ଜାମ୍ମୁ ଓ କାଶ୍ମୀର ତେହେରିକ-ଇ-ହୁରିୟାତ୍ (ଟିଇଏଚ୍)କୁ ବେଆଇନ ସଂଗଠନ ଭାବେ ଘୋଷଣା କଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

● ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତିରେ ଯେ କୌଣସି ବ୍ୟକ୍ତି ବିଶେଷ ଓ ସଂଗଠନ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ହେବା ଜଣାପଡିଲେ ତାହାକୁ ତତ୍କାଳ କଠୋର ହସ୍ତରେ ଦମନ କରାଯିବ
● କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି ଏହି ଟିଇଏଚ୍ ସଂଗଠନ ଜାମ୍ମୁ ଓ କାଶ୍ମୀରକୁ ଭାରତରୁ ବିଚ୍ଛିନ୍ନ କରିବା ସହ ସେଠାରେ ଇସଲାମୀୟ ଶାସନ ପ୍ରବର୍ତ୍ତନ କରିବା ଭଳି ନିଷିଦ୍ଧ କାର୍ଯ୍ୟ କଳାପରେ ଲିପ୍ତ ଥିଲା
● ଏହି ଗୋଷ୍ଠୀ ଭାରତ ବିରୋଧୀ ପ୍ରଚାର ଚଳାଇବା ସହିତ ଜାମ୍ମୁ-କାଶ୍ମୀରରେ ବିଚ୍ଛିନ୍ନତାବାଦକୁ ଇନ୍ଧନ ଯୋଗାଣ ନିମନ୍ତେ ସେଠାରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲା

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାର ଜାମ୍ମୁ ଓ କାଶ୍ମୀରର ତେହେରିକ୍-ଇ-ହୁରିୟାତ’ (ଟିଇଏଚ୍) ସଂଗଠନକୁ ବେଆଇନ ଘୋଷଣା କରିଛନ୍ତି । ବେଆଇନ କାର୍ଯ୍ୟକଳାପ ଦୂରୀକରଣ ଆଇନ (ୟୁଏପିଏ) ୧୯୬୭ର ଧାରା ୩ (୧) ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ତାଙ୍କ ‘ଏକ୍ସ’ ପୋଷ୍ଟରେ କରିଛନ୍ତି ଯେ ସମ୍ପୃକ୍ତ ସଂଗଠନ ଜମ୍ମୁ ଓ କାଶ୍ମୀରକୁ ଭାରତରୁ ଅଲଗା କରିବାକୁ ବିଭିନ୍ନ ନିଷିଦ୍ଧ କାର୍ଯ୍ୟରେ ଲିପ୍ତ ରହିବା ସହିତ ସେଠାରେ ଇସଲାମୀୟ ଶାସନ ପ୍ରବର୍ତ୍ତନ କରିବାକୁ ଚେଷ୍ଟା କରୁଥିଲା । ଏହି ଗୋଷ୍ଠୀ ଭାରତ ବିରୋଧୀ ପ୍ରଚାର ଚଳାଇବା ସହିତ ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦକୁ ଇନ୍ଧନ ଯୋଗାଇବାକୁ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବାର ପ୍ରମାଣ ମିଳିଛି ।
ସ୍ୱରାଷ୍ଟ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅନୁସାରେ ଯେ କୌଣସି ବ୍ୟକ୍ତି ବିଶେଷ ବା ସଂଗଠନ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଜଣାପଡିଲେ ତାହାକୁ ତତ୍କାଳ ଦୃଢ ହସ୍ତରେ ଦମନ କରାଯିବ ।
ଜାମ୍ମୁ ଓ କାଶ୍ମୀରରେ ତେହେରିକ ଇ-ହୁରିୟାତ୍ର ଉଦ୍ଦେଶ୍ୟ ହେଲା ଜାମ୍ମୁ ଓ କାଶ୍ମୀରକୁ ଭାରତରୁ ଅଲଗାକରି ସେଠାରେ ଇସ୍ଲାମୀୟ ଶାସନ ପ୍ରବର୍ତ୍ତନ କରିବା । ଏହି ସଂଗଠନ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ଏବଂ ଏଥିରେ ସମ୍ପୃକ୍ତ ଅଛି । ଭାରତ ବିରୋଧୀ ପ୍ରଚାର ଚଳାଇ ସେଠାରେ ବିଚ୍ଛିନ୍ନତାବାଦକୁ ଇନ୍ଧନ ଯୋଗାଉଛି । ଏହି ସଂଗଠନରେ କାର୍ଯ୍ୟକଳାପ ଭାରତର ସାର୍ବଭୌମତ୍ୱ, ଏକତା ଓ ନିରାପତ୍ତା ପ୍ରତି ଅତ୍ୟନ୍ତ ହାନିକାରକ ।
ଏହି ସଂଗଠନ ନାମରେ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ, ଅସ୍ତ୍ରଶସ୍ତ୍ର ଆଇନ, ଆର୍ପିସି ଓ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଧାରା ଅନୁସାରେ ଫୌଜଦାରୀ/ଅପରାଧିକ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.