ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୭ ସ୍ଥିତ ମୁକବଧିର ବିଦ୍ୟାଳୟ ଠାରେ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା କଳ୍ପନା ମହନ୍ତଙ୍କ ସଭାପତିତ୍ୱ ଓ ବିଦ୍ୟାଳୟର ପ୍ରଶାସକ ସମାଜସେବୀ ସରୋଜ କୁମାର ମହାନ୍ତିଙ୍କ ଆବାହକତ୍ଵ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କଟକର ଦନ୍ତ ଚିକିତ୍ସକ ଡାକ୍ତର ଐଶ୍ୱର୍ଯ୍ୟା ମହାନ୍ତି ଓ କ୍ଲିନ୍ ଆଣ୍ଡ ଗ୍ରୀନ୍ର ସମ୍ପାଦକ ପ୍ରଦୀପ କୁମାର ଦାସ ଯୋଗଦେଇ ବିଦ୍ୟାଳୟର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ କାରଗିଲ ଯୁଦ୍ଧ ଓ ସେଥିରେ ଭାରତୀୟ ସୈନ୍ୟଙ୍କ ବିଜୟ କିପରି ଭାରତକୁ ଗରିମା ମୟ କରିଥିଲା, ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନୋଜ କୁମାର ନାୟକ, ବୀଣାପାଣି ପଟ୍ଟନାୟକ, ଅନିତା ମହାନ୍ତି, ନମିତା ପଟ୍ଟନାୟକ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ବନାନୀ ମୁଖାର୍ଜୀ, ସନ୍ଧ୍ୟାରାଣୀ ପଟ୍ଟନାୟକ, ଶୟନୀ ପଟ୍ଟନାୟକ, ଶୁଭେନ୍ଦୁ ପଟ୍ଟନାୟକ, ସୁନିତା ପଣ୍ଡା, ଲକ୍ଷ୍ମୀକାନ୍ତ ନାୟକ, କୀର୍ତ୍ତି ସ୍ୱାଇଁ, ଅଭିପ୍ସା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରାରମ୍ଭରେ କାରଗିଲ ଯୁଦ୍ଧରେ ସହିଦ୍ଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସୁଷମ ଖାଦ୍ୟ ବଣ୍ଟନ କରାଯାଇଥିଲା । ଶିକ୍ଷୟିତ୍ରୀ ରାଜଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।