csstore

ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରାକୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିନେ କଳାକାର ମନୋଜ ମିଶ୍ର ତଥା ପଶ୍ଚିମ ଓଡିଶା ପିପୁଲ ଫୋରମର ଆବାହକ ସପନ ମିଶ୍ରଙ୍କ ନେତୃତ୍ୱରେ ଗତ ୨୨ ତାରିଖରୁ ନୃସିଂହନାଥଠାରୁ ଆରମ୍ଭ ହୋଇଥବା ଭାଷା, ସଂସ୍କୃତି ସ୍ୱାଭିମାନ ଯାତ୍ରାକୁ ଆଜି ବଲାଙ୍ଗିରର ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ସଂଗଠନ ତରଫରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସକାଳ ୧୧ଘଟିକାରୁ ପାଟଣାଗଡ଼ ଦେଇ ବଲାଙ୍ଗିର ଆସିବା ବାଟରେ ଚୁଡ଼ାପାଲି ଓ ବାରପୁଡୁଗିଆଠାରେ ଶତାଧିକ କୋଶଲ ସମର୍ଥକଙ୍କ ଗହଣରେ ଉତ୍ତରୀୟ ଓ ଫୁଲମାଳ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ବଲାଙ୍ଗିର ପ୍ରବେଶ ଦ୍ୱାର ଭୀମଭୋଇ ମେଡିକାଲ କଲେଜ ଛକରେ ସହରର ଜିଲ୍ଲା କଳାକାର ସଂଘ, ପଶ୍ଚିମ ଓଡିଶା ପ୍ରୋଯାଜକ ସଂଘ, ପଞ୍ଚମ, ନଟରାଜ କଳା ପରିଷଦ, ସଂଯୋତ କଳା କେନ୍ଦ୍ର, ଅନ୍ୱେଷଣ ଭବାନୀଶଙ୍କର କଳା ପରିଷଦ, ଆଇଫୋ,ଟାଇଗର ୟୁଥ କ୍ଲବ, ଜ୍ଞାନ ବିକାଶ କଳା କେନ୍ଦ୍ର, ଦଶମତି କ୍ୟାସେଟ, ପୋଏନର ଫିଲ୍ମ ପ୍ରଡକ୍ସନ, ତପସ୍ୱିନୀ ଅଡିଓ ଭିଜୁଏଲ, ପ୍ରଭା ଫୋକ୍‌ ଅନୁଷ୍ଠାନ, ସକମ୍ବରୀ ଆର୍ଟ, ଏକେ ଫିଲ୍ମ, ସଂପୂର୍ଣ୍ଣା ନାରୀ ସଂଗଠନ, ନାରୀଶକ୍ତି ଫାଉଣ୍ଡେସନ ପ୍ରଭୂତିର କର୍ମକର୍ତ୍ତାମାନେ ଯାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ଏକ ବିରାଟ ବାଇକ ଶୋଭାଯାତ୍ରାରେ ଜୟ କୋଶଲ ଧ୍ୱନିରେ ପାଛୋଟି ଆଣି ସହର ପରିକ୍ରମା ପୂର୍ବକ ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର ଦର୍ଶନ କରାଇବା ସହ ସମ୍ବଲପୁର ରୋଡ଼ରେ ଲୋଇସିଂହା ଅଭିମୁଖେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇଥିଲେ । ଯାତ୍ରା ମଝିରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ପୃଥକ ପୃଥକ ଭାବେ ସ୍ୱାଗତ କରି ଯାତ୍ରାର ସଫଳତା କାମନା କରିଥିଲେ । ଏହି ଶୋଭାଯାତ୍ରାରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, କଳାକାର, ଲେଖକ ଓ ସଂସ୍କୃତି ପ୍ରେମୀ ଓ କୋଶଲ ସମର୍ଥକ ଯୋଗଦାନ କରି ସଫଳ କରିଥିଲେ ।

jayashree
Leave A Reply

Your email address will not be published.