jayashree

ତୀବ୍ର ହେବାରେ ଲାଗିଛି ପରିବର୍ତ୍ତନ ସ୍ରୋତ : ସାମିଲ୍‌ ହେଉଛନ୍ତି ନୂଆଁ ପୁରୁଣା ସମର୍ଥକ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ବିଧାନସଭା ପାଇଁ ଦିଲ୍ଲୀପ ରାୟଙ୍କ ନାମ ଘୋଷଣା ହେବା ପରେ ଦିଲ୍ଲୀପଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏହି ଉତ୍ସାହକୁ ଦ୍ୱିଗୁଣିତ କରିବା ଦିଗରେ ଶ୍ରୀ ରାୟ ଦିନରାତି ଏକ କରି ଲୋକମାନଙ୍କ ସହ ସମ୍ପର୍କ ସ୍ଥାପନ କରିବାରେ ମଧ୍ୟ ସଫଳ ହେଲେ । ଦିନକୁ ଦିନ ଏହି ସମ୍ପର୍କ ସହରର ବିଭିନ୍ନ ସ୍ଥାନକୁ ପରିବ୍ୟାପ୍ତ ହେବାରେ ଲାଗିଛି । ବିଶେଷ କରି ବସ୍ତି ଅଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଛେଣ୍ଡ ସ୍ଥିତ ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ପରିସରରେ ଥିବା ମେ’ ଫେୟାର ହୋଟେଲ ଠାରେ ଭୋର୍‌ ୫ଟାରୁ ଲୋକଙ୍କ ଭିଡ ଜମୁଛି । ମେ’ ଫେୟାର ହୋଟେଲଠାରେ ଲୋକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ପରେ ଶ୍ରୀ ରାୟ ସହରର ବିଭିନ୍ନ ସ୍ଥାନକୁ ଗସ୍ତ କରି ସମର୍ଥକଙ୍କ ସହ ସମ୍ପର୍କ ସ୍ଥାପନ କରୁଛନ୍ତି, ଯାହା ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବ ବୋଲି ଶୁଣାଯାଉଛି । ଶ୍ରୀ ରାୟ ଆଜି ସକାଳେ ସିଭିଲ ଟାଉନ୍‌ସିପ୍‌ ସ୍ଥିତ ମନଟୋଲା ଉପର ଓ ତଳ ବସ୍ତି ଗସ୍ତ କରିଥିଲେ । ସେଠାରେ ବସ୍ତିବାସୀମାନେ ଶ୍ରୀ ରାୟଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ପାଛୋଟି ନେବା ସହ ବସ୍ତି ପରିକ୍ରମା କରାଇଥିଲେ । ବସ୍ତି ପରିକ୍ରମା ସମୟରେ ପ୍ରତି ଘରୁ ଲୋକେ ବାହାରି ତାଙ୍କ ଉପରେ ପୁଷ୍ପ ବୃଷ୍ଟି କରିବା ସହ ଦିଲ୍ଲୀପ ଭାଇ ଜିନ୍ଦାବାଦ, ଦିଲ୍ଲୀବ ଭାଇ ଜିତେଙ୍ଗେ ଆଦି ସ୍ଲୋଗାନ୍‌ ଦେଇଥିଲେ । ମଝିରେ ମଝିରେ ଶ୍ରୀ ରାୟ ସମବେତ ବସ୍ତିବାସୀଙ୍କୁ ସେମାନଙ୍କ ଭଲମନ୍ଦ ସମ୍ପର୍କରେ ପଚାରି ବୁଝିବା ସହ ବସ୍ତିର ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ଏହି ଅବସରରେ ଲୋକେ ବସ୍ତି ଉଚ୍ଛେଦ ହେବାକୁ ନେଇ ଆଶଙ୍କା ପ୍ରକାଶ କରିଥିବା ବେଳେ ଶ୍ରୀ ରାୟ ସେମାନଙ୍କୁ କହିଲେ ଯେ, ମୁଁ ଥିବା ପର୍ଯ୍ୟନ୍ତ ବସ୍ତି ଉଚ୍ଛେଦକୁ ଆଦୌ ପ୍ରଶ୍ରୟ ଦେବିନାହିଁ । ତେଣୁ ଆପଣମାନେ ନିଶ୍ଚିତ ରୁହନ୍ତୁ ଓ ଆଗାମୀ ନିର୍ବାଚନରେ ବିଜେପିର ସାଂସଦ ତଥା ବିଧାୟକ ପ୍ରାର୍ଥୀଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରନ୍ତୁ ଏବଂ ନିଜର ଭବିଷ୍ୟତକୁ ସୁରକ୍ଷିତ ରଖନ୍ତୁ । କାରଣ ଚଳିତ ନିର୍ବାଚନରେ କେନ୍ଦ୍ରରେ ବିଜେପି ସରକାରକୁ ଫେରୁଥିବା ବେଳେ ଓଡିଶାରେ ବିଜୟୀ ହୋଇ ଶାସନ ଭାର ଗ୍ରହଣ କରିବା ନିଶ୍ଚିତ । ସିଭିଲ ଟାଉନ୍‌ସିପ୍‌ରୁ ସିଧାସଳଖ ଉଦିତନଗର ସ୍ଥିତ ହିରାକୁଦ ବସ୍ତିରେ ପହଞ୍ଚି ଲୋକଙ୍କ ସହ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପରେ ବସ୍ତି ଲୋକେ ଶ୍ରୀ ରାୟଙ୍କୁ ଶୋଭାଯାତ୍ରାରେ ବସ୍ତି ପରିକ୍ରମା କରାଇବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ସେଠାରୁ ଶ୍ରୀ ରାୟ ଶୋଭାଯାତ୍ରାରେ ଖାଡିଆପଡା ବସ୍ତିରେ ପହଞ୍ଚିଥିଲେ । ସେଠାରେ ଲୋକେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ସହ ବସ୍ତିର ସମସ୍ୟା ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଉଭୟ ବସ୍ତିର ସମସ୍ୟା ବାବଦରେ ଅବଗତ ହୋଇ ଶ୍ରୀ ରାୟ କହିଲେ ଯେ, ବସ୍ତିର ଅନେକ ସମସ୍ୟା ଥିଲେ ମଧ୍ୟ ବିଧାୟକ ଅଦ୍ୟାବଧି ବସ୍ତିରେ ପାଦ ନଦେବା ଦୁଭାଗ୍ୟଜନକ । ବସ୍ତିବାସୀଙ୍କ ଭୋଟ୍‌ ନେଇ ସେମାନଙ୍କ ଭଲମନ୍ଦ ନବୁଝିବା, ସୁଖଦୁଃଖରେ ଛିଡା ନହେବା ଅତ୍ୟନ୍ତ ନିନ୍ଦନୀୟ । ବସ୍ତିଗୁଡିକର ମୌଳିକ ସମସ୍ୟା ଅନେକ ଥିବା ବେଳେ ନିର୍ବାଚିତ ଲୋକପ୍ରତିନିଧି ଏସବୁ ପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ । ବସ୍ତି ପରିକ୍ରମା ସମୟରେ ପ୍ରତ୍ୟେକ ଘରୁ ଲୋକେ ବାହାରି ଶ୍ରୀ ରାୟଙ୍କୁ ସ୍ୱାଗତ ଜଣାଇବା ସହ ନିର୍ବାଚନରେ ତାଙ୍କର ବିଜୟ କାମନା କରିଥିଲେ । ଏଭଳି ଜଣେ ପ୍ରଶଂସକ କହିଲେ ଆଉ ଧରିପାରିବି ନାହିଁ ଶଙ୍ଖ, ପଦ୍ମ ଧରିବାକୁ ମୋଦିଙ୍କ ପରିବର୍ତ୍ତନ ଆହ୍ୱାନ ଓ ବସ୍ତିବାସୀଙ୍କ ସାଥୀ ଦିଲ୍ଲୀପ ରାୟଙ୍କ ଆଦର୍ଶ ଯୋଗାଉଛି ବଳ, ଏ ଉକ୍ତି ସେଠାରେ କିଛି ସମୟ ପାଇଁ କୌତୁହଳ ସୃଷ୍ଟି କରିଥିଲା । ଦିଲ୍ଲୀପ ବାବୁ ତାଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତ ବସ୍ତିବାସୀ ଏକଜୁଟ ହୋଇ ତାଙ୍କୁ ନିର୍ବାଚନରେ ବିଜୟୀ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.