ବେଲପଡା, (ଅଶୋକ କୁମାର ବାଗ) : ଇଟାଭାଟିରେ ବନ୍ଧକ ଥିଲା ନାବାଳିକା ଝିଅକୁ ଝୁରି ଝୁରି ପ୍ରାଣ ହରାଇଲେ ବାପା । ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଉଦ୍ଧାର ହେଲା ନାବାଳିକା । କିନ୍ତୁ ସର୍ଦ୍ଦାର ଓ ଇଟାଭାଟି ମାଲିକଙ୍କୁ ବଂଚାଇବା ପାଇଁ ପୋଲିସ ପ୍ରସାଶନ ଜୋରଦାର ପ୍ରୟାସ କରୁଥିବା ଅଭିଯୋଗ କରୁଛନ୍ତି ପରିବାର ଲୋକ । ନାବାଳିକା ଶିଶୁମଙ୍ଗଳ କମିଟିରେ ହାଜର ହେବା ପରେ ଜୋର ଧରିଛି ତଦନ୍ତ । ଅନ୍ୟପଟେ ନିଜଆଡୁ ମାମଲା ରୁଜୁ କରି ତଦନ୍ତ ରିପୋର୍ଟ ମାଗିଛି ଓସିପିସିଆର । ଗତ କିଛି ମାସ ତଳେ ବେଲପଡା ଥାନା ସୁଲେକେଲା ଗାଁର କାହ୍ନୁ ମଲ୍ଲିକ ନିଜ ସ୍ତ୍ରୀ, ଦିବ୍ୟାଙ୍ଗ ବଡ ଝିଅ ଓ ୧୧ ବର୍ଷର ଝିଅକୁ ଧରି ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ । କୌଣସି କାରଣକୁ ନେଇ କାହ୍ନୁ ଗୁରୁତର ହେବା ପରେ ଘରକୁ ଫେରିବାକୁ ଚାହିଁବାରୁ ନାବାଳିକା ଝିଅକୁ ବନ୍ଧକ ରଖିଥିଲେ ଇଟାଭାଟି ମାଲିକ । ଗାଁକୁ ଆସି ଜମିବାଡି ବିକି ପଚାଶ ହଜାର ଟଙ୍କା ପଠାଇଲେ ପରିବାର । କିନ୍ତୁ ଆଉ ତିରିଶ ହଜାର ଟଙ୍କା ମାଗି ନାବାଳିକାଙ୍କୁ ବନ୍ଧକ ରଖାଯାଇଥିଲା । ଏପଟେ ଗାଁରେ ଝିଅକୁ ଝୁରି ଝୁରି ପ୍ରାଣ ହରାଇଲେ ବାପା । ଖବର ପ୍ରସାରଣ ପରେ ନାବାଳିକାଙ୍କୁ ପୋଲିସ ପ୍ରଶାସନ ଉଦ୍ଧାର କରିଥିବା ବେଳେ ସିଡବ୍ଲ୍ୟୁସିରେ ହଜାର କରାଯାଇଛି ନାବାଳିକାଙ୍କୁ । ବେଲପଡା ପୋଲିସ ଓ ଶ୍ରମ ବିଭାଗର ଅଧିକାରୀ ନାବାଳିକା ବନ୍ଧକ ନଥିଲେ, ମାମୁଁ ଘରେ ଥିଲେ ବୋଲି କହିଥିବା ବେଳେ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ସେପଟେ ସେହି ଇଟାଭାଟିରେ ହିଁ ମାମୁଁ ଘର ଲୋକ ରହୁଥିବାରୁ ଇଟାଭାଟି ମାଲିକ ନାବାଳିକାଙ୍କୁ ସେହି ମାମୁଁ ଘରେ ଗୃହବନ୍ଦୀ କରି ରଖିଥିବା ଅଭିଯୋଗ କରିଛନ୍ତି । ବନ୍ଧକ ଘଟଣାକୁ ଚପେଇ ଦେବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
Prev Post