jayashree

ଡୁଙ୍ଗୁରିପାଲିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଡାୟାଲିସିସ୍ କେନ୍ଦ୍ର ଉଦ୍‌ଘାଟିତ

  • ଜିଲ୍ଲାର ଗରିବ କିଡ଼୍‌ନୀ ରୋଗୀ ଉପକୃତ ହେବେ
  • ମାଗଣାରେ ମିଳିବ ଡାୟାଲିସିସ୍ ଚିକିତ୍ସାସେବା
  • ସମସ୍ତଙ୍କ ଜୀବନ ହେଉଛି ମୂଲ୍ୟବାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସମଗ୍ର ରାଜ୍ୟରେ ବିଭିନ୍ନ ବର୍ଗର କିଡ଼୍‌ନୀ ରୋଗୀମାନଙ୍କୁ ମାଗଣାରେ ଡାୟାଲିସିସ୍ ସୁବିଧା ଯୋଗାଇ ଦେବାପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ୧୬ଟି ବିଭିନ୍ନ ଉପଜିଲ୍ଲା ଚିକିତ୍ସାଳୟମାନଙ୍କରେ ନୂତନ ଡାୟାଲିସିସ୍ ସେଣ୍ଟର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ସେଥି ମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଉପ ଚିକିତ୍ସାଳୟରେ ମଧ୍ୟ ଏକ ଡାୟାଲିସିସ୍ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି । ଏହା ଦ୍ୱାରା ରାଜ୍ୟର ବିଭିନ୍ନ କିଡ଼୍‌ନୀ ରୋଗୀ ବିଶେଷତଃ ଗରିବ ବର୍ଗର ରୋଗୀ ମାଗଣାରେ ଏବଂ ସୁବିଧାରେ ନିଜ ଜିଲ୍ଲାରେ ଡାୟାଲିସିସ୍ ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରି ସମସ୍ତଙ୍କ ଜୀବନ ହେଉଛି ମୂଲ୍ୟବାନ ବୋଲି କହିଛନ୍ତି । ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଥି ନିମନ୍ତେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୁଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେବା ସହିତ ଜିଲ୍ଲାବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ । ସେ ଏହି ଅବସରରେ କହିଲେ ଯେ ଏହି ଡାୟାଲିସିସ୍ ସେଣ୍ଟର ହେବା ଦ୍ୱାରା ଡୁଙ୍ଗୁରିପାଲି ବ୍ଲକ ଅଂଚଳ ସହିତ ଜିଲ୍ଲାର ଶହ ଶହ ଡାୟାଲିସିସ୍ ସମ୍ୱନ୍ଧୀୟ ରୋଗୀ ମାଗଣାରେ ଚିକିତ୍ସା ସେବା ପାଇବା ସହ ସୁବିଧାରେ ଅଯଥା ଖର୍ଚ୍ଚାନ୍ତରୁ ବଞ୍ଚିପାରିବେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାଶ, ଡୁଙ୍ଗୁରିପାଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅହଲ୍ୟା ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବିଶ୍ୱରଂଜନ ପତି ତଥା ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ । ସଭାରେ ଡୁଙ୍ଗୁରିପାଲି ବ୍ଲକ ତଥା ଜିଲ୍ଲାର ବିଭିନ୍ନ ଲୋକ ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହିତ ଶତାଧିକ ଜନସାଧାରଣ, ଏସ୍‌ଏଚ୍‌ଜି ମା’ ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.