ରାଜ୍ୟ ସରକାରଙ୍କ ଉପରେ ବର୍ଷିବେ ବିଜେପି ରାଜ୍ୟ ମୁଖପାତ୍ର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ

ରାଉରକେଲା, (ସନ୍ତୋଷ କୁମାର ପ୍ରଧାନ) : ଆଜି ସ୍ଥାନୀୟ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ପରିସରରେ ଥିବା ହୋଟେଲ ମେ’ ଫେୟାର ଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଆଜିର ମୁଖ୍ୟ ଆକର୍ଷଣ ଥିଲେ ରାଜ୍ୟ ମୁଖପାତ୍ର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଲେ ଯେ, ବିଜେଡି ସରକାରର ବ୍ୟାପକ ଦୁର୍ନୀତି ଏବଂ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ବୟବସ୍ଥାକୁ ଶେଷ କରିବୁ, ସମୃଦ୍ଧ କୃଷକ ନୀତି ଆରମ୍ଭ, ସୁଭଦ୍ରା ଯୋଜନା ଆରମ୍ଭ କରି ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ନଗଦ ରାଶି ପ୍ରଦାନ, ରାଜ୍ୟ ବାହାରେ ଥିବା ଓଡିଆଙ୍କ କଲ୍ୟାଣ ପାଇଁ ସମସ୍ତ ମେଟ୍ରୋ ସହରରେ ଓଡିଆ ସମୁଦାୟ ଭବନ ପ୍ରତିଷ୍ଠା, ୨୦୨୭ ସୁଦ୍ଧା ଓଡିଶାରେ ୨୫ଲକ୍ଷ, ଲକ୍ଷପତି ଦିଦି ସୃଷ୍ଟି, ୫୦୦ ଏସ୍‌ଏଚ୍‌ଜି ଗୋଷ୍ଠୀର ଉତ୍ପାଦିତ ସାମଗ୍ରୀ ବିପଣନ ବ୍ୟବସ୍ଥା ତଥା ପ୍ରୋତ୍ସାହନ ପ୍ରଦାନ, ପ୍ରତ୍ୟେକ ମତ୍ସ୍ୟଜୀବୀଙ୍କୁ ଅଣଉତ୍ପାଦନ ବେଳେ ୧୦ ହଜାର ଟଙ୍କାର ସହାୟତା, ମତ୍ସ୍ୟଜୀବୀ ବନ୍ଦରର ନବୀକରଣ, ଶୀତଳ ଭଣ୍ଡାର ସ୍ଥାପନ, ମତ୍ସ୍ୟ ଚାଷ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ କରି ବୈପ୍ଳବିକ ପରିବର୍ତ୍ତନ ଆଣିବୁ, ବିଶ୍ୱସ୍ତରୀୟ ରାସ୍ତା ସଂଯୋଗୀ କରଣରେ ୭୫ ହଜାର କିମି ବ୍ୟାପି ଗ୍ରାମ୍ୟ ଓ ଜାତୀୟ ରାଜପଥ ନିର୍ମାଣ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ତଥା ଜିଲ୍ଲା ସଦର ପରିକ୍ରମାକୁ ରାଜୟ ରାଜଧାନୀ ସହ ଯୋଡିବୁ, ଓଡିଶାର ଅର୍ଥନୀତିକୁ ଶ୍ରେଷ୍ଠ ଅର୍ଥନୀତିରେ ପରିଣତ, ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାର ଲୋକଙ୍କୁ ନିଯୁକ୍ତି, ଓଡିଆରେ ଆଇନ୍‌, ମେଡିକାଲ୍‌ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମର ପ୍ରଚଳନ, ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା ପଦପଦବୀ ସ୍ୱଚ୍ଛ ଓ ନିୟମାନୁସାରେ ପୂରଣ, ପ୍ରଥମ ୨ ବର୍ଷରେ ୬୫ ହଜାର ପଦବୀ ପୂରଣ ସହ ଓବିସି ଓ ଇଡବ୍ଲ୍ୟୁଏସ୍‌ ବର୍ଗଙ୍କୁ ଅଗ୍ରାଧିକାର ପ୍ରଦାନ, କେନ୍ଦୁପତ୍ର ତୋଳାଳୀ କଲ୍ୟାଣ ଯୋଜନା ଆରମ୍ଭ, ପିଏମ୍‌ ଆବାସ ଯୋଜନାରେ ୧୫ ଲକ୍ଷ ଘର ବାସହୀନଙ୍କୁ ପ୍ରଦାନ, ଜଳ ଜୀବନ ମିଶନ କାର୍ଯ୍ୟକାରୀ ସହ ୨୬ ଲକ୍ଷ ଘରକୁ ଜଳ ଯୋଗାଣ, ସରକାରଙ୍କ କୁପରିଚାଳନାରୁ ପୁରୀ ମନ୍ଦିରରେ ହିନ୍ଦୁ ଭକ୍ତଙ୍କ ପ୍ରତି ହେଉଥିବା ଅନ୍ୟାକୁ ବନ୍ଦ କରିବାକୁ ଉଦ୍ୟମ କରିବ, ବୁଣାକାରଙ୍କ ଜୀବିକାକୁ ଉନ୍ନତ କରାଯିବ ଓ ରାଜ୍ୟରେ ବୟନ ଶିଳ୍ପକୁ ପ୍ରୋତ୍ସାହନ ଦିଆଯିବ, ଅଣସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କୁ ୫ ଲକ୍ଷର ବୀମା, କେନ୍ଦ୍ର ସରକାରଙ୍କ ଇ-ଶ୍ରମ ଅଧିନରେ ସେମାନଙ୍କ ପଞ୍ଜିକରଣ କରିବା, ବିଜେପି କ୍ଷମତାକୁ ଆସିଲେ ୧୦୦ ଦିନରେ ସବୁଠାରୁ ସ୍ୱାସ୍ଥ୍ୟବୀମା ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ, ବାର୍ଷିକ ୮ ଲକ୍ଷରୁ କମ୍‌ ରୋଜଗାର ଥିବା ନାଗରିକଙ୍କୁ ଏହି ସୁବିଧା ପ୍ରଦାନ, ବିଦ୍ୟାଳୟରେ ଡ୍ରପ୍‌ ଆଉଟକୁ ରୋକି ପ୍ରତ୍ୟେକ ଜନଜାତି ଛାତ୍ରଛାତ୍ରୀଙ୍କୁ ଶହୀଦ ମଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ବାର୍ଷିକ ୫ ହଜାରର ସହାୟତା ପ୍ରଦାନ, ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ବୟସ୍କ, ଦିବ୍ୟାଙ୍ଗ, ବିଧବା, ନିରାଶ୍ରୟଙ୍କୁ ୩ ହଜାର ଟଙ୍କା ମାସିକ ପେନ୍‌ସନ୍‌ ବ୍ୟବସ୍ଥା, ୮୦ ପ୍ରତିଶତ ଅକ୍ଷମ ଦିବ୍ୟାଙ୍ଗୁ ୩ ହଜାର ୫୦୦ ଟଙ୍କା ପେନ୍‌ସନ୍‌ ପ୍ରଦାନ, ମିଶନ ସ୍ୱାସ୍ଥ୍ୟ ଓଡିଶା ଯୋଜନାରେ ୩୬ ହଜାର ନୂତନ ଶଯ୍ୟା ବ୍ୟବସ୍ଥା, ପ୍ରତି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦୨୭ ସୁଦ୍ଧା ଆଇସିୟୁ, ଡାୟାଲେସିସ୍‌ ଓ ଅପ୍‌ରେସନ୍‌ ଥିଟଏଟର୍‌ ଯୋଗାଇ ଦେବା, ୧୦୦ ଗୋଷ୍ଠୀ ସ୍ୱାସ୍ଥୟ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାକୁ ଉନ୍ନୀତ କରିବୁ, ପ୍ରତି ଜିଲ୍ଲାରେ ନର୍ସିଂ କଲେଜ ଓ ମେଡିକାଲ୍‌ କଲେଜ ଏବଂ ସୁପର ସ୍ପେସିଆଲିଟି ହସ୍‌ପିଟାଲ୍‌ ପ୍ରତିଷ୍ଠା, ପର୍ଯ୍ୟଟକଙ୍କ ଆଗମନ ଦୃଷ୍ଟିରୁ ଓଡିଶାକୁ ତୃତୀୟ ସର୍ବାଧିକ ପର୍ଯ୍ୟଟକ ତାଲିକାଭୁକ୍ତ ଦ୍ୱାରା ଅର୍ଥନୀତି ଓ ନିଯୁକ୍ତିର ସୁଯୋଗ ସୃଷ୍ଟି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଓଡିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମାଗଣାରେ ବିଜୁଳି ଯୋଗାଇଦେବୁ । ୨୫ବର୍ଷର ବିଜେଡି ଶାସନରେ କୃଷକ, ମହିଳା, ରୋଜଗାର, ଆଇନ ଶୃଙ୍ଖଳା, ସଂସ୍କୃତି ଓ ଗୌରବ କ୍ଷେତ୍ରରେ ଓଡିଶାର ମାନଚିତ୍ର ନିମ୍ନଗାମୀ । ଅପାରଗ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏହି ଚାର୍ଜସିଟ୍‌ ଲୋକାର୍ପଣ କରିିଛି ବିଜେପି । ଏହି ଚାର୍ଜସିଟ୍‌ରେ ବିଜେଡି ସରକାରକୁ ତୀବ୍ର ସମାଲୋଚନା କରାଯାଇଛି । ପଂଚାୟତଠୁ ସଚିବାଳୟ ଯାଏଁ ବିଭିନ୍ନ ଦୁର୍ନୀତିକୁ ନେଇ ଏହି ଚାର୍ଜସିଟ୍‌ ଜାରି କରାଯାଇଛି । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳକୁ ଗୁରୁତ୍ୱ ଦିଆଯାଇଛି । ସେହିପରି ଚିଟଫଣ୍ଡ ଦୁର୍ନୀତି ଓ ମହିଳା ବିରୋଧୀ ହିଂସାକୁ ନେଇ ବିଜେପି ଶାସକ ବିଜୁ ଜନତା ଦଳକୁ ୨୫ ପ୍ରଶ୍ନ କରିଛି । ୩୫ ପ୍ରତିଶତ ଚାଷ ଜମିକୁ ଜଳସେଚନ ପ୍ରତିଶ୍ରୁତି ପୂରଣରେ ବିଫଳ, ରାଜ୍ୟର ୩୧୪ ବ୍ଲକରେ ଶୀତଳଭଣ୍ଡାର ନଖୋଲିବା, କୃଷକଙ୍କ ଉନ୍ନତି ପାଇଁ ନବୀନ ବାବୁଙ୍କ କାଳିଆ ଯୋଜନାର ଲାଭ ଗରିବ କୃଷକଙ୍କ ପାଖରେ ନପହଂଚିବା, ରାଜ୍ୟ କୃଷକଙ୍କ ଆୟ ସର୍ବଭାରତୀୟ ସ୍ତରରେ ସର୍ବନିମ୍ନ । ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ ନକରିବା ଆଦି କୃଷକ ବିରୋଧୀ ନୀତିରେ ଚାଲିଛି ବିଜେଡି ସରକାର । ଏନ୍‌ସିଆର୍‌ବି ରିପୋର୍ଟ ମୁତାବକ ମହିଳା ଅପରାଧରେ ଓଡ଼ିଶା ଯଥେଷ୍ଟ ଆଗରେ, ରାଜ୍ୟରେ ଲିଙ୍ଗଗତ ସମସ୍ୟା ବୃଦ୍ଧି, ଓଡିଶାର ସଂସ୍କୃତିକୁ ଅନ୍ୟ ଦେଶମାନେ ଅନୁସରଣ କରୁଥିବା ବେଳେ ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ନବୀନ ସରକାର ବିଫଳ ହୋଇଛନ୍ତି । ସେହିପରି ଶିଶୁ ଅପହରଣ, ୨୪ ବର୍ଷ ନବୀନ ଶାସନରେ ଯୁବକଙ୍କ ପାଇଁ ଚାକିରୀ ନାହିଁ ଫଳରେ ସୁରଟ, ବାଙ୍ଗାଲୁରୁ, ମୁମ୍ବାଇରେ ଦାଦନ ଖଟିବାକୁ ଯାଉଛନ୍ତି ଓଡ଼ିଶାର ଯୁବ ସମାଜ । ଯୁବକଙ୍କ ଆକାଂକ୍ଷା ପୂରଣ କରିବାରେ ବିଜେଡି ବିଫଳ । ଉଚ୍ଚଶିକ୍ଷା ବ୍ୟବସ୍ଥା ପ୍ରହସନରେ ପରିଣତ ହୋଇଛି । ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ୪,୩୦୦ ଅଧ୍ୟାପକ ପଦ ଖାଲି ପଡିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା କାରଣରୁ ଗରୀବ ବାସହୀନ ପକ୍କା ଘର ପାଇବାରୁ ବଂଚିତ, ରାଜ୍ୟରେ ୬୧୩ ପ୍ରତିଶତ ଆତ୍ମହତ୍ୟା ହାର ବୃଦ୍ଧି, ୬୧୨୪ ଗାଁକୁ ରାସ୍ତା ନାହିଁ, ଆଦିବାସୀ ଅଂଚଳରେ ଗମନାଗମନ ପାଇଁ ରାସ୍ତା ନାହିଁ, ପାନୀୟ ଜଳ ସମସ୍ୟା, ଅପପୃଷ୍ଟି, ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ରୋକିବାରେ ବିଜେଡି ବିଫଳ । ଓଡ଼ିଶାବାସୀ ବିଜୁଳି ୟୁନିଟ୍‌ ପିଛା ୨ ଟଙ୍କା ୮୩ ପଇସା ଦେଉଛନ୍ତି ହେଲେ ତାମିଲନାଡୁରେ ୟୁନିଟ୍‌ ପିଛା ୨ ଟଙ୍କା ୫୩ ପଇସା ଦେବାକୁ ପଡୁଛି । ଓଡିଶା ବାସୀଙ୍କ ଠାରୁ ତାମିଲନାଡୁକୁ କାହିଁକି ଶସ୍ତାରେ ବିଜୁଳି ଦିଆଯାଉଛି, ତାହାର ଉତ୍ତର ନବୀନ ବାବୁ ଦେବେ କି ବୋଲି ପ୍ରଶ୍ନ କରିବା ସହିତ ଓଡ଼ିଶାରେ ଶାସନ ବ୍ୟବସ୍ଥା ଦିଗହରା ହୋଇଛି । ଗାଁ ଗାଁରେ ସଭା କରି ଲୋକଙ୍କ ପାଖରେ ଚାର୍ଜସିଟ୍‌ ପହଂଚାଇବ ବିଜେପି । ଦେଶରେ ମୋଦି ଗ୍ୟାରେଂଟିକୁ ନେଇ ଲୋକସଭା ନିର୍ବାଚନ ଲଢ଼ିବ ବିଜେପି । ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସଙ୍ଗେ ହେଉଛି । ବିଜେପି ଆଗାମୀ ନିର୍ବାଚନରେ ଡବଲ୍‌ ଇଞ୍ଜିନ୍‌ ସରକାର ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧତା ସହ ନିର୍ବାଚନ ଲଢ଼ିବ । ନବୀନ ସରକାରରେ ଓଡ଼ିଶାର ଲକ୍ଷ ଲକ୍ଷ ପରିବାର ଚିଟ୍‌ଫଣ୍ଡର ଶିକାର ହୋଇଛନ୍ତି । ସେମାନଙ୍କ ଜମା ଟଙ୍କା ଫେରାଇବାକୁ କର୍ପସ୍‌ ଫଣ୍ଡ ଗଠନ ହେଲା, କମିଶନ ବି ବସିଲା କିନ୍ତୁ ଫଳ ହେଲା ଶୂନ । ସାଧାରଣ ଲୋକଙ୍କୁ ସୁରକ୍ଷା ମିଳୁନାହିଁ, ଏଠାରେ ଗଣତନ୍ତ୍ର ନାହିଁ କି ଶାସନତନ୍ତ୍ର । ଏ ରାଜ୍ୟରେ ମନ୍ତ୍ରୀ, ବିଧାୟକ, ସାଂସଦ ଆଦି ଲୋକପ୍ରତିନିଧିଙ୍କ ସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେମାନଙ୍କ ମୂଲ୍ୟବୋଧ ନିରୂପଣ କରିପାରୁ ନାହିଁ କି ସେମାନଙ୍କ ମର୍ଯ୍ୟାଦା ରଖିପାରୁନି ବିଜେଡି । ରାଜ୍ୟରେ ଜନପ୍ରତିନିଧି ବଦଳରେ କିଛି ମୁଷ୍ଟିମେୟ ଅଫିସର ସରକାରକୁ ନିୟନ୍ତ୍ରଣ କରୁଛନ୍ତି । ଅଫିସରଙ୍କ ଆତଙ୍କରାଜରେ ନୂଆରୂପ ନେଇଛି ଓଡିଶା । ୨୪ବର୍ଷ ଶାସନରେ ନବୀନ ବାବୁ ଗାଁକୁ ସମ୍ମାନ ଦେବା ପରିବର୍ତ୍ତେ ରାଜ୍ୟର ଅସ୍ମିତାକୁ ପାଦରେ ଦଳିଛନ୍ତି । ଏବେ ସାଧାରଣ ଲୋକଙ୍କ ଅସନ୍ତୋଷ ବିସ୍ଫୋରଣ ରୂପ ନେଇଛି । ତେଣୁ ଲୋକେ ପରିବର୍ତ୍ତନ କରିବାକୁ ମନ ବଳାଇଛନ୍ତି । ଗତ ୧୦ ବର୍ଷର ମୋଦି ସରକାରରେ ଓଡିଶାକୁ ଆସିଥିବା ୧୮. ୮୭ ଲକ୍ଷ କୋଟି ଟଙ୍କାର ଆର୍ଥୀକ ଅନୁଦାନ ଓ ସହାୟତାକୁ ହରିଲୁଟ୍‌ କରାଯାଇଛି । ଗ୍ରାମାଚଂଳ ଓ ସହରାଚଂଳର ଉନ୍ନତି ପାଇଁ ଯେଉଁ ଅର୍ଥ ଆସିଛି ସେଥିରେ ପଂଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ଭ୍ରଷ୍ଟାଚାର ତାଲିକା ଲମ୍ବି ରହିଛି । ବିକାଶ ନାଁରେ ବିନାଶ, ସେବା ନାଁରେ ଶୋଷଣ କରିଛି ବିଜେଡି ସରକାର । ବିଜେଡିକୁ ପାଞ୍ଚଥର ଶାସନରେ ବସାଇଥିବା ଓଡିଶାବାସୀଙ୍କୁ କେବଳ ପ୍ରତାରଣା କରିଛି । ଗଣତନ୍ତ୍ରରେ ମାଲିକ ଜନତା । ଅପାରଗ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ପ୍ରସ୍ତୁତ ଚାର୍ଜସିଟ୍‌ ସାଢେ଼ ଚାରିକୋଟି ଓଡ଼ିଆଙ୍କ ପାଖରେ ପହଂଚାଇବା ପାଇଁ ବିଜେପି ପ୍ରୟାସ କରୁଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ, ରଘୁନାଥପାଲ୍ଲୀ ବିଧାନସଭା ପ୍ରାର୍ଥୀ ଦୁର୍ଗା ତନ୍ତୀ, ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ସଂକଳ୍ପପତ୍ର କମିଟି ସଦସ୍ୟ ଅଜିତ ଦାସ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.