ବୃନେଇର ସୁଲତାନ ହାଜି ହସନାଲ ବୋଲକିଆଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବନ୍ଦର ସେରୀ ବେଗାୱାନର ଇସ୍ତାନା ନୁରୁଲ ଇମାନରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ବୃନେଇର ମହାମହିମ ସୁଲତାନ ହାଜି ହସନାଲ ବୋଲକିଆ ଉତ୍ସାହର ସହ ସ୍ୱାଗତ କରିଥିଲେ । ଭବ୍ୟ ନିମନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ମହାମହିମଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, କୌଣସି ଭାରତୀୟ ରାଷ୍ଟ୍ରମୁଖ୍ୟଙ୍କ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ବଢ଼ାଇବା ପାଇଁ ଭାରତର ଗଭୀର ଇଚ୍ଛାକୁ ପ୍ରତିଫଳିତ କରୁଛି । ଏବେ ଦଶମ ବର୍ଷରେ ପହଞ୍ଚିଥିବା ‘ଆକ୍ଟ ଇଷ୍ଟ ପଲିସି’କୁ ସୁଦୃଢ଼ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ତାଙ୍କର ଏହି ଗସ୍ତ ହୋଇଛି ବୋଲି ସେ ଆଲୋକପାତ କରିଥିଲେ । ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କ ଓ ଭାଗିଦାରୀକୁ ଉନ୍ନତ କରିବାକୁ ସହମତ ହୋଇଥିଲେ । ପ୍ରତିରକ୍ଷା, ବାଣିଜ୍ୟ ଓ ପୁଞ୍ଜିନିବେଶ, ଖାଦ୍ୟ ନିରାପତ୍ତା, ଶିକ୍ଷା, ଶକ୍ତି, ମହାକାଶ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, ଦକ୍ଷତା ବୃଦ୍ଧି, ସଂସ୍କୃତି ଏବଂ ଲୋକଙ୍କ ମଧ୍ୟରେ ଆଦାନ ପ୍ରଦାନ ଭଳି ବିଭିନ୍ନ ପ୍ରସଙ୍ଗରେ ଦୁଇ ନେତା ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଆଇସିଟି, ଫିନଟେକ୍, ସାଇବର ସିକ୍ୟୁରିଟି, ନୂତନ ଏବଂ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଏବଂ ଅକ୍ଷୟ ଶକ୍ତି ଭଳି କ୍ଷେତ୍ରରେ ସହଯୋଗ କରିବାକୁ ସେମାନେ ରାଜି ହୋଇଥିଲେ । ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଏବଂ ମହାମହିମ ମତ ବିନିମୟ କରିଥିଲେ । ଉଭୟ ନେତା ସମସ୍ତ ପ୍ରକାର ଆତଙ୍କବାଦକୁ ନିନ୍ଦା କରିବା ସହ ଏହାକୁ ପ୍ରତ୍ୟାଖ୍ୟାନ କରିବାକୁ ରାଜ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏସିଆନ୍ – ଭାରତ ବ୍ୟାପକ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ପାଇଁ ଉଭୟ ନେତା ପାରସ୍ପରିକ ଲାଭଦାୟକ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏସିଆନ୍ ଜଳବାୟୁ ପରିବର୍ତ୍ତନ କେନ୍ଦ୍ରର ଆୟୋଜନ ପାଇଁ ବୃନେଇ ଦାରୁସଲାମଙ୍କ ପ୍ରୟାସକୁ ଭାରତର ସମର୍ଥନ କରିଥିବାରୁ ମଧ୍ୟ ମହାମହିମ ପ୍ରଶଂସା କରିଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଏବଂ ବୃନେଇର ପରିବହନ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମହାମହିମ ପେଙ୍ଗିରାନ୍ ଡାମ୍ହାରୀ ପେଙ୍ଗିରାନ୍ ଡାଟୋ ମୁସ୍ତାଫାଙ୍କ ଦ୍ୱାରା ଉପଗ୍ରହ ଏବଂ ଉତକ୍ଷେପଣ ଯାନ ପାଇଁ ଟେଲିମେଟ୍ରି, ଟ୍ରାକିଂ ଏବଂ ଟେଲିକମାଣ୍ଡ ଷ୍ଟେସନର ପରିଚାଳନାରେ ସହଯୋଗ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର ଏବଂ ବିନିମୟ ହୋଇଥିଲା । ବନ୍ଦର ସେରି ବେଗୱାନ ଏବଂ ଚେନ୍ନାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ସେମାନେ ସ୍ୱାଗତ କରିଥିଲେ । ଆଲୋଚନା ପରେ ଏକ ମିଳିତ ବିବୃତି ଗୃହୀତ ହୋଇଥିଲା । ମହାମହିମ ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ଏକ ସରକାରୀ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଆଜି ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଭାରତ-ବୃନେଇ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ ଓ ମଜଭୁତ କରିବ । ପ୍ରଧାନମନ୍ତ୍ରୀ ମହାମହିମଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଐତିହାସିକ ଗସ୍ତ ଭାରତର ଆକ୍ଟ ଇଷ୍ଟ ନୀତି ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଆମ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବ ।

Leave A Reply

Your email address will not be published.