ବସ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଲମପୁର ଜୁନାଗଡ଼ ପୂର୍ତ୍ତ ବିଭାଗ ରାସ୍ତାର ଚିଲକପୁର ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଫଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ କଲମପୁର ଥାନା ଅନ୍ତର୍ଗତ ତୋତ୍ରା ଗୁଡା ଗ୍ରାମର ଜଗନ୍ନାଥ ନାଏକ ଏବଂ ଗୁମାବାହାଲ ଗ୍ରାମର କରିତ ମାଝୀ ବୋଲି ପ୍ରାଥମିକ ସୂଚନା ମିଳିଛି । ସୂଚନାନୁଯାୟୀ, ସୋମବାର ସନ୍ଧ୍ୟାରେ ଜୁନାଗଡ଼ ଥାନା ଅନ୍ତର୍ଗତ ଚିଲକପୁର ପେଟ୍ରୋଲ ପମ୍ପ ନିକଟରେ ମୁଖିଗୁଡାରୁ କଲମପୁର ଭାୟା ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଲକି ନାମକ ଏକ ଘରୋଇ ବସ ନମ୍ବର ଓଡ଼ି- ୦୫ ପି ୨୧୭୪ ଜୁନାଗଡ଼ ପଟୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା । ଧକ୍କା ହୋଇ ବାଇକ ଏକ ପୋଲରେ ପିଟି ହୋଇଯାଇଥିଲା । ଫଳରେ ଉକ୍ତ ବାଇକରେ ଥିବା ଦୁଇ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣା ଯାଇଛି । ଡ୍ରାଇଭର ସହ ବସକୁ ଜୁନାଗଡ଼ ଥାନାରେ ଅଟକ ରଖାଯାଇଛି । ଦୁଇ ବାଇକ ଆରୋହୀଙ୍କ ମୃତ ଦେହକୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବେଚ୍ଛେଦ ପାଇଁ ରଖାଯାଇଛି । ଜୁନାଗଡ଼ ଓ ଚିଲିଗୁଡା ପୋଲିସ ତଦନ୍ତ ଜାରି ରଖିଛି । ଏକ ତାରିଖରୁ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯାଉଥିବା ବେଳେ ଦୁଇ ଦିନରେ ଜୁନାଗଡ଼ ଥାନା ଅଞ୍ଚଳରେ ପୃଥକ ପୃଥକ ଦୁଇଟି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.