centurian jitm

୫୬ତମ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : ସଦାଇପାଲି ସାଇଟ ଦଳ ଚମ୍ପିୟନ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମଠାରେ ଗତ ଡିସେମ୍ବର ୧୦ ତାରିଖରୁ ଚାଲିଥିବା ୫୬ତମ ସର୍ବଭାରତୀୟ ଇଂଜିନିୟରସ୍‌ କପ୍‌ ଓ ନର୍ସିଂ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ଡାଲମିୟା ସିମେନଟ ମାଇନିଂ ଅପରେସନର ମୁଖ୍ୟ ସରୋଜ କୁମାର ରାଉତ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଭୁବନେଶ୍ୱର ଋିତିକା ଜ୍ୱେଲରର୍ସର ପରିଚାଳନା ନିର୍ଦ୍ଧେଶକ କେ. ବଦ୍ରିନାରାୟଣ ସୁବୁଦ୍ଧି, ବଲାଙ୍ଗିର ସଦର ଥାନା ଆଇଆଇସି ରାଜକୁମାର ବିଶ୍ୱାଳ ଓ ସାମାଜିକ କର୍ମୀ ହିମାଂଶୁ ପାଢୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଆଜିର ଫାଇନାଲ ଖେଳଟି କୁଚିଣ୍ଡା ବିଏଫ୍‌ସି ଓ ସଦାଇପାଲି ସାଇଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଷ୍ଟାଡିୟମଟି ଉଭୟ ପୁରୁଷ ଓ ମହିଳା ଦର୍ଶକଙ୍କ ମଧ୍ୟରେ ଭରପୁର ଥାଇ ଖେଳଟି ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଓ ରୋମାଂଚକର ହୋଇଥିଲା । ପ୍ରଥମାର୍ଦ୍ଧରେ ସାଇଟ ଦଳ ତରଫରୁ ସୌରଭ ହନୁମାନ ଗୋଟିଏ ସୁନ୍ଦର ଗୋଲ ଦେଇ ଦଳଟିକୁ ଆଗୁଆ କରିଥିଲେ । ଖେଳଟି ଆକ୍ରମଣ ଓ ପ୍ରତି ଆକ୍ରମଣରେ ହଜାର ହଜାର ଦର୍ଶକ ଉଭୟ ଦଳର ଖେଳାଳୀଙ୍କୁ ଉତ୍ସାହିତ କରୁଥିଲେ । ଦ୍ୱିତୀୟାର୍ଦ୍ଧର ପ୍ରାୟ ଶେଷ ସମୟରେ କୁଚିଣ୍ଡା ଦଳ ତରଫରୁ ଖେଳୁଥିବା ଗୋଟିଏ ବିଦେଶୀ ଖେଳାଳୀ ରିଚାର୍ଡ ଗୋଟିଏ ସୁନ୍ଦର ଗୋଲ ଦେଇ ଖେଳକୁ ସମାନ ସ୍ତରକୁ ଆଣିଥିଲେ । ଫଳରେ ଟାଇ ବ୍ରେକର ପେନାଲ୍ଟିର ଆଶ୍ରୟ ନିଆଯାଇଥିଲା । ସେହି ବିଦେଶୀ ଖେଳାଳୀ ରିଚାର୍ଡ ପେନାଲ୍ଟି ଗୋଲ ଦେଇ ନ ପାରିବାରୁ ସାଇଟ ଦଳ ୪-୩ ଗୋଲରେ ବିଜୟୀ ହୋଇ ମୁଖ୍ୟ ଅତିଥିଙ୍କଠାରୁ ଚମ୍ପିୟନ ଟ୍ରଫି ଇଂଜିନିୟରସ୍‌ କପ୍‌ ସହ ପଇଁତିରିଶ ହଜାର ଟଙ୍କା ଅର୍ଥରାଶି ପୁରସ୍କାର ଗ୍ରହଣ କରିଥିଲେ । ସେହିପରି ସମ୍ମାନିତ ଅତିଥିମାନଙ୍କଠାରୁ ରର୍ନସ୍‌ ଅପ୍‌ ନର୍ସିଂ ଟ୍ରଫି ସହ ପଚିଶ ହଜାର ଟଙ୍କା ଅର୍ଥରାଶି କୁଚିଣ୍ଡା ଦଳ ଗ୍ରହଣ କରିଥିଲେ । ଆୟୋଜକ କମିଟୀର ସମ୍ପାଦକ ଡ. ନାରାୟଣ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣ କରାଯାଇଥିଲା । ରେଫରୀ ଭାବରେ ଖେଳକୁ ସୁବ୍ରତ ପୁରୋହିତ, ନୀଳ ନାଏକ, ସଂଜିବ ମହାରଣା ଓ ସୁଧାଂଶୁ ସେଠ ପରିଚାଳନା କରିଥିଲେ । ସୁନୀଲ ଚନ୍ଦ୍ର ବିଶ୍ୱାଳ ମ୍ୟାଚ କମିଶନରର ଦାୟିତ୍ୱ ବହନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଫୁଟବଲ ସଂଘ ତଥା ବଲାଙ୍ଗିର କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ରାମଜୀ ଯୁବକ ସଂଘର ସଭାପତି ଡା. ପ୍ରମୋଦ କୁମାର ମିଶ୍ର, ସଦାଇପାଲି ସମିତି ସଭ୍ୟ ଗୋଲାପ ବାଗ, ପରାସର ବାଗ, ଚଗଲା ପରିଛା, ଶଶି ଶେଖର ପଣ୍ଡା, ହେମନ୍ତ ବେହେରା, ଶରତ ନନ୍ଦ, ଅବଦୁଲ ମୁଜିବ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.