ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ନବମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

  • କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୂହିକ ପ୍ରୟାସ ବିକଶିତ ଭାରତ – ୨୦୪୭ ସ୍ୱପ୍ନକୁ ସାକାର କରିବ : ପ୍ରଧାନମନ୍ତ୍ରୀ
  • ବିକଶିତ ରାଜ୍ୟମାନଙ୍କ ମାଧ୍ୟମରେ ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ; ପ୍ରତ୍ୟେକ ରାଜ୍ୟ ଏବଂ ଜିଲ୍ଲା ୨୦୪୭ ପାଇଁ ଏକ ସଂକଳ୍ପ ଧାର୍ଯ୍ୟ କରିବା ଉଚିତ ଯାହା ଦ୍ୱାରା ବିକଶିତ – ୨୦୪୭କୁ ସାକାର କରାଯାଇପାରିବ : ପ୍ରଧାନମନ୍ତ୍ରୀ
  • ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ‘ନିବେଶ ଅନୁକୂଳ ଚାର୍ଟର’ ପ୍ରସ୍ତୁତ କରିବାକୁ ନୀତି ଆୟୋଗକୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ
  • ଜଳ ସମ୍ପଦର ପ୍ରଭାବଶାଳୀ ଉପଯୋଗ ପାଇଁ ରାଜ୍ୟସ୍ତରରେ ନଦୀ ଗ୍ରିଡ୍ ନିର୍ମାଣକୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ
  • ଭବିଷ୍ୟତରେ ଜନସଂଖ୍ୟା ବୃଦ୍ଧି ସମସ୍ୟାର ସମାଧାନ ପାଇଁ ଜନସଂଖ୍ୟା ପରିଚାଳନା ଯୋଜନା ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କୁ ଉତ୍ସାହିତ କଲେ
  • ଯୁବକମାନଙ୍କୁ ରୋଜଗାର ପାଇଁ ପ୍ରସ୍ତୁତ କରିବା ନିମନ୍ତେ ସେମାନଙ୍କ ଦକ୍ଷତା ଏବଂ ପ୍ରଶିକ୍ଷଣ ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ
  • ବିକଶିତ ଭାରତ ପାଇଁ ‘ଶୂନ୍ୟ ଦାରିଦ୍ର୍ୟ’ ଆମର ଲକ୍ଷ୍ୟ ହେବା ଦରକାର : ପ୍ରଧାନମନ୍ତ୍ରୀ
  • ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ ଅଧ୍ୟୟନ କରିବାକୁ ପ୍ରଧାନମନ୍ତ୍ରୀ ନୀତି ଆୟୋଗକୁ ନିର୍ଦ୍ଦେଶ ଦେଲେ
  • ବୈଠକରେ ଅଂଶଗ୍ରହଣ କଲେ ୨୦ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୀତି ଆୟୋଗର ନବମ ପରିଚାଳନା ବୈଠକରେ ଅଧ୍ୟକ୍ଷତା କରିଥିଲେ । ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ/ଉପରାଜ୍ୟପାଳ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ବିକଶିତ ଭାରତ-୨୦୪୭ର ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରର ସହଯୋଗ ଏବଂ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଗତ ୧୦ ବର୍ଷ ମଧ୍ୟରେ ଭାରତ ସ୍ଥିର ଅଭିବୃଦ୍ଧି ହାସଲ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ୨୦୧୪ରେ ବିଶ୍ୱର ୧୦ମ ବୃହତ୍ତମ ଅର୍ଥବ୍ୟବସ୍ଥା ମାନ୍ୟତା ପାଇଥିବା ଭାରତ ୨୦୨୪ ସୁଦ୍ଧା ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସରକାର ଏବଂ ସମସ୍ତ ନାଗରିକଙ୍କ ସାମୂହିକ ଲକ୍ଷ୍ୟ ହେଉଛି ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ କରିବା । ସାମାଜିକ ଓ ଆର୍ଥିକ ଭିତ୍ତିଭୂମିକୁ ସୁଦୃଢ଼ କରି ଗତ ୧୦ ବର୍ଷ ମଧ୍ୟରେ ଆମ ଦେଶ ଅନେକ ପ୍ରଗତି କରିସାରିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ପୂର୍ବରୁ ମୁଖ୍ୟତଃ ଆମଦାନୀ ଭିତ୍ତିକ ଦେଶ ହୋଇଥିବା ଭାରତ ଏବେ ବିଶ୍ୱକୁ ଅନେକ ଉତ୍ପାଦ ରପ୍ତାନି କରୁଛି । ପ୍ରତିରକ୍ଷା, ମହାକାଶ, ଷ୍ଟାର୍ଟଅପ୍ ଓ କ୍ରୀଡ଼ା ଭଳି ବ୍ୟାପକ କ୍ଷେତ୍ରରେ ଦେଶ ବିଶ୍ୱ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି । ଆମ ଦେଶର ପ୍ରଗତି ପାଇଁ ପ୍ରେରକ ଶକ୍ତି ସାଜିଥିବା ୧୪୦ କୋଟି ନାଗରିକଙ୍କ ଆତ୍ମବିଶ୍ୱାସ ଓ ଉତ୍ସାହକୁ ସେ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ହେଉଛି ପରିବର୍ତ୍ତନର ଦଶନ୍ଧି ଯାହା ବିଭିନ୍ନ କ୍ଷେତ୍ରରେ ଅନେକ ସୁଯୋଗ ଆଣିଛି । ଏହି ସୁଯୋଗଗୁଡ଼ିକର ଉପଯୋଗ କରିବା ଏବଂ ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟକାରିତାରେ ଅଭିନବ ଆଭିମୁଖ୍ୟ ମାଧ୍ୟମରେ ବିକାଶ ପାଇଁ ଅନୁକୂଳ ପ୍ରଶାସନିକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସେ ରାଜ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ସେ କହିଥିଲେ ଯେ ବିକଶିତ ରାଜ୍ୟ ମାଧ୍ୟମରେ ବିକଶିତ ଭାରତର ସ୍ୱପ୍ନ ସାକାର କରାଯାଇପାରିବ । ବିକଶିତ ଭାରତର ଆକାଂକ୍ଷା ତୃଣମୂଳ ସ୍ତରରେ ଅର୍ଥାତ୍ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଏବଂ ଗ୍ରାମରେ ପହଞ୍ଚିବା ଉଚିତ । ଏଥିପାଇଁ ପ୍ରତ୍ୟେକ ରାଜ୍ୟ ଓ ଜିଲ୍ଲା ୨୦୪୭ ପାଇଁ ଏକ ସଂକଳ୍ପ ପ୍ରସ୍ତୁତ କରିବା ଦରକାର, ଯାହା ଦ୍ୱାରା ୨୦୪୭ ମସିହାରେ ବିକଶିତ ଭାରତ -୨୦୪୭କୁ ସାକାର କରାଯାଇପାରିବ । ପ୍ରଧାନମନ୍ତ୍ରୀ ନୀତି ଆୟୋଗ ଦ୍ୱାରା ପରିଚାଳିତ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଏହାର ସଫଳତାର ଚାବିକାଠି ହେଉଛି ପରିମାପଯୋଗ୍ୟ ମାନଦଣ୍ଡଗୁଡିକର ନିରନ୍ତର ଏବଂ ଅନଲାଇନ୍ ତଦାରଖ, ଯାହା ବିଭିନ୍ନ ସରକାରୀ ଯୋଜନାରେ ସେଗୁଡ଼ିକର ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ଜିଲ୍ଲାଗୁଡିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି କରିଥିଲା । ଦକ୍ଷ ମାନବ ସମ୍ବଳ ପାଇଁ ବିଶ୍ୱ ଭାରତ ଆଡକୁ ଅନୁକୂଳ ଦୃଷ୍ଟିରେ ଦେଖୁଥିବା ବେଳେ ଯୁବକମାନଙ୍କୁ ରୋଜଗାର ନିମନ୍ତେ ପ୍ରସ୍ତୁତ କରିବା ଲାଗି ଦକ୍ଷତା ଓ ପ୍ରଶିକ୍ଷଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ନିବେଶକଙ୍କ ଅନୁକୂଳ ପରିବେଶ ପ୍ରଦାନ କରିବାକୁ ସେ ରାଜ୍ୟଗୁଡ଼ିକୁ ଉତ୍ସାହିତ କରିଥିଲେ । ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ନୀତି, କାର୍ଯ୍ୟକ୍ରମ ଏବଂ ପ୍ରକ୍ରିୟାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ‘ନିବେଶ ଅନୁକୂଳ ଚାର୍ଟର’ ପ୍ରସ୍ତୁତ କରିବାକୁ ସେ ନୀତି ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି । ପୁଞ୍ଜି ନିବେଶ ଆକୃଷ୍ଟ କରିବା ପାଇଁ ସେମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ମାନଦଣ୍ଡର ଉପଲବ୍ଧି ଉପରେ ରାଜ୍ୟମାନଙ୍କୁ ତଦାରଖ କରାଯାଇପାରିବ । କେବଳ ପ୍ରୋତ୍ସାହନ ପରିବର୍ତ୍ତେ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଆଇନ ଶୃଙ୍ଖଳା, ସୁଶାସନ ଏବଂ ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଜଳ ସମ୍ପଦର ଫଳପ୍ରଦ ଉପଯୋଗ ପାଇଁ ରାଜ୍ୟସ୍ତରରେ ଗ୍ରୀଡ୍ ନିର୍ମାଣକୁ ପ୍ରଧାନମନ୍ତ୍ରୀ ଉତ୍ସାହିତ କରିଥିଲେ । ସେ ପରାମର୍ଶ ଦେଇଥିଲେ ଯେ, ଆମେ ଏକ ବିକଶିତ ଭାରତ ପାଇଁ ପ୍ରାଥମିକତା ଭାବରେ ଶୂନ୍ୟ ଦାରିଦ୍ର୍ୟକୁ ଲକ୍ଷ୍ୟ କରିବା ଉଚିତ୍ । କେବଳ କାର୍ଯ୍ୟକ୍ରମ ସ୍ତରରେ ନୁହେଁ ବରଂ ବ୍ୟକ୍ତିଗତ ଭିତ୍ତିରେ ଦାରିଦ୍ର୍ୟ ମୁକାବିଲା କରିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ତୃଣମୂଳ ସ୍ତରରୁ ଦାରିଦ୍ର୍ୟ ହଟାଇବା ଦ୍ୱାରା ଆମ ଦେଶରେ ପରିବର୍ତ୍ତନମୂଳକ ପ୍ରଭାବ ପଡ଼ିବ ବୋଲି ସେ କହିଥିଲେ । କୃଷିକ୍ଷେତ୍ରରେ ଉତ୍ପାଦକତା ଓ ବିବିଧତା ବୃଦ୍ଧି କରିବା ଏବଂ କୃଷକମାନଙ୍କୁ ବଜାର ସଂଯୋଗ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟକୁ ଉତ୍ସାହିତ କରିଥିଲେ । ଜୈବିକ କୃଷି ପଦ୍ଧତିକୁ ଆପଣାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଯାହା ମାଟିର ଉର୍ବରତାରେ ଉନ୍ନତି ଆଣିପାରିବ, କମ୍ ଖର୍ଚ୍ଚ ହେତୁ କୃଷକମାନଙ୍କୁ ଉତ୍ତମ ଓ ଶୀଘ୍ର ଲାଭ ସୁନିଶ୍ଚିତ କରିପାରିବ ଏବଂ ଉତ୍ପାଦ ପାଇଁ ଏକ ବିଶ୍ୱସ୍ତରୀୟ ବଜାର ମଧ୍ୟ ପ୍ରଦାନ କରିପାରିବ । ପ୍ରଧାନମନ୍ତ୍ରୀ ଭବିଷ୍ୟତରେ ଜନସଂଖ୍ୟା ବୃଦ୍ଧି ସମସ୍ୟାର ସମାଧାନ ପାଇଁ ଜନସଂଖ୍ୟା ପରିଚାଳନା ଯୋଜନା ଆରମ୍ଭ କରିବାକୁ ରାଜ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ସ୍ତରରେ ସରକାରୀ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କୁ କହିଥିଲେ ଏବଂ ଏଥିପାଇଁ ଦକ୍ଷତା ବିକାଶ ଆୟୋଗ ସହ ସହଯୋଗ କରିବାକୁ ସେମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟମନ୍ତ୍ରୀ/ଉପରାଜ୍ୟପାଳମାନେ ୨୦୪୭ ମସିହାରେ ବିକଶିତ ଭାରତର ପରିକଳ୍ପନା ପାଇଁ ବିଭିନ୍ନ ପରାମର୍ଶ ଦେବା ସହ ନିଜ ରାଜ୍ୟରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । କୃଷି, ଶିକ୍ଷା ଓ ଦକ୍ଷତା ବିକାଶ, ଉଦ୍ୟୋଗ, ପାନୀୟ ଜଳ, ଅନୁପାଳନ ହ୍ରାସ, ପ୍ରଶାସନ, ଡିଜିଟାଲକରଣ, ମହିଳା ସଶକ୍ତୀକରଣ, ସାଇବର ନିରାପତ୍ତା ଇତ୍ୟାଦି କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଓ ସର୍ବୋତ୍ତମ ଅଭ୍ୟାସ ଉପରେ ଆଲୋକପାତ କରାଯାଇଥିଲା । ୨୦୪୭ ପାଇଁ ଏକ ରାଜ୍ୟ ସଂକଳ୍ପ ପ୍ରସ୍ତୁତ କରିବା ପାଇଁ ଅନେକ ରାଜ୍ୟ ମଧ୍ୟ ସେମାନଙ୍କର ପ୍ରୟାସ ବିଷୟରେ ସୂଚନା ଦେଇଥିଲେ । ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପରାମର୍ଶକୁ ଅଧ୍ୟୟନ କରିବାକୁ ପ୍ରଧାନମନ୍ତ୍ରୀ ନୀତି ଆୟୋଗକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅଂଶଗ୍ରହଣ କରି ନିଜର ମତାମତ ଓ ଅଭିଜ୍ଞତା ବିନିମୟ କରିବା ପାଇଁ ସେ ସମସ୍ତ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଶକ୍ତି ମାଧ୍ୟମରେ ବିକଶିତ ଭାରତ -୨୦୪୭ର ସ୍ୱପ୍ନକୁ ସାକାର କରିବା ଦିଗରେ ଭାରତ ଅଗ୍ରଗତି କରୁଛି ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.