ରୋଗୀଣା ଓଟକୁ ଛାଡ଼ି ଦେଇ ଫେରାର୍‌ ହୋଇଗଲା ମାଲିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ଷ ବର୍ଷ ଧରି ଓଟକୁ ଲୋକଙ୍କୁ ଦେଖାଇ ଅର୍ଥ ଉପାର୍ଜନ କଲା, ପେଟ ପୋଷିଲା । ଯେତେବେଳେ ଓଟ ରୋଗୀଣା ହୋଇଗଲା, ସେତେବେଳେ ମୁମୁର୍ଷୁ ଓଟକୁ ରାସ୍ତା କଡ଼ରେ ଛାଡ଼ି ମାଲିକ ଫେରାର୍‌ ହୋଇଗଲା । ଶେଷରେ ଚିକିତ୍ସା ନପାଇ ଓଟ ଜୀବନ ହାରିଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସହରର କରଙ୍ଗାକଟା ବନ୍ଧଆଡ଼ିରେ । ସୂଚନା ଅନୁସାରେ ଗତ କିଛି ଦିନ ତଳେ ସହରର କେତେକ ପୂଜା କମିଟି ଭସାଣୀ ପାଇଁ ଓଟ ଅଣାଇଥିଲେ । କିନ୍ତୁ ଭସାଣୀ ଯାତ୍ରା ସରିବା ପରେ ମଧ୍ୟ ଓଟର ମାଲିକ ବଲାଙ୍ଗିରରେ ରହି ମାଗିଯାଚି ଖାଉଥିଲେ । ଗତକାଲି ରବିବାର ବଜାରରେ ଓଟ ନେଇ ବୁଲୁଥିଲେ ଓଟ ମାଲିକ । ଏତିକି ବେଳେ ହଠାତ୍‌ ଓଟ ଅସୁସ୍ଥ ହୋଇପଡ଼ିଥିଲା ଓ ତାର ନାକ ଓ ପିଠିରୁ ରକ୍ତ କ୍ଷରଣ ହୋଇଥିଲା । ଓଟ ଆଉ ଚାଲି ପାରିନଥିଲା । ଯେମିତି ସେମିତି ପ୍ରକାରେ ଓଟକୁ କରଙ୍ଗାକଟା ବନ୍ଧ ଆଡ଼ିକୁ ଆଣି ଛାଡ଼ି ଦେଇ ଫେରାର୍‌ ହୋଇଯାଇଥିଲେ ଓଟ ମାଲିକ । ଅସହାୟ ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲା ଓଟ । ଜୀବନ ବିକଳରେ ଛଟପଟ ହେଉଥିଲା । ଓଟର ଏଭଳି ଅବସ୍ଥା ଦେଖି ସ୍ୱେଚ୍ଛାସେବୀ ଯୁବକ ପ୍ରଶାନ୍ତ ମହାକୁର ସାମାଜିକ କର୍ମୀ ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ଖରବ ଦେବାପରେ ସମସ୍ତେ ତୁରନ୍ତ ପହଂଚି ମୁମୁର୍ଷୁ ଓଟର ପ୍ରାଥମିକ ଚିକିତ୍ସା କରିଥିଲେ ସୁଦ୍ଧା ଓଟର ଜୀବନ ରକ୍ଷା ହୋଇପାରି ନଥିଲା । ଶେଷରେ ମ୍ୟୁନିସିପାଲିଟି ସହାୟତାରେ ଓଟର ସତ୍କାର କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.