ଟିଟିଲାଗଡ଼ ଅଞ୍ଚଳରେ ଚାଲିଛି ପ୍ରାଣୀ ଚିକିତ୍ସା : ଆନ୍ଦୋଳନ ପ୍ରଭାବଶୂନ୍ୟ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ୧୮ ତାରିଖରୁ ଓଡ଼ିଶା ପ୍ରାଣୀ ଚିକିତ୍ସା ସଙ୍ଘ ପକ୍ଷରୁ ସମୂହ ଛୁଟି ଓ ଆନ୍ଦୋଳନ ଚାଲିଥିବା ବେଳେ ଟିଟିଲାଗଡ଼ ଓ ଆଖପାଖ ଅଞ୍ଚଳରେ ଏହାର ପ୍ରଭାବ ପଡ଼ି ନ ଥିବା ଦେଖିବାକୁ ମିଳୁଛି । ସମ୍ପ୍ରତି ରାଜ୍ୟରେ ପ୍ରାଣୀ ଚିକିତ୍ସକମାନେ ସମୂହ ଛୁଟିରେ ଯିବା ଫଳରେ ଗୋ-ଚିକିତ୍ସା କ୍ଷେତ୍ରରେ କୌଣସି ବଡ ଧରଣର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । କାରଣ ପ୍ରାଣୀ ଧନ ନିରୀକ୍ଷକମାନେ ଦିନରାତି ପରିଶ୍ରମ କରି ଗୋ-ଚିକିତ୍ସା କରି ବିଭାଗର ଟେକ ଚାଷୀମାନଙ୍କ ନିକଟରେ ରଖିଛନ୍ତି ବୋଲି ଗୋପାଳକମାନେ କହୁଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଯେତେବେଳେ ଯେଉଁଠି ବି ଅସୁବିଧା ହୁଏ ପ୍ରାୟ କ୍ଷେତ୍ରରେ ପଶୁ ଡାକ୍ତର ନିଜେ ନ ଯାଇ ଏଲ୍‌ଆଇମାନଙ୍କୁ ପଠାଇ ଥାଆନ୍ତି । ସେମିତିବି କେଉଁଠି ରାସ୍ତାଘାଟରେ ଅଘଟଣ ହୋଇ ପଡି ରହିଥିବା ଅବସ୍ଥାରେ ଅବା ଗ୍ରାମାଞ୍ଚଳରେ ଯେତେ ଗାଈଗୋରୁଙ୍କୁ ଚିକିତ୍ସା ସଦାବେଳେ ଏଲ୍‌ଆଇମାନେ ଆସି ଚିକିତ୍ସା ପ୍ରଦାନ କରି ଥାଆନ୍ତି କିନ୍ତୁ ପଶୁ ଡାକ୍ତରମାନଙ୍କ ଦେଖା ମିଳେନି । ତେଣୁ ପ୍ରାଣୀ ଚିକିତ୍ସକ ଯେତେ ଆନ୍ଦୋଳନ ଯେତେ ଦିନ ପର୍ଯ୍ୟନ୍ତ ଜାରି ରଖିଲେ ମଧ୍ୟ ଏଲ୍‌ଆଇମାନେ ଜିଲ୍ଲା ପ୍ରାଣୀ ଚିକିତ୍ସକଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବ ଭଳି କାର୍ଯ୍ୟ କରୁଥିବା ଯୋଗୁଁ ଗୋପାଳନ, ପଶୁ ପକ୍ଷୀ ପାଳନ କରୁଥିବା ଚାଷୀଙ୍କୁ କିଛି ଫରକ ପଡିବ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି ।

jittmm
Leave A Reply

Your email address will not be published.