ସୁକତେଲ ଡ୍ୟାମ୍‌ରେ ବଢ଼ିବାରେ ଲାଗିଛି ଜଳସ୍ତର

  • ଖଗସାବାହାଲ ଗାଁ ମୁଣ୍ଡରେ ପଛୁଆ ପାଣି
  • ବିଚ୍ଛିନ୍ନ ହେଲା ଖଗସାବାହାଲ – ବଡ଼ ତେଲେନପାଲି ରାସ୍ତା
  • ଏପର୍ଯ୍ୟନ୍ତ ବଡ଼ ତେଲେନପାଲି ଗାଁରେ ରହୁଛନ୍ତି ୭ ପରିବାର

ଚୁଡ଼ାପାଲି, (କେପିଏନ୍‌ଏସ୍‌) : ଗତ କିଛିଦିନ ଧରି ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ସୁକତେଲ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ସୁକତେଲ ଡ୍ୟାମ୍‌ରେ ଜଳ ପତ୍ତନ ବଢ଼ିବାରେ ଲାଗିଛି । ଏହାରି ପ୍ରଭାବରେ ନଦୀ କୂଳରେ ପୂର୍ବରୁ ବସିଥିବା ପରଧିଆପାଲି, କଇଣ୍ଡା ପାଲି, ଖଗସାବାହାଲ, ଡୁଙ୍ଗୁରିପାଲି, ବଡ୍‌ତେଲେନପାଲି ଆଦି ଗ୍ରାମକୁ ପାଣି ପ୍ରବେଶ କରିଛି । ଡ୍ୟାମ୍‌ ଠାରୁ ଦୁଇ କିମି ପର୍ଯ୍ୟନ୍ତ ନଦୀ ତଥା ଆଖପାଖ ଅଞ୍ଚଳକୁ ପାଣି ମାଡ଼ିଛି । ଯଦିଓ ଡ୍ୟାମ୍‌ର ଦୁଇଟି ସୁଇସ ଗେଟ୍ ମଧ୍ୟରେ ପାଣି ନିଷ୍କାସନ ହେଉଛି, ତଥାପି ଉପର ମୁଣ୍ଡରୁ ପାଣି ଆସୁଥିବା ଯୋଗୁଁ କ୍ରମେ ଜଳସ୍ତର ବଢ଼ିବାରେ ଲାଗିଛି । ଏଥିଯୋଗୁଁ ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ବିଛିନ୍ନ ହୋଇଯାଇଛି । ଏବେ ପ୍ରାୟତଃ ବୁଡ଼ି ଅଞ୍ଚଳର ସମସ୍ତ ଗ୍ରାମରୁ ଲୋକେ ଅନ୍ୟତ୍ର ବିସ୍ଥାପିତ ହୋଇସାରିଥିବା ବେଳେ ଖୁଣ୍ଟ ପାଲି ଓ ବଡ଼ତେଲେନପାଲି ଗ୍ରାମରେ କିଛି ପରିବାର ବିଭିନ୍ନ ସମସ୍ୟା ଦର୍ଶାଇ ଏପର୍ଯ୍ୟନ୍ତ ଭଙ୍ଗା ଘରେ ପଡ଼ିରହିଛନ୍ତି । ଏମାନଙ୍କ କାହାର ଜମି, ଗଛକୁ ନେଇ ଉଚିତ୍ କ୍ଷତିପୂରଣ ପାଇନଥିବା ବେଳେ ଅନ୍ୟ କେହି ଘର ପାଇଁ ଜାଗା ପାଇନଥିବା ଅଭିଯୋଗ କରୁଛନ୍ତି । ଗ୍ରାମର ବିଜୁଳି ସଂଯୋଗ ଦୀର୍ଘ ବର୍ଷେ ହେଲା ବିଛିନ୍ନ ହୋଇଯାଇଛି । ଅନ୍ଧାରରେ ଜୀବନ ବଞ୍ଚୁଥିବା ମଣିଷ ଏବେ ଆହୁରି ଅସହାୟତା ପ୍ରକାଶ କରୁଛି । କାରଣ ପାଣି ବଢ଼ିବାରେ ଲାଗିଛି । ପାଣି ଭୟରେ ଏବେ ସେମାନେ କେଉଁଠିକୁ ଯିବେ, କଣ କରିବେ ଚିନ୍ତା କରି ପାରୁନଥିବା କହୁଛନ୍ତି । ପ୍ରଶାସନ ଏହାରି ଉପରେ ଗୁରୁତ୍ୱ ଦେଇ ସମସ୍ୟାର ସମାଧାନ ପାଇଁ ଦାବି କରୁଛନ୍ତି । ଆକଳନ ଅନୁସାରେ ଗତବର୍ଷ ଠିକ୍ ଏହି ସମୟରେ ଏତିକି ପାଣି ମାଡିଥିଲା । ଏବର୍ଷ ମଧ୍ୟ ସେୟା ଅବସ୍ଥା ରହିଛି । ଆଗକୁ ବଡ଼ ବର୍ଷା ହେଲେ ଗତ ବର୍ଷ ତୁଳନାରେ ଅଧିକ ଅଞ୍ଚଳ ଜଳମଗ୍ନ ହେବାର ଜଣାପଡୁଛି ।

Leave A Reply

Your email address will not be published.