ଇଟାଭାଟି କାନ୍ଥ ପଡ଼ି ୫ ମୃତ : ୩ ଗୁରୁତର

ରୁଡ୍‌କୀ : ଉତ୍ତରାଖଣ୍ଡ ରୁଡ୍‌କୀରେ ମର୍ମନ୍ତୁଦ ଦୁର୍ଘଟଣା । ଇଟାଭାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ୫ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସେହିପରି ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଅଭାବନୀୟ ଘଟଣା ଆଜି ମଙ୍ଗଲୋର କୌତୱାଲିର ଲହବୋଲି ଗାଁରେ ଘଟିଛି । ଇଟାଭାଟି କାନ୍ଥ ଭାଙ୍ଗିଯିବାରୁ ଏହା ତଳେ ୧୨ରୁ ଅଧିକ ଶ୍ରମିକ ଫସିଯାଇଥିଲେ । ଧ୍ୱଂସାବଶେଷ ତଳୁ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୩ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଅବସ୍ଥା ସଂକଟାପନ୍ନ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ଖବର ଅନୁଯାୟୀ, ଆଜି ସକାଳୁ ଇଟା ପୋଡ଼ିବା ପାଇଁ ଶ୍ରମିକମାନେ ଚିମିନିରେ ଇଟା ଭର୍ତ୍ତି କରୁଥିଲେ । ଏହି ସମୟରେ ଅଚାନକ ଇଟାଭାଟି କାନ୍ଥ ଭାଙ୍ଗିପଡ଼ିଥିଲା । ଶ୍ରମିକମାନେ କିଛି ଭାବିବା ପୂର୍ବରୁ ଇଟା କାନ୍ଥ ତଳେ ଚାପି ହୋଇଯାଇଥିଲେ । ଏନେଇ ସ୍ଥାନୀୟ ପ୍ରଶାସନ ଖବର ଜାଣିବା ପରେ ଏକ ଜେସିବି ସାହାଯ୍ୟରେ ଧ୍ୱଂସାବଶେଷକୁ ହଟାଯାଉଛି । ଘଟଣାସ୍ଥଳରେ ରୁଡ୍‌କୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପହଞ୍ଚିଛନ୍ତି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ସେପଟେ ମଙ୍ଗଲୌର କୋତୱାଲି ପ୍ରଭାରୀ ପ୍ରଦୀପ ବିଷ୍ଟ କହିଛନ୍ତି, ମାଟି ତଳୁ ୫ ଶବ ସହ ୩ଜଣ ଗୁରୁତର ଶ୍ରମିକଙ୍କୁ ଉଦ୍ଧାର କରାଯାଉଛି । ଆହତ ଶ୍ରମିକଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.