ଶ୍ରୀରାମ ଜନ୍ମଭୂମି ଅୟୋଧ୍ୟାରେ ପୂଜିତ ଅକ୍ଷତ ବିତରଣ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରୀରାମ ଜନ୍ମଭୁମି ତିର୍ଥ କ୍ଷେତ୍ର, ବଲାଙ୍ଗିର ନଗର ଶାଖା ତରଫରୁ ଶ୍ରୀରାମ ଜନ୍ମଭୂମି ଅୟୋଧ୍ୟାରେ ପୂଜିତ ଅକ୍ଷତ ବିତରଣ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିରଠାରେ ନଗର ସଂଯୋଜକ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ସହରର ୩୦ଟି ପଡାରୁ ସଂଯୋଜକ, ସହ ସଂଯୋଜକ ତଥା ସହଯୋଗୀ ଉପସ୍ଥିତ ରହି ନିଜ ପଡାରେ କିପରି ଭାବରେ ଅକ୍ଷତ କଳସକୁ ସ୍ୱାଗତ କରିବା ସହିତ ଅକ୍ଷତ ଓ ନିମନ୍ତ୍ରଣ ବଣ୍ଟନ ତଥା ଜାନୁଆରୀ ୨୨ତାରିଖରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ପାଳନ କରିବେ ମତ ପ୍ରଦାନ କରିଥିଲେ । ବୈଠକରେ ଜିଲ୍ଲା ସଂଯୋଜକ ଦୟାନିଧି କରଣ ଯୋଜନା ଉପସ୍ଥାପନ କରିଥିଲେ । ଆସନ୍ତା ଡିସେମ୍ବର ୨୪ ତାରିଖ ଦିନ ଅପରାହ୍ନ ୩ଘଣ୍ଟା ସମୟରେ ଅକ୍ଷତ କଳସ ରାଧାକୃଷ୍ଣ ମନ୍ଦିରଠାରେ ନଗରର ସମସ୍ତ ପଡାର ଭାଇ ଭଉଣୀ ମାଆ ମାଉସି ତଥା ସାଧାରଣ ନାଗରିକମାନେ ଆସି ଭବ୍ୟ ସମାରୋହରେ ଅକ୍ଷତ କଳସ ନେଇ ନିଜ ପଡାର ଯେକୌଣସି ଦେବାଳୟଠାରେ ସ୍ଥାପିତ କରିବେ । ଜାନୁଆରୀ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ଏହି ଅକ୍ଷତ ଓ ନିମନ୍ତ୍ରଣ ପତ୍ର ପ୍ରତ୍ୟେକ ପରିବାରକୁ ନିମନ୍ତ୍ରଣ ସ୍ୱରୂପ ବଣ୍ଟନ କରାଯିବ ଏବଂ ଆସନ୍ତା ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନିଜ ପଡା ମନ୍ଦିରରେ ଧୁମଧାମରେ ପାଳନ କରାଯିବ । ତତ୍‌ ସହିତ ସେ ଦିନ ସନ୍ଧ୍ୟାରେ ପ୍ରତ୍ୟେକ ପରିବାରେ ଦୀପୋତ୍ସବ ପାଳନ କରିବା ସହିତ ସନ୍ଧ୍ୟା ୬ଘଣ୍ଟା ସମୟରେ ସମସ୍ତ ପରିବାରରେ ଘଣ୍ଟ, ଶଙ୍ଖ ହୁଳହୁଳି ସହିତ ଏକ ସଙ୍ଗରେ ୨ ମିନିଟ ପାଇଁ ଭଗବାନ ଶ୍ରୀରାମଙ୍କୁ ନିଜ ଘରକୁ ଆସିବା ପାଇଁ ନିବେଦନ ଜଣାଇବା ବୋଲି ନିଷ୍ପତ୍ତି ନିଆଗଲା । ପ୍ରାରମ୍ଭରେ ପ୍ରଣବ, ବୀଜ ମହାମନ୍ତ୍ର ଓ ହନୁମାନ ଚାଲିଶା ପାଠ ପୂର୍ବକ କାର୍ଯ୍ୟକ୍ରମକୁ ଆରମ୍ଭ କରି ପରିଶେଷରେ ଶାନ୍ତି ପାଠ କରାଯାଇଥିଲା । କାର୍ଯ୍ୟକ୍ରମକୁ ନଗର ସହ ସଂଯୋଜକ ବାବୁଲାଲ ମିଶ୍ର ସଂଯୋଜନା କରିଥିଲେ ।

Leave A Reply

Your email address will not be published.