ଫକୀର ଚରଣ ପାଢ଼ୀଙ୍କ ‘କର୍ମ ଘେନି ଫଳ’ ପୁସ୍ତକ ଉନ୍ମୋଚନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ୱନାମଧନ୍ୟ ଶିଶୁସାହିତ୍ୟିକ ତଥା ବରିଷ୍ଠ ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କର ଶିଶୁ ସାହିତ୍ୟ ପୁସ୍ତକ ‘କର୍ମ ଘେନି ଫଳ’ ପଞ୍ଚସଖାଙ୍କ ସାଧନାପୀଠ ପୁରୀ ଜିଲ୍ଲାର ସତ୍ୟବାଦୀ ଠାରେ ଉନ୍ମୋଚନ ଓ ସମୀକ୍ଷାୟନ ତା ୧୦/୦୮/୨୦୨୪ ରିଖରେ ହୋଇଯାଇଛି । ଗବେଷକ ତଥା ଐତିହାସିକ ଭୀମସେନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରୀ ଜିଲ୍ଲା ଶାଖା ଉତ୍କଳସମ୍ମିଳନୀର ‘ସ୍ୱାଧୀନତା ଆନ୍ଦୋଳନ କବିତା ଆସର’ରେ ମୁଖ୍ୟଅତିଥି ଭାବେ ସଂଗ୍ରାମୀ ଗୋବିନ୍ଦ ମହାପାତ୍ର, ମୁଖ୍ୟବକ୍ତା ପ୍ରାଧ୍ୟାପକ ନରେନ୍ଦ୍ର ବେହେରା, ଶିକ୍ଷାବିତ୍ତ ବନମାଳୀ ବେହେରା, ଅଭିମତ ସ୍ତମ୍ଭକାର କବି ରଂଜନ ମିଶ୍ର, ବରିଷ୍ଠ ଶିଶୁ ସାହିତ୍ୟିକ ଡ଼କ୍ଟର ହେମନ୍ତ କୁମାର ଛୋଟରାୟ, ଶିଶୁ ସାହିତ୍ୟିକା ବିଶାଖା ଦେବୀ, କବି ସଂପୂର୍ଣ୍ଣାନନ୍ଦ ମିଶ୍ର, କୃପାନିଧି ପ୍ରଧାନ, ଶିକ୍ଷକ ଅଭୟ ଚରଣ ସାହୁ, ଶିଶୁ ସାହିତ୍ୟିକା କବୟିତ୍ରୀ ସୁନନ୍ଦା ମହାନ୍ତି ଓ ସୁଜାତା ଦେବୀ, ପ୍ରକୃତିବନ୍ଧୁ ଆଇନଜୀବୀ ଶିଶୁ ସାହିତ୍ୟିକ କବି ହୃଷୀକେଶ ପାଢ଼ୀ, ଆକାଶବାଣୀ ପୁରୀ ଯୁବବାଣୀର କାର୍ଯ୍ୟକ୍ରମ ନିଷ୍ପାଦକ ତଥା ଯୁବ ଶିଶୁ ସାହିତ୍ୟିକ ରଶ୍ମିରଂଜନ ସାହୁ, ଅବସରପ୍ରାପ୍ତ ଶିକ୍ଷକ କବି ବିଜୟ ପରିଡା, ପାଲାଗାୟକ କବି ବିଜୟ ପଟ୍ଟନାୟକ, ଶିଶୁ ସାହିତ୍ୟିକ କବି ଦିଗାମ୍ବର ରଥ ପ୍ରମୁଖ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ପରେ ପରେ ବରିଷ୍ଠ ଶିଶୁ ସାହିତ୍ୟିକା ସୁନନ୍ଦା ମହାନ୍ତି ଓ ବିଶାଖା ଦେବୀ ପୁସ୍ତକରେ ଥିବା ‘କର୍ମ ଘେନି ଫଳ’, ‘ଗଧଙ୍କ ବୋଝ ବୁହା’, ‘ଏଗାରପଟ ଚକୁଳି’, ‘ଚୋର ଓ ସଇତାନ’, ‘ସର୍ପରାଜଙ୍କ ଆଶୀର୍ବାଦ’, ‘ବାଟରେ ଚାଲ’, ଆଦି ବିଷୟ ଗଳ୍ପ ଗୁଡିକୁ ସମୀକ୍ଷା କରିଥିଲେ । ମୁଖ୍ୟଅତିଥି ଗୋବିନ୍ଦ ମହାପାତ୍ରଙ୍କୁ ସଭାପତି ଭୀମସେନ ମହାପାତ୍ର ସଂବର୍ଦ୍ଧନା କରିବା ପରେ ସୁନ୍ଦର ଲାଳିତ୍ୟ କଣ୍ଠସ୍ୱରରେ କବିତା ପାଠ କାର୍ଯ୍ୟକ୍ରମକୁ କବୟିତ୍ରୀ ସୁଜାତା ଦେବୀ ସଂଯୋଜନା କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ଓ ନିଜ ରଚିତ ପୁସ୍ତକ ‘ସ୍ୱାଧୀନତାର ସ୍ୱର’ କବି ଓ କବୟିତ୍ରୀଙ୍କୁ ପ୍ରଦାନ କରିଥିଲେ । ଶେଷରେ ଉପସଭାପତି ଗାନ୍ଧୀ ତତ୍ତ୍ୱପ୍ରଚାରକ ଅନାମ ମଲ୍ଲିକ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ସାରସ୍ୱତ ସାଧକ ମାନଙ୍କୁ ଧନ୍ୟବାଦ ଦେଇଥିଲେ ଓ ପୁସ୍ତକରେ ସରଳ ସାବଲୀଳ ଭାଷା ଶିଶୁ ଓ କିଶୋର ମାନଙ୍କ ମନକୁ ଛୁଇଁବ ବୋଲି ଅଭିହିତ କରିବା ସହ ଏହା ଦ୍ଵିତୀୟ ସଂସ୍କରଣ ହୋଇଥିବାରୁ ବହୁ ପାଠକୀୟ ଆଦୃତି ଲାଭ କରିବ ବୋଲି ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.