ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ୨୦୨୪ ଅବସରରେ କର୍ମଶାଳା ଶୁକ୍ରବାର ଆୟୋଜିତ ହେଇଯାଇଛି । ‘ଚନ୍ଦ୍ରର ସ୍ପର୍ଶ ହିଁ ଜୀବନର ସ୍ପର୍ଶ-ଭାରତର ମହାକାଶ ଗାଥା’ ସ୍ଲୋଗାନକୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଛତ୍ରପୁରସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଦିନିକିଆ କର୍ମଶାଳା । ପଦାର୍ଥ ବିଜ୍ଞାନ ବିଭାଗ, ସାଇନ୍ସ କ୍ଲବ ଓ ଆଇକ୍ୟୁଏସି ସେଲ୍ର ମିଳିତ ଆନୁକୁଲ୍ୟରେ ଜାତୀୟ ମହାକାଶ ଦିବସ ୨୦୨୪ ପାଳନ ଅବସରରେ ଆୟୋଜିତ ଏହି କର୍ମଶାଳାରେ ଡ. ଅଜୟ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଏହି କର୍ମଶାଳାରେ ୟୁନିଭର୍ସିଟି ଅଫ୍ ବୋର୍ଡେକ୍ସ, ଫ୍ରାନ୍ସରେ ଆଷ୍ଟ୍ରୋ ପିଜିକ୍ସରେ ଗବେଷଣା ନିମନ୍ତେ ମନୋନୀତ ହୋଇଥିବା ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ଶ୍ରଦ୍ଧେୟା ଦେବୀସ୍ମିତା ପଣ୍ଡା ବିଷୟ ବିଶେଷଜ୍ଞ ଭାବରେ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଏହି ସଭାକୁ ଉଦ୍ଘାଟନକରି ମହାବିଦ୍ୟାଳୟର ଅଧ୍ୟକ୍ଷ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ମହାକାଶ ଦିବସ ସଂପର୍କିତ ଅନେକ ଉପାଦେୟ ତଥ୍ୟ ବିଷୟରେ ଅବଗତ କରାଇଥିଲେ । ସେ କହିଥିଲେ, ଚନ୍ଦ୍ରାୟାନ-୩ ମିଶନ୍ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଏହି ଦିବସ ସମଗ୍ର ଭାରତ ବର୍ଷରେ ଜାତୀୟ ମହାକାଶ ଦିବସ ଭାବରେ ପାଳିତ ହେଉଛି । ୨୦୨୩ ମସିହାରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରେରିତ ଚନ୍ଦ୍ରାୟାନ-୩ର ‘ପ୍ରଜ୍ଞାନ୍ ରୋଭର’ ଠିକ୍ ଆଜିର ଦିନରେ ଚନ୍ଦ୍ରପୃଷ୍ଠରେ ଅବତରଣ କରି ଚନ୍ଦ୍ର ସଂପର୍କରେ ଅନେକ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ପଠାଇଥିଲା । ଆହୁରି ମଧ୍ୟ ୨୩ ଅଗଷ୍ଟ ୨୦୨୩ ମସିହାରେ ଭାରତ ଚନ୍ଦ୍ର ପୃଷ୍ଠରେ ସଫଳତାର ସହିତ ଅବତରଣ କରିଥିବା ବିଶ୍ୱର ଚତୁର୍ଥ ଦେଶ ଭାବରେ ଗୌରବାନ୍ୱିତ ହୋଇଥିଲା । ଏଥିସହିତ ଭବିଷ୍ୟତରେ ଭାରତୀୟ ମହାକାଶ ବିଜ୍ଞାନ କେନ୍ଦ୍ରର ଗବେଷଣା ବିଶ୍ୱବ୍ୟାପି ହେବା ସହ ଭାରତ ଏହି କ୍ଷେତ୍ରରେ ନୂତନ ଅନୁସନ୍ଧାନ ଓ ଉପଲବ୍ଧି ହାସଲ କରୁ ବୋଲି ଶୁଭକାମନା ଜଣାଇଥିଲେ । ମହାବିଦ୍ୟାଳୟର ପ୍ରାଶାସନିକ ଅଧିକାରୀ ଡ. ପିଙ୍କିରାଣୀ ଦେଇ ଏ ଅବସରରେ ଜାତୀୟ ମହାକାଶ ଦିବସ ଓ ଏହାର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଆଇକ୍ୟୁଏସି ସେଲ୍ ସଂଯୋଜିକା ଡ. ଶୁଚିସ୍ମିତା ବେହେରା ନିଜର ବକ୍ତବ୍ୟରେ କହିଥିଲେ, ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ସମଗ୍ର ବିଶ୍ୱକୁ ଚମତ୍କୃତ କରିପାରିଛି । ମହାକାଶ ବିଜ୍ଞାନ କ୍ଷେତ୍ରରେ ଆହୁରି ଗବେଷଣାର ଆବଶ୍ୟକତା ରହିଅଛି, ଯାହାଦ୍ୱାରା ମହାକାଶ ସଂପର୍କିତ ଅନେକ ତଥ୍ୟ ମିଳିପାରିବ । ଏଥି ସହିତ ମହାକାଶ ଗବେଷଣା ତଥା ମହାକାଶ ବିଜ୍ଞାନକୁ ଛାତ୍ରଛାତ୍ରୀମାନେ କିପରି ନିଜର କ୍ୟାରିୟର୍ ଭାବରେ ବାଛିପାରିବେ ସେ ବିଷୟରେ ମାର୍ଗଦର୍ଶନ କରିଥିଲେ । ଭାରତୀୟ ମହାକାଶ ବିଜ୍ଞାନର ଗବେଷଣା ଓ ତାର ସଫଳତା ସମଗ୍ର ବିଶ୍ୱ ନିମନ୍ତେ କିପରି ନୂତନ ପଥ ଉନ୍ମୋଚନ କରିଛି, ସେ ବିଷୟରେ ଅଧ୍ୟାପକ ସନ୍ତୋଷ ବେହେରା ନିଜର ମତ ରଖିଥିଲେ । ଏ ଅବସରରେ ଶ୍ରଦ୍ଧେୟା ଦେବୀସ୍ମିତା ପଣ୍ଡାଙ୍କୁ ଉତ୍ତରୀୟ ପ୍ରଦାନ କରି ଅଧ୍ୟକ୍ଷ ସମ୍ମାନିତ କରିଥିଲେ । କର୍ମଶାଳାର ପ୍ରାରମ୍ଭରେ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରଦ୍ୟୁମ୍ନ ମଢେଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଆରତୀ ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳା ମହାବିଦ୍ୟାଳୟର ସାଇନ୍ସ କ୍ଲବ୍ ଦ୍ୱାରା ପରିଚାଳିତ ହୋଇଥିଲା । ଏହି କର୍ମଶାଳାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
Next Post