କନ୍ଧମାଳରୁ ମୋଦୀଙ୍କ ଦମ୍ଭୋକ୍ତି : ଓଡ଼ିଶାରେ ହେବ ଡବଲ୍‌ ଇଞ୍ଜିନ୍‌‌ ସରକାର

  • ମୁଖ୍ୟମନ୍ତ୍ରୀ ବିନା କାଗଜରେ ୩୦ ଜିଲ୍ଲାର ନାଁ କୁହନ୍ତୁ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି ମୋଦୀ । କନ୍ଧମାଳ ଆସି ଯେଉଁ ଆଶୀର୍ବାଦ ମିଳିଛି ତାହା ଜୀବନରେ କେବେ ଭୁଲି ପାରିବିନି ବୋଲି କହିଛନ୍ତି ମୋଦୀ । ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା ଓ ମା’ ନାରାୟଣୀଙ୍କୁ ପ୍ରଣାମ ଜଣାଇ ନିଜ ଅଭିଭାଷଣ ଆରମ୍ଭ କରିବା କ୍ରମରେ ମାତୃଶକ୍ତିର ପ୍ରଶଂସା କରିଛନ୍ତି । ଜନସଭା ଆରମ୍ଭରେ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିବା ବୃଦ୍ଧା ତୁଳା ଦେବୀ ଓ ପଦ୍ମ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସୀ ଜାନିଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ ପ୍ରଧାନମନ୍ତ୍ରୀ । ଗତକାଲି ଭୁବନେଶ୍ୱରରେ ଭବ୍ୟ ରୋଡ୍‌ ସୋ’କୁ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି । ବିଜେପି ପ୍ରତି ବିପୁଳ ମାତ୍ରାରେ ଲୋକଙ୍କ ସମର୍ଥନ ମିଳୁଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ଆପଣ ମାନଙ୍କ ଭଲ ପାଇବା ଓ ଆଶୀର୍ବାଦ ମୋତେ ଋଣୀ କରିଛି । ଓଡ଼ିଶାକୁ ବିକଶିତ ରାଜ୍ୟ କରି ଏ ଋଣ ଫେରାଇବି ବୋଲି ମୋଦୀ କହିଛନ୍ତି । ଫୁଲବାଣୀରେ କଂଗ୍ରେସକୁ କଡା ସମାଲୋଚନା କରି ପାକିସ୍ତାନ ନିକଟରେ ପରମାଣୁ ବୋମା ଥିବା ପ୍ରସଙ୍ଗ ଉଠାଇ ଟାର୍ଗେଟ କରିଛନ୍ତି । ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ପ୍ରସଙ୍ଗ ଏବଂ ୨୬/୧୧ ମୁମ୍ବାଇ ଆକ୍ରମଣକୁ ନେଇ ସେ ତିବ୍ର ସମାଲୋଚନା କରିଛନ୍ତି । ଏହାସହିତ ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍‌‌ ସରକାର ଗଠନ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି । ଆପଣଙ୍କ ଆଶୀର୍ବାଦରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଡବଲ୍‌ ଇଞ୍ଜିନ୍‌‌ ସରକାର ହେବ । ଏଥିପାଇଁ ଆପଣଙ୍କୁ ୨୧ ଲୋକସଭା ସାଂସଦ ପ୍ରାର୍ଥୀକୁ ସଂସଦ ପଠାଇବାକୁ ହେବ ଏବଂ ରାଜ୍ୟରେ ବିଜେପି ପ୍ରାର୍ଥୀ ଜିତାଇ ବିଧାନସଭା ପଠାଇବାକୁ ପଡିବ । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିବା ସହ ଆୟୁଷ୍ମାନ ଯୋଜନା କାହିଁକି ଲାଗୁ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏହି ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଏବଂ ବିଜେଡିକୁ ସିଧାସଳକ ଟାର୍ଗେଟ୍‌ କରିଛନ୍ତି । ସେ ନିର୍ଦ୍ଦିଷ୍ଟ ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିନା କାଗଜରେ ଓଡ଼ିଶାର ଜିଲା ଗୁଡ଼ିକର ନାମ କହିବାକୁ କରିଛନ୍ତି । ପ୍ରଧାନମନ୍ତ୍ରୀ ସମାବେଶରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, ‘ମୁଁ ନବୀନ ବାବୁଙ୍କୁ ଚାଲେଞ୍ଜ କରୁଛି । ନବୀନ ବାବୁ ବିନା କାଗଜରେ ଓଡ଼ିଶାର ଜିଲା ଏବଂ ଜିଲା ମୁଖ୍ୟାଳୟମାନଙ୍କର ନାମ କୁହନ୍ତୁ । ଯେଉଁ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ଜିଲାଗୁଡ଼ିକ ନାମ ଜାଣିନାହାନ୍ତି, ସେଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଝିପାରିବେ କି ? ଆମକୁ ୫ ବର୍ଷ ଦିଅନ୍ତୁ, ଆମେ ଓଡ଼ିଶାକୁ ୧ ନମ୍ବର କରିଦେବୁ’ ବୋଲି ମୋଦୀ କହିଥିଲେ । କନ୍ଧମାଳର ଏହି ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ମଧ୍ୟ ଟାର୍ଗେଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାହିଁକି ରତ୍ନଭଣ୍ଡାର ଚାବି ଖୋଲାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାରର ମୂଲ୍ୟାୟନ ୪୫ ବର୍ଷ ତଳେ ହୋଇଥିଲା । ଗତ ୪୦ ବର୍ଷ ହେଲାଣି ରତ୍ନଭଣ୍ଡାର ଖୋଲାଯାଇନାହିଁ । ରତ୍ନଭଣ୍ଡାର ଚାବି ଗତ ୬ ବର୍ଷ ହେଲାଣୀ ମିଳୁନି । ଶ୍ରୀଜଗନ୍ନାଥଙ୍କ ଅମୂଲ୍ୟ ଭଣ୍ଡାରର ଚାବି ବି ସମ୍ଭାଳି ପାରୁନାହାଁନ୍ତି ରାଜ୍ୟ ସରକାର । ଚାବି ଗଲା କୁଆଡେ, କାହା ପାଖକୁ ଗଲା, ଡୁପ୍ଲିକେଟ ଚାବି କେଉଁଠୁ ଆସିଲା ଏସବୁ ସମ୍ପର୍କରେ ଲୋକଙ୍କର ଜାଣିବାର ଅଧିକାର ଅଛି । ଚାବି ହଜିବା ଠାରୁ ଡୁପ୍ଲିକେଟ୍‌ ଚାବି ତିଆରି କରିବା ଗମ୍ଭୀର ବିଷୟ । ଏସମ୍ପର୍କରେ କମିଶନ ବସିଲା, ହେଲେ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ । ରାଜ୍ୟ ସରକାର ଏସମ୍ପର୍କରେ କାହିଁକି ଚୁପ୍‌‌ । କାହା ପାପ ଘୋଡାଇବାକୁ ପ୍ରୟାସ କରାଯାଉଛି । ରାଜ୍ୟରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ବିଶାଳ ସମାବେଶରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ସମେତ ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡାର ବିଧାୟକ ପ୍ରାର୍ଥୀଙ୍କ ସମେତ ସମସ୍ତ ସଦସ୍ୟ, କର୍ମୀ ଓ ହଜାର ହଜାର ସମର୍ଥକଙ୍କ ସମାଗମ ହୋଇଥିଲା ।

Leave A Reply

Your email address will not be published.