ଅଭାବନୀୟ କା‌ଣ୍ଡ : ସେବାଶ୍ରମରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀ ମା’ ହେଲେ

ଗୁଣପୁର : ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି । ସେବାଶ୍ରମରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀ କନ୍ୟା ସନ୍ତାନର ମା’ ହୋଇଛନ୍ତି । ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉଭୟ ମା’ ଓ ନବଜାତ ଶିଶୁ ସୁସ୍ଥ ଥିବା କୁହାଯାଇଛି । ଗୁଣପୁର ପୁଲିସ୍ ଏ ଘଟଣାରେ ଅଭିଯୁକ୍ତ ବୃନ୍ଦାବନ କାଡ଼୍ରକାଙ୍କୁ ଗିରଫ କରିଥିବା ବେଳେ ଏହି ଘଟଣା ଜିଲ୍ଲା ପ୍ରଶାସନର ଚିନ୍ତା ବଢେ଼ଇଛି ।

ଛାତ୍ରୀଙ୍କ ବାପାଙ୍କ ଅଭିଯୋଗନୁଯାୟୀ, ୧୩ ବର୍ଷୀୟା ପୀଡ଼ିତା ରାମନାଗୁଡ଼ା ବ୍ଲକର ଏକ ସେବାଶ୍ରମରେ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି । କରୋନା ଯୋଗୁ ସ୍କୁଲ୍ ବନ୍ଦ ରହିଥିବାରୁ ଛାତ୍ରୀ ଜଣଙ୍କ ନିଜ ଘରେ ରହି ପଢ଼ାପଢ଼ି କରୁଥିଲେ । ପୀଡ଼ିତାଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ସ୍ଥାନ ଅଭାବରୁ ରାତିରେ ପୀଡ଼ିତା ଛାତ୍ରୀ ନିଜ ବଡ଼ମାଙ୍କ ଘରକୁ ଶୋଇବାକୁ ଯାଉଥିଲେ । ଏହାର ସୁଯୋଗ ନେଇ ପଡ଼ୋଶୀ ଘରେ ରହୁଥିବା ବୃନ୍ଦାବନ ପୀଡ଼ିତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗତ ୧୦ମାସ ହେଲା ଶାରୀରିକ ସଂପର୍କ ରଖି ଆସୁଥିଲା । ଯାହାଫଳରେ ପୀଡ଼ିତା ଗର୍ଭବତୀ ହୋଇଥିଲେ ହେଁ ପରିବାର ଲୋକ କିଛି ଜାଣିପାରି ନ ଥିଲେ । ଶନିବାର ସଂଧ୍ୟାରେ ପୀଡ଼ିତା ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକ ଗୋଟିଏ ବୋଲେରୋ ଭଡ଼ା କରି ପୀଡ଼ିତାଙ୍କୁ ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣୁଥିବା ବେଳେ ନାବାଳିକା ଛାତ୍ରୀ ଗାଡ଼ି ଭିତରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଗୁରୁତର ଅବସ୍ଥାରେ ଉଭୟ ପୀଡ଼ିତା ଓ କନ୍ୟା ସନ୍ତାନକୁ ରାମନାଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.