆଇଆଇଟିର ଉଦ୍ୟୋଗ ଭବନରେ ଏକ ରିକ୍ରିଏସନ୍ କ୍ଲବ୍ ଉଦ୍‌ଘାଟନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ଏହି ଅଭିଯାନରେ ଜନସାଧାରଣଙ୍କ ସଂପୃକ୍ତି ବଢ଼ାଇବା ପାଇଁ ‘ଏକ ପେଡ୍ ମା’ ନାମ ବୃକ୍ଷରୋପଣ ଅଭିଯାନ, ସ୍ୱଚ୍ଛତା ଦୌଡ଼, ଶ୍ରମଦାନ ଏବଂ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଭଳି ଅତିରିକ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ଅଭିଯାନର ସଫଳତାରେ ଡିପିଆଇଆଇଟିର କ୍ଷେତ୍ରୀୟ ଦପ୍ତରଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏବଂ ଦେଶର ୫୫ଟି ସ୍ଥାନରେ କାର୍ଯ୍ୟକଳାପ ଯାଞ୍ଚ କରିବା ପାଇଁ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଥିଲା । ସ୍ୱଚ୍ଛ ଭାରତ ଦିବସରେ ଅଂଶଗ୍ରହଣକୁ ରାଜ୍ୟସ୍ତରରେ ପ୍ରୋତ୍ସାହିତ କରାଯାଇଥିଲା, ଯାହା ସ୍ୱଚ୍ଛତା ଏବଂ ଦାୟିତ୍ୱବୋଧର ବାର୍ତ୍ତାକୁ ଦେଶବ୍ୟାପୀ ପ୍ରସାରିତ କରିବାରେ ସହାୟକ ହୋଇଥିଲା । ବ୍ୟାପକ ଜନସଚେତନତା ଏବଂ ସଂପୃକ୍ତି ସୁନିଶ୍ଚିତ କରିବା ପାଇଁ ସ୍ୱଚ୍ଛତା ଲାଗି ବୃହତ ଜନ ଆନ୍ଦୋଳନର ଏକ ଅଂଶ ଭାବରେ ସ୍ଥାନୀୟ ଖବରକାଗଜ ସମେତ ଗଣମାଧ୍ୟମରେ ଏହି ଅଭିଯାନର କାର୍ଯ୍ୟକଳାପ ବ୍ୟାପକ ଭାବରେ ପ୍ରଦର୍ଶିତ ହୋଇଥିଲା ।

Leave A Reply

Your email address will not be published.