ଉପରବାହାଲ ଗ୍ରାମରେ ବିବେକାନନ୍ଦ ଜୟନ୍ତୀ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଉପରବାହାଲ ଗ୍ରାମର ସ୍ୱାମୀ ବିବେକାନନ୍ଦ ସ୍କୁଲରେ ଆଡମ୍ବର ସହକାରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସମାଜସେବୀ ରଘୁନାଥ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ ଏବଂ ସମ୍ମାନିତ ଅତିଥି ଭାବେ ପ୍ରଧାନଶିକ୍ଷକ ଅଜିତ ବିଶ୍ଵାଳ ଯୋଗ ଦେଇଥିଲେ । ଶ୍ରୀ ବିଶ୍ଵାଳ ସ୍କୁଲର ବାର୍ଷିକ ବିବରଣୀ ପାଠ କରି ବିଦ୍ୟାଳୟର ୧୨ଜଣ ଛାତ୍ର ଆଦର୍ଶ ବିଦ୍ୟାଳୟ, ତଥା ନବୋଦୟ ବିଦ୍ୟାଳୟରେ ସ୍ଥାନ ପାଇଥିବା ନେଇ ସୂଚନା ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । କୋଶଲୀର ଭାଷାର ପ୍ରଚାର ପ୍ରସାର ଦିଗରେ ତତ୍ପର ଥିବା ବଲାଙ୍ଗିର ତହଁକ୍ କୁଟୁମର ସମ୍ପାଦକ ରାଜେଶ ଦଣ୍ଡସେନାଙ୍କ ସମେତ ୭ଜଣ କବି, କବୟିତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ବିବେକାନନ୍ଦ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମ୍ୱର୍ଦ୍ଧନା ସଭାକୁ ଦିଲ୍ଲୀପ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ସରପଞ୍ଚଙ୍କ ପ୍ରତିନିଧି ଶର୍ମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଅଭିଭାବକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.