ଜଟିଳ ହେଉଛି ପ୍ରବାସୀ ଶ୍ରମିକଙ୍କ ସମସ୍ୟା

  • ନିଖୋଜ ଦିଗମ୍ବରଙ୍କ ଫେରିବା ପ୍ରତୀକ୍ଷାରେ ପରିବାର ଲୋକ

ଜୟପାଟଣା, (ଶେଷଦେବ ବେହେରା) : ଅଧିକ ଉପାର୍ଜନ ନାଆଁରେ ନିଜର ଜନ୍ମମାଟି ଛାଡ଼ି ବାହାର ରାଜ୍ୟକୁ କାମ ପାଇଁ ଚାଲି ଯିବାର ଦୃଷ୍ଟାନ୍ତ ସର୍ବଦା ଲାଗି ରହିଛି । ସେହିଭଳି ଉଛୁଲା ଗ୍ରାମରଏକ ଯୁବ ରାଜମିସ୍ତ୍ରୀ ପରିବାରକୁ ଛାଡି ବାହାର ରାଜ୍ୟକୁ କାମ ପାଇଁ ଯାଉ ଆଉ ଫେରି ନଥିବା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପରିବାର ଲୋକ ଏବେ ଥାନାର ଆଶ୍ରୟ ନେଇଥିବା ସୂଚନା ମିଳିଛି । ଜୟପାଟଣା ବ୍ଲକ ଅନ୍ତର୍ଗତ ଉଛୁଲା ଗ୍ରାମର ଦିଗମ୍ବର ନାଏକ (୪୦) ପେଶାରେ ରାଜମିସ୍ତ୍ରୀ କର୍ମ ସଂସ୍ଥାନ ପାଇଁ ଗ୍ରାମର ମୋତି ରାମ ପୁଝାରୀଙ୍କ ସାଙ୍ଗରେ ୨ ମାସ ତଳେ ହାଇଦ୍ରାବାଦ ଚାଲି ଯାଇଥିଲେ । ସେଠାରୁ ଅଗଷ୍ଟ ୨୩ ତାରିଖରେ ଫୋନ୍‌ ଯୋଗେ ନିଜ ପରିବାର ଲୋକଙ୍କ ସାଙ୍ଗରେ ସମ୍ପର୍କ ରଖି କର୍ମ ସଂସ୍ଥାନ ହେବାର ଖବର ଦେବା ସହିତ ଫୋନ୍‌ ପେ’ରେ ପଇସା ପଠାଇ ବା କଥା କହିଥିଲେ । କିନ୍ତୁ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ତାଙ୍କ ସାଙ୍ଗରେ ଆଉ କୌଣସି ସମ୍ପର୍କ ହୋଇପାରି ନଥିବା ପରିବାର ଲୋକେ ପ୍ରକାଶ କରନ୍ତି । ଏବେ ସାଥୀ ମୋତି ରାମ ଗାଁକୁ ଫେରି ଆସିଥିବା ବେଳେ ପବିତ୍ର ନବାନ୍ନ ସମୟରେ ମଧ୍ୟ ଦିଗମ୍ବର ସାଙ୍ଗରେ କୌଣସି ସମ୍ପର୍କ ହୋଇପାରୁ ନଥିବାରୁ ପରିବାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଅନ୍ୟ ପଟେ ସ୍ତ୍ରୀ ଶକୁନ୍ତଳା, ୨ ଝିଅ ଓ ୧ ବର୍ଷର ଶିଶୁ ପୁତ୍ରକୁ ଧରି ସ୍ଵାମୀଙ୍କ ଫେରିବା ବାଟକୁ ଚାହିଁ ରହିଥିବା ପ୍ରକାଶ । ଏବେ ଧର୍ଯ୍ୟ ଭାଙ୍ଗିବା ପରେ ଦିଗମ୍ବରଙ୍କ ବାପା ପିତାମ୍ବର ଜୟପାଟଣା ଥାନାରେ ଅଭିଯୋଗ କରିବା ସହିତ ପ୍ରଶାସନକୁ ମଧ୍ୟ ନିବେଦନ କରିଥିବା ଜଣାପଡ଼ିଛି । ଏବେ ନିଖୋଜ ଦିଗମ୍ବରର ଖୋଜ କରିବାରେ ପ୍ରଶାସନ କେତେ ତତ୍ପରତା ଦେଖାଉଛି ତାହା ଦେଖିବାର ବେଳ ଆସିଛି ।

Leave A Reply

Your email address will not be published.