shyamal

ଯମୁନା ଗ୍ରାମର ସ୍କୁଲରେ ଶିକ୍ଷକ ସମସ୍ୟା ନେଇ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଦାବିପତ୍ର ପ୍ରଦାନ

  • ଜଣେ ଶିକ୍ଷକରେ ଚାଲିଛି ୮ଟି ଶ୍ରେଣୀ
  • ସ୍କୁଲ ପରିଚାଳନା କମିଟିର ଦାବିପତ୍ର ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୮ଟି ଶ୍ରେଣୀ ଜଣେ ମାତ୍ର ଶିକ୍ଷକରେ ଚାଲିଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟର ଶିକ୍ଷକ ସମସ୍ୟାକୁ ନେଇ ସ୍କୁଲ ପରିଚାଳନା କମିଟି ପକ୍ଷରୁ କଣ୍ଟାବାଞ୍ଜିର ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ସମାଧାନ ଦାବି କରାଯାଇଛି । ସ୍କୁଲ ପରିଚାଳନା କମିଟିର ଅଭିଯୋଗ ମୁତାବକ ଦୀର୍ଘ ବର୍ଷ ପୁରୁଣା ଏହି ସ୍କୁଲରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ମୋଟ ୭୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ପୁର୍ବରୁ ମାତ୍ର ୨ଜଣ ଶିକ୍ଷକରେ ଚାଲିଥିବା ଏହି ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦୟାସାଗର ଝାଙ୍କରଙ୍କ ଗତ ଏପ୍ରିଲ ୦୨ତାରିଖ ଦିନ ଆକସ୍ମିକ ବିୟୋଗ ଘଟିବାରୁ ସେହି ଦିନଠାରୁ ଜଣେ ମାତ୍ର ଶିକ୍ଷକରେ ସ୍କୁଲ ଚାଲିଥିବା ଅଭିଯୋଗ ହୋଇଛି । ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାଘାତ ହେବା ସହ ଜଣେ ଶିକ୍ଷକ ଅଫିସ କିମ୍ବା ଟ୍ରେନିଂ ଗଲେ ସ୍କୁଲ ଛୁଟି ରହୁଛି । ଏଣୁ ଶୀଘ୍ର ସ୍କୁଲରେ ଶିକ୍ଷକ ନିଯୁକ୍ତି ଦେବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି । ଯମୁନା ସ୍କୁଲ ପରିଚାଳନା କମିଟି ସଭାପତି ହରେକୃଷ୍ଣ ସାହୁଙ୍କ ସହ ସଂଯୁକ୍ତା କର୍ଣ୍ଣ, ରାଜେଶ୍ୱରୀ ଥନାପତି, ଅଞ୍ଜଳି ଥନାପତି, ସୁପ୍ରିୟା ମହାକୁର, ସାରଥୀ ମାଝୀ, ଲଳିତ ଦୀପ, ସଚିଦାନନ୍ଦ ମହାକୁର, ପଦ୍ମଚରଣ ସାହୁ, ଗୌରୀ ସାହୁ, ହେମଲତା ସାହୁଙ୍କ ବହୁ ଅଭିଭାବକ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ । ଦାବିପତ୍ର ଗ୍ରହଣ କରି ବିଧାୟକ ଶ୍ରୀ ବାଗ ମୁଁ ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ଶିକ୍ଷକ ନିଯୁକ୍ତି ବିଷୟରେ ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କୁ ପଚାରିବାରୁ ବ୍ଲକର ବହୁ ସ୍କୁଲରେ ଶିକ୍ଷକ ପଦବୀ ଖାଲିପଡ଼ିଛି, ଯମୁନା ସ୍କୁଲ ସମସ୍ୟା ସମ୍ପର୍କରେ ଅବଗତ ଅଛି, ପୁର୍ବରୁ ଜଣଙ୍କୁ ଥରେ ଡେପୁଟେସନ୍‌ରେ ପଠାଯାଇଥିଲା, ଏବେ ଜଣେ ସ୍ଵେଚ୍ଛାସେବୀଙ୍କୁ ସାମୟିକ ନିଯୁକ୍ତି ଦିଆଯାଇଛି, ନୂଆଁ ନିଯୁକ୍ତି ହେଲେ ଯମୁନା ସହ ଅନ୍ୟ ସ୍କୁଲଗୁଡିକର ଶିକ୍ଷକ ସମସ୍ୟା ଦୂର ହୋଇପାରିବ ବୋଲି ପ୍ରକାଶ କରିଛନ୍ତି । ବିଧାୟକ ଶ୍ରୀ ବାଗ ଯମୁନା ସ୍କୁଲର ଶିକ୍ଷକ ସମସ୍ୟା ସମ୍ପର୍କରେ ଶୀଘ୍ର ପଦକ୍ଷେପ ନେବେ ବୋଲି ଗ୍ରାମବାସୀ ଆଶା ପୋଷଣ କରିଛନ୍ତି ।

purusottam
Leave A Reply

Your email address will not be published.