- ୨୦୨୪ ଫେବୃଆରୀ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ସନ୍ତରଣାଗାର ପରିସରରେ ଏହି ଚାମ୍ପିଅନସିପ୍ ଅନୁଷ୍ଠିତ ହେବ
- ୭ଟି ବିମଷ୍ଟେକ ରାଷ୍ଟ୍ର ଏକାଠି ହେବା ପରେ ବଙ୍ଗୋପସାଗର ଅଞ୍ଚଳ ପ୍ରଗତି, ବିକାଶ ଓ ସହଯୋଗର କ୍ଷେତ୍ରରେ ପରିଣତ ହେବ : ଅନୁରାଗ ସିଂହ ଠାକୁର
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ନୂଆଦିଲ୍ଲୀଠାରେ ବିମଷ୍ଟେକ ଆକ୍ୱାଟିକ୍ସ ଚାମ୍ପିୟାନସିପ୍ ୨୦୨୪ର ଶୁଭାରମ୍ଭ କରିଛନ୍ତି । ବିମଷ୍ଟେକ ଆକ୍ୱାଟିକ୍ସ ଚାମ୍ପିୟ୍ନସିପ୍ ପ୍ରଥମ ଥର ପାଇଁ ଆୟୋଜନ କରାଯାଉଛି । ଏହି ଅବସରରେ ଅନୁରାଗ ସିଂହ ଠାକୁର କହିଥିଲେ ଯେ, ବିଶ୍ୱର ୨୫% ଜନସଂଖ୍ୟା ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳରେ ବସବାସ କରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୭ଟି ବିମଷ୍ଟେକ ଦେଶ ଏକାଠି ହେବା ପରେ ବଙ୍ଗୋପସାଗର ଅଞ୍ଚଳ କେବଳ ଯାତ୍ରା ଓ ପରିବହନ ପାଇଁ ବ୍ୟବହୃତ ଅଞ୍ଚଳରେ ପରିଣତ ହେବ ନାହିଁ ବରଂ ପ୍ରଗତି, ବିକାଶ ଏବଂ ସହଯୋଗର କ୍ଷେତ୍ରରେ ପରିଣତ ହେବ । କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ , ଏହା କେବଳ ଗଭୀର ବନ୍ଧୁତା ନୁହେଁ ବରଂ ଏକ ଗଭୀର କ୍ରୀଡ଼ା ସଂସ୍କୃତି ଗଠନରେ ମଧ୍ୟ ସହାୟକ ହେବ, ଯାହା କ୍ରୀଡାବିତ୍ମାନଙ୍କ ମଧ୍ୟରେ ବନ୍ଧୁତାକୁ ଆହୁରି ଗଭୀର କରିବାରେ ସାହାଯ୍ୟ କରିବ ଏବଂ ଆମର ସମ୍ମାନନୀୟ ପ୍ରଧାନମନ୍ତ୍ରୀ ନେପାଳରେ ଶିଖର ସମ୍ମିଳନୀ ଅବସରରେ ଏହି କ୍ରୀଡ଼ା କାର୍ଯ୍ୟକ୍ରମ ଘୋଷଣା କରିବା ସମୟରେ ଏହି ଚିନ୍ତାଧାରାକୁ ପରିକଳ୍ପନା କରିଥିଲେ । ଇତିହାସରେ ପ୍ରଥମ ଥର ପାଇଁ ଏହି ସଂଗଠନ ଭାରତରେ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ରେ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀ ଅବସରରେ ଏହା ସମ୍ପର୍କରେ ଘୋଷଣା କରିଥିଲେ ଏବଂ ସେ ଭାରତରେ ବିମଷ୍ଟେକ ଯୁବ ଜଳ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ କହିଥିଲେ । ପ୍ରଥମେ ୨୦୨୧ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ପରେ ସମଗ୍ର ବିଶ୍ୱରେ କୋଭିଡ୍- ୧୯ ମହାମାରୀ ବ୍ୟାପିବା କାରଣରୁ ଏହାକୁ ୨୦୨୪କୁ ଘୁଞ୍ଚାଇ ଦିଆଯାଇଥିଲା । ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀଙ୍କ ସହ ନେପାଳର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଦିଗ ବାହାଦୁର ଲିମ୍ବୁ ଏବଂ ବିମଷ୍ଟେକ ମହାସଚିବ ତଥା ଭାରତୀୟ ରାଷ୍ଟ୍ରଦୂତ ଇନ୍ଦ୍ର ମଣି ପାଣ୍ଡେଙ୍କ ସମେତ ଭ୍ରମଣକାରୀ ଦେଶ ଓ ଭାରତ ସରକାରଙ୍କ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ଫେବୃଆରୀ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ସନ୍ତରଣାଗାର ପରିସରରେ ପ୍ରଥମ ବିମଷ୍ଟେକ ଆକ୍ୱାଟିକ୍ସ ଚାମ୍ପିୟାନସିପ୍ ଅନୁଷ୍ଠିତ ହେଉଛି, ଯେଉଁଥିରେ ସନ୍ତରଣ, ୱାଟର ପୋଲୋ ଏବଂ ଡାଇଭିଂ ଇଭେଣ୍ଟରେ ୨୦ ବର୍ଷରୁ କମ୍ ବୟସ ବର୍ଗ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୩ଟି କ୍ରୀଡ଼ାରେ ମୋଟ ୩୯ଟି ପଦକ ପ୍ରଦାନ କରାଯିବା ସହ ମୋଟ ୯ଟି ଟ୍ରଫି ମଧ୍ୟ ପ୍ରଦାନ କରାଯିବ । ଏହି କ୍ରୀଡା ଗୁଡିକରେ ବିଭିନ୍ନ ବିମଷ୍ଟେିକ ସଦସ୍ୟ ଦେଶର ୨୬୮ ଜଣ କ୍ରୀଡାବିତ୍ଙ୍କ ସମେତ ୫୦୦ରୁ ଅଧିକ କର୍ମୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ବିମଷ୍ଟେକ (ବହୁ-କ୍ଷେତ୍ରୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ ପାଇଁ ବଙ୍ଗୋପସାଗର ପଦକ୍ଷେପ) ଦକ୍ଷିଣ ଏବଂ ଦକ୍ଷିଣ- ପୂର୍ବ ଏସୀୟ ଦେଶଗୁଡ଼ିକ ମଧ୍ୟରେ ଏକ ଅନନ୍ୟ ସଂଯୋଗ ଗଠନ କରିଛି, ଯେଉଁଥିରେ ଦକ୍ଷିଣ ଏସିଆ (ବାଂଲାଦେଶ, ଭୁଟାନ, ଭାରତ, ନେପାଳ ଏବଂ ଶ୍ରୀଲଙ୍କା)ର ପାଞ୍ଚ ସଦସ୍ୟ ଦେଶ ଏବଂ ଦକ୍ଷିଣ – ପୂର୍ବ ଏସିଆ (ମିଆଁମାର ଏବଂ ଥାଇଲାଣ୍ଡ)ର ଦୁଇ ସଦସ୍ୟ ଦେଶ ଅଛନ୍ତି ।