ଘରେ ପଶି ଚୋରି କରିଥିବା ୩ ଅଭିଯୁକ୍ତ ଧରାପଡ଼ିଲେ ପୋଲିସ ହାତରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : କବାଟ ଭାଂଗି ଘର ପଶି ଚୋରି କରିଥିବା ୩ ଅଭିଯୁକ୍ତଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଆଦାର୍ଶ ଟାଉନ୍‌ ଥାନା ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ଥାନ ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଦିଆଯାଇଥିବା ସୂଚନା ଅନୁସାରେ ଗତ ଅଗଷ୍ଟ ମାସ ୬ ତାରିଖ ଦିନ ସ୍ଥାନୀୟ ଡୁଙ୍ଗୁରିପଡ଼ା ନିବାସୀ ଚରଣ କୁମାର ମିଶ୍ର ତାଙ୍କ ଘର ଚୋରି ହୋଇଥିବା ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିଥିଲେ । ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ ଯେ, ସେ ଅଗଷ୍ଟ ମାସ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ସେ ଘରେ ଅନୁପସ୍ଥିତ ଥିଲେ ଏବଂ ୫ ତାରିଖ ରାତି ୮ଟା ସମୟରେ ଆସି ଦେଖିଲେ ଯେ ତାଙ୍କ ଘରର କବାଟ ଭଙ୍ଗା ହୋଇଛି ଏବଂ ଚୋରି ହୋଇଛି । ତେବେ ଟାଉନ୍‌ ଥାନାରେ ଏ ସଂକ୍ରାନ୍ତରେ କେସ୍‌ ପଂଜିକୃତ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଆଜି ବଲାଙ୍ଗିର ଏହି ମାମଲାରେ ୩ ଜଣ ଅଭିଯୁକ୍ତ କନ୍ଧପାଲିପଡ଼ାର ସମନ ବାଗ(୨୫) ଓ ଆକାଶ ନନ୍ଦ(୩୦) ଏବଂ କଲେଜ ଛକର ସନ୍ଦିପ କୁମାର ଓରଫ୍‌ ଲିଙ୍କୁ(୨୫)କୁ ଗିରଫ କରିଥିବା ବେଳେ ସେମାନେ ଅଭିଯୋଗକାରୀ ଶ୍ରୀ ମିଶ୍ରଙ୍କ ଘରୁ ୧୨୦୦ କିପେଡ଼୍‌ ସାମସଙ୍ଗ ମୋବାଇଲ୍‌ ଫୋନ୍‌ ଚୋରି କରିଥିବା ସ୍ୱୀକାର କରିଥିବା ପୋଲିସ ପକ୍ଷରୁ କୁହାଯାଇଛି । ତେବେ ସେମାନଙ୍କଠାରୁ ଚୋରି ହୋଇଥିବା ମୋବାଇଲ୍‌ ସହ ଗୋଟିଏ ରେଡ୍‌ମି ନୋଟ୍‌୭ ସ୍ମାର୍ଟ ଫୋନ୍‌ ଏବଂ ଏକ ଟାଙ୍କିଆ ଜବତ୍‌ କରିଛି ପୋଲିସ । ସଂପୃକ୍ତ ଅଭିଯୁକ୍ତମାନେ ଅଭ୍ୟାସଗତ ଭାବେ ଅପରାଧିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ରହି ଆସୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.