ବ୍ଲୁଇକୋନୋମି ଆତ୍ମନିର୍ଭର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହେବ : ପ୍ରଧାନମନ୍ତ୍ରୀ

● ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ ଏବଂ କଠିନ ପରିଶ୍ରମୀ ମତ୍ସ୍ୟଜୀବୀଙ୍କ କଲ୍ୟାଣ ସରକାରଙ୍କ ପ୍ରାଥମିକତା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ ଏବଂ କଠିନ ପରିଶ୍ରମୀ ମତ୍ସ୍ୟଜୀବୀ ମାନଙ୍କର କଲ୍ୟାଣ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା । ବ୍ଲୁଇକୋନୋମି ଦିଗରେ ପରିବର୍ତ୍ତନ, ଉପକୂଳବର୍ତ୍ତୀ ଭିତ୍ତିଭୂମିରେ ସୁଧାର ତଥା ସାମୁଦ୍ରିକ ପରିବେଶକୁ ସଂରକ୍ଷିତ ରଖିବା ନିମନ୍ତେ ଉପକୂଳବର୍ତ୍ତୀ କ୍ଷେତ୍ରର ବିକାଶ ନିମନ୍ତେ ବହୁମୁଖୀ ଯୋଜନା ଉପରେ ସେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ରାଷ୍ଟ୍ରକୁ ସମର୍ପିତ କରିବା ପରେ ଆୟୋଜିତ ସମାରୋହକୁ ସମ୍ବୋଧିତ କରି ଏହା କହିଥିଲେ ।

ପ୍ରଧାନମନ୍ତ୍ରୀ ଉପକୂଳବର୍ତ୍ତୀ ରାଜ୍ୟ କେରଳ ଏବଂ କର୍ଣ୍ଣାଟକ ବିଷୟରେ ଆଲୋଚନା କରି ବିସ୍ତୃତ ଭାବେ ଦ୍ରୁତ ଏବଂ ସନ୍ତୁଳିତ ଉପକୂଳ କ୍ଷେତ୍ର ବିକାଶ ଲାଗି ନିଜର ସଂକଳ୍ପ ବିଷୟରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ କର୍ଣ୍ଣାଟକ, କେରଳ ଏବଂ ଅନ୍ୟ ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡ଼ିକ ଭଳି ଉପକୂଳବର୍ତ୍ତୀ ରାଜ୍ୟରେ ବ୍ଲୁଇକୋନୋମିର ବିକାଶ ଲାଗି ବ୍ୟାପକ ସ୍ତରରେ ଯୋଜନା କାର୍ୟ୍ୟକାରୀ କରାଯାଉଛି । ସେ କହିଥିଲେ ଯେ ଏହି ଅର୍ଥ ବ୍ୟବସ୍ଥା ଆତ୍ମନିର୍ଭର ଭାରତର ମହତ୍ୱପୂର୍ଣ୍ଣ ଉତ୍ସ ହେବ ।ବନ୍ଦର ଏବଂ ଉପକୂଳବର୍ତ୍ତୀ ସଡ଼କକୁ ସଂଯୋଗ କରାଯାଉଛି । ବହୁମୁଖୀ ଯୋଗାଯୋଗ ବ୍ୟବସ୍ଥା ଉପରେ ଏଥିରେ ଗୁରୁତ୍ୱାରୋପ କରାଯାଉଛି । ସେ କହିଥିଲେ ଯେ ଆମେ ଆମର ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ଜୀବନଧାରଣରେ ସୁଧାର ଆଣିବା ଏବଂ ସେଗୁଡ଼ିକୁ ବ୍ୟବସାୟିକ ସୁଗମତାର ରୋଲ ମଡେଲରେ ପରିବର୍ତ୍ତିତ କରିବା ଉଦ୍ଦେଶ୍ୟରେ କାମ କରୁଛୁ ।
ପ୍ରଧାନମନ୍ତ୍ରୀ ଉପକୂଳବର୍ତ୍ତୀ କ୍ଷେତ୍ରର ମତ୍ସ୍ୟଜୀବୀ ସମୁଦାୟଙ୍କ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ, ଯେଉଁମାନେ କେବଳ ସାମୁଦ୍ରିକ ସମ୍ପଦ ଉପରେନିର୍ଭରଶୀଳ ନୁହନ୍ତି ବରଂ ଏହାର ରକ୍ଷକ ମଧ୍ୟ ଅଟନ୍ତି ।ସରକାର ଉପକୂଳବର୍ତ୍ତୀ ଇକୋସିଷ୍ଟମର ସଂରକ୍ଷଣ ଏବଂ ସମୃଦ୍ଧି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ଗଭୀର ସମୁଦ୍ରରେ ମାଛ ମାରୁଥିବା ମତ୍ସ୍ୟଜୀବୀଙ୍କ ସହାୟତା, ଭିନ୍ନ ମତ୍ସ୍ୟପାଳନ ବିଭାଗ, ଶସ୍ତାରେ ଋଣ ପ୍ରଦାନ କରିବା ଏବଂ ମତ୍ସ୍ୟଚାଷରେ ନିୟୋଜିତ ଲୋକମାନଙ୍କୁ କିଷାନ କ୍ରେଡିଟ କାର୍ଡ ଦେବା ଆଦି ସାମିଲ ରହିଛି ।ଏହା ଦ୍ୱାରା ଉଦ୍ୟମୀ ଏବଂ ସାଧାରଣ ମତ୍ସ୍ୟଜୀବୀମାନେ ଉପକୃତ ହୋଇପାରୁଛନ୍ତି ।

ପ୍ରଧାନମନ୍ତ୍ରୀ ନିକଟରେ ଆରମ୍ଭ କରାଯାଇଥିବା ୨୦ ହଜାର କୋଟି ଟଙ୍କାର ମତ୍ସ୍ୟ ସମ୍ପଦା ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଏହି ଯୋଜନା ଫଳରେ କେରଳ ଓ କର୍ଣ୍ଣାଟକରେ ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ସିଧାସଳଖ ଲାଭବାନ ହୋଇପାରିବେ ।ମତ୍ସ୍ୟ ଉତ୍ପାଦ ରପ୍ତାନି କ୍ଷେତ୍ରରେ ଭାରତ ଦ୍ରୁତଗତିରେ ପ୍ରଗତି ହାସଲ କରୁଛି ।ଭାରତକୁ ଗୁଣବତ୍ତାସମ୍ପନ୍ନ ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ପ୍ରକ୍ରିୟାକରଣ କେନ୍ଦ୍ରରେ ପରିଣତ କରିବା ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ।ଭାରତ ସାମୁଦ୍ରିକ ଶୈବାଳର ବୃଦ୍ଧି ପାଉଥିବା ଚାହିଦା ପୂରଣ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିପାରିବ, କାରଣ କୃଷକମାନଙ୍କୁ ସାମୁଦ୍ରିକ ଶୈବାଳ ଲଗାଇବା ଲାଗି ପ୍ରୋତ୍ସାହିତ କରାଯାଉଛି ।

Leave A Reply

Your email address will not be published.