ଗୁଡିଘାଟ ପଞ୍ଚାୟତ ଅଞ୍ଚଳ ପାଇଁ ଆମ୍ବୁଲାନ୍ସ ସେବା ଯୋଗାଇଦେବା ପାଇଁ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଦାବିପତ୍ର ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଅଞ୍ଚଳର ଜନସାଧାରଣ ଗୁଡିଘାଟରେ ଏକ ଆମ୍ବୁଲାନ୍ସ ସେବା ଯୋଗାଇଦେବା ପାଇଁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ମୁତାବକ ଗୁଡିଘାଟ ପଞ୍ଚାୟତ ମୁଖ୍ୟାଳୟ ଦେଇ ସିଧାସଳଖ ବଲାଙ୍ଗିର ଜିଲ୍ଲା ସଦର ମହକୁମାରୁ କଣ୍ଟାବାଞ୍ଜି ସହର ତଥା ମୁରିବାହାଲ, ବଙ୍ଗୋମୁଣ୍ଡା, ଖଡ଼ିଆଳ ଦେଇ ରାୟପୁର ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଯୋଗାଯୋଗ ରହିଛି । ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ୨ ଓ ୪ ଚକିଆ ଯାନବାହନ ଚଳାଚଳ କରିଥାଏ । ଗୁଡିଘାଟରୁ ମୁରିବାହାଲ ୧୦କିମି, କଣ୍ଟାବାଞ୍ଜି ସହର ୧୦କିମି ଓ ଟିକ୍ରାପଡାକୁ ମଧ୍ୟ ୧୦କିମି ଦୂରତା ହୋଇଥାଏ । ଗୁଡିଘାଟରେ ଏକ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ରହିଛି । କିନ୍ତୁ ଏହି ମୁଖ୍ୟ ରାସ୍ତାରେ ପ୍ରତିଦିନ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ସ୍ଥାନୀୟ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ସେହିଭଳି ଆବଶ୍ୟକ ଉଚ୍ଚତର ସ୍ୱାସ୍ଥ୍ୟ ସୁବିଧା ମିଳି ପାରିନଥାଏ । କୌଣସି ଗୁରୁତର ଦୁର୍ଘଟଣାଗ୍ରସ୍ତ କିମ୍ବା ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା କରି ଆମ୍ବୁଲାନ୍ସ ଖୋଜିଲା ବେଳକୁ ବହୁ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ । ଫଳରେ ବହୁ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ମଧ୍ୟ ଅକାରଣରେ ଚାଲି ଯାଇଥାଏ । ବାରମ୍ବାର ଯୋଗାଯୋଗ କରିବା ପରେ ମଧ୍ୟ ଆମ୍ବୁଲାନ୍ସ ନମିଳିଲେ ଗରିବ ଲୋକେ ଘରୋଇ ଗାଡ଼ି ଭଡ଼ା କରି ବାଧ୍ୟ ହୋଇ ମୁରିବାହାଲ, କଣ୍ଟାବାଞ୍ଜି କିମ୍ବା ବଲାଙ୍ଗିର ମେଡିକାଲକୁ ନେଇଥାନ୍ତି ସେତେବେଳକୁ ଗୁରୁତରଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡ଼ିଥାଏ । ନିକଟରେ ବହୁ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ଆମ୍ବୁଲାନ୍ସ ଠିକ୍‌ ସମୟରେ ମିଳି ନଥିବାରୁ ଚାଲିଯାଇଥିବା ଅଭିଯୋଗ ହୋଇଛି । ଗୁଡିଘାଟ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଏକ ଆମ୍ବୁଲାନ୍ସ ଯୋଗାଇ ଦିଆଗଲେ ଏହି ଅଞ୍ଚଳର ରୋଗୀ ତଥା ଦୁର୍ଘଟଣାଗ୍ରସ୍ତଙ୍କୁ ଠିକ୍ ସମୟରେ ଚିକିତ୍ସା ସୁବିଧା ମିଳିପାରିବ ବୋଲି ଲିଖିତ ରୂପେ ଜଣାଇଛନ୍ତି । ଏଣୁ ଗୁଡ଼ିଘାଟ ଅଞ୍ଚଳ ପାଇଁ ଏକ ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ ବିଧାୟକଙ୍କୁ ଲିଖିତ ଅନୁରୋଧ କରିଛନ୍ତି । ଦାବିପତ୍ର ଗ୍ରହଣ କରି ବିଧାୟକ ଶ୍ରୀ ବାଗ ଗୁଡିଘାଟରେ ଏକ ଆମ୍ବୁଲାନ୍ସ ଯୋଗାଇ ଦିଆଯିବା ପାଇଁ ନିଶ୍ଚିତ ପ୍ରତିଶୃତି ଦେଇଥିଲେ । ଦାବିପତ୍ର ପ୍ରଦାନ ବେଳେ ସମାଜସେବୀ ମକୁନ୍ଦ ବଗର୍ତ୍ତି, ଗିରିଧାରୀ ମହାନନ୍ଦ, ଗିରିଧାରୀ ସାହୁ, ନବୀନ କୁମାର ରାଓ, ସୌରଭ ସିଂହ ମାଝୀ, ବାସୁଦେବ ପଧାନ, ବରୁଣ ମହାକୁର, ସଞ୍ଜୟ ବିଶି, ବିଶ୍ୱାମିତ୍ର ମାଝୀ, ନୁଆଦେଇ ମାଝୀ, ରୁପେଶ୍ୱରୀ ମାଝୀ, ସୁଶାନ୍ତ ସାହୁ, ଲମ୍ବୋଦର କର୍ମୀ, ତପେଶ୍ଵର ନାଗ, ସତ୍ୟ ହରପାଲ, କୁନୁ ସୁନା, ଅର୍ଜୁନ ତାଣ୍ଡି, ବିଷ୍ଣୁ ବାଗ, ବିଶ୍ଵନାଥ ନାହାକ, ଯୁଗଳ ବାଗ, ଶମ୍ଭୁ ମେହେର, ଧରଣୀ ମୁଦୁଲି, ପୃଥ୍ୱୀରାଜ ବାଗ, ଅଭିମନ୍ୟୁ କର୍ମୀ ଓ ଗଣ୍ଡାରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.