ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କିଡନୀ ଆକ୍ରାନ୍ତ ଦୁଆରୁ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଂଗୀର ଜିଲା ଲୋଇସିଂହା ବ୍ଲକ କୁଶମେଲ ପଞ୍ଚାୟତ ଅଧିନ ଘୁଙ୍ଗି ଗ୍ରାମର ଦୁଆରୁ ବିଶ୍ୱାଳ ବୟସ ମାତ୍ର ୪୭ । ଗତ ୨୦୧୯ ମସିହାରେ ହଠାତ ତାଙ୍କ ଦେହ ବାରମ୍ବାର ଅସୁସ୍ଥ ହେବା ଯୋଗୁଁ ବଲାଂଗୀର ଭୀମଭୋଇ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ବିଭିନ୍ନ ପରୀକ୍ଷା ନିରୀକ୍ଷାରୁ ତାଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇଥିବା ସେ ଜାଣିବାକୁ ପାଇଥିଲେ । ଅଧିକ ଚିକିତ୍ସା ପାଇଁ ବଲାଂଗୀରରୁ ବୁର୍ଲା ମେଡିକାଲ ପର୍ୟ୍ୟନ୍ତ ଯିବା ଆସିବା କରି ସର୍ବସ୍ୱାନ୍ତ ହରାଇଥିବା ଦୁଆରୁ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ତାଙ୍କ ନିକଟରେ ବିଜୁ କୃଷକ କଲ୍ୟାଣ ଯୋଜନାର କାର୍ଡ ଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳିନଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କୁ ଅନ୍ନପୂର୍ଣା କିମ୍ବା ଅନ୍ତ୍ୟଦୟ ଯୋଜନାରେ ମଧ୍ୟ ସାମିଲ କରାଯାଇ ନଥିବା ଜଣାଯାଇଛି । ଦୁଆରୁଙ୍କ ଦୁଇ ଝିଅଙ୍କ ବାହାଘର ହୋଇ ସାରିଥିବା ବେଳେ ଦୁଇ ପୁଅଙ୍କ ମଧ୍ୟରୁ ଜଣେ କଲେଜ ପଢୁଆ ତଥା ଆଉ ଜଣେ ଶ୍ରମଜୀବୀ । ସମ୍ପ୍ରତି ଅତି ଦୟନୀୟ ଅବସ୍ଥାରେ ଭୂମିହୀନ ଦୁଆରୁଙ୍କ ପରିବାର କାଳାତିପାତ କରୁଥିବା ଜଣାଯାଇଛି । ସ୍ଥାନୀୟ ସାମାଜିକ କର୍ମୀ ବ୍ୟାସଦେବ ଥନାପତିଙ୍କ ସହାୟତାରେ ଅଧିକ ଚିକିତ୍ସା ପାଇଁ ସହାୟତା ନିମନ୍ତେ ଗୁରୁବାର ସେ ବଲାଂଗୀର ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି ।

Leave A Reply

Your email address will not be published.