ସୁବର୍ଣ୍ଣପୁର ଜିଲ୍ଲାରେ “ନୂଆ-ଓ” କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଓ ଜିଲ୍ଲା ପ୍ରଶାସନ, ସୁବର୍ଣ୍ଣପୁରଙ୍କ ମିଳିତ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲାରେ “ନୂଆ-ଓ” କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ତା ୦୬.୦୧.୨୦୨୪ ରିଖଠାରୁ ତା ୧୦.୦୧.୨୦୨୪ ରିଖ ପାଞ୍ଚଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ସହ ସୋନପୁର କଲେଜ ଖେଳପଡ଼ିଆ ଓ ରିଜର୍ଭ ପୋଲିସ ଖେଳ ପଡ଼ିଆରେ ଅନୁଷ୍ଠିତ ଉକ୍ତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲାର ସମସ୍ତ ୬ଟି ବ୍ଳକ ତଥା ୩ଟି ପୌରାଞ୍ଚଳ (ସୋନପୁର ମ୍ୟୁନିସିପାଳିଟି, ତରଭା ଏନ୍‌ଏସି ଓ ବିନିକା ଏନ୍‌ଏସି)ରୁ ମନୋନୀତ ମୋଟ ୬୦ଟି କ୍ରୀଡ଼ା ପ୍ରତିଯୋଗୀ ଦଳ ଭାଗ ନେଇଥିଲେ । “ନୂଆ-ଓ” କାର୍ଯ୍ୟକ୍ରମ ଅଧୀନରେ ଫୁଟବଲ, ଭଲିବଲ, କ୍ରିକେଟ, ଖୋ-ଖୋ, କବାଡ଼ି ଓ ହକି ଆଦି ୬ଟି କ୍ରୀଡ଼ା ସକାଶେ ଉଭୟ ପୁରୁଷ ଓ ମହିଳା ବର୍ଗ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ସୁନାଧର ତ୍ରିପାଠୀ ଓ ବରିଷ୍ଠ କ୍ରୀଡ଼ା ଶିକ୍ଷକ ରଘୁନାଥ ଥନାପତିଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ମନୋନୀତ ହୋଇଆସିଥିବା କ୍ରୀଡ଼ା ଶିକ୍ଷକ/ଶିକ୍ଷୟତ୍ରୀମାନେ ଉଭୟ ପୁରୁଷ ଓ ମହିଳା ବର୍ଗ ପାଇଁ ଅନୁଷ୍ଠିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ସୁଚାରୁରୂପେ ପରିଚାଳନା କରିଥିଲେ । ପାଞ୍ଚଦିନ ବ୍ୟାପୀ ଉକ୍ତ କ୍ରୀଡ଼ା ପ୍ରତିଯୋଗିତା ଅଶ୍ୱିନୀ କୁମାର ମେହେର, ମୁଖ୍ୟ ଉନ୍ନୟନ ଅକାରୀ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ସୋନପୁର କଲେଜ ଖେଳପଡ଼ିଆରେ ତା ୧୦.୦୧.୨୦୨୪ ରିଖ ଦିନ କ୍ରୀଡ଼ା ପ୍ରତିଯୋଗିତା ଉଦ‌୍‌ଯାପନୀ ସମାରୋହ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାରୋହରେ ନିରଞ୍ଜନ ପୂଜାରୀ, ମାନ୍ୟବର ମନ୍ତ୍ରୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମୁଖ୍ୟ ଅତିଥି ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରତି କ୍ରୀଡ଼ା ପାଇଁ ଉଭୟ ପୁରୁଷ ଓ ମହିଳା ବର୍ଗର ଚାମ୍ପିୟନ ଦଳକୁ ୫୦,୦୦୦ ଟଙ୍କାର ଅର୍ଥ ପୁରସ୍କାର ସହ ଟ୍ରଫି ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ସେହିପରି ପ୍ରଥମ ରନର୍ସ ଅପ ଦଳକୁ ୩୦,୦୦୦ ଟଙ୍କାର ଅର୍ଥ ପୁରସ୍କାର ସହ ପ୍ରଶଂସାପତ୍ର ଓ ୨ୟ ରନର୍ସ ଅପ ଦଳକୁ ୨୦,୦୦୦ ଟଙ୍କାର ଅର୍ଥ ପୁରସ୍କାର ସହ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ସମୁଦାୟ ୧୨ ଲକ୍ଷ କୋଡିଏ ହଜାର ଟଙ୍କାର ପୁରସ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି । ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଚାମ୍ପିୟନ ହୋଇଥିବା ଉଭୟ ପୁରୁଷ ଓ ମହିଳା ବର୍ଗର ମୋଟ ୧୨ଟି ଦଳ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ସମାରୋହ ଶେଷରେ ଅଶ୍ୱିନୀ କୁମାର ମେହେର, ମୁଖ୍ୟ ଭନ୍ନୟନ ଅଧିକାରୀ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.