jayashree

ବଲାଙ୍ଗିରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୨୯୬.୫୦ କୋଟି ଟଙ୍କା ମଞ୍ଜୁର

  • ସୁନଗଡ ନଦୀରେ ସିକୁଆଁ ପ୍ରକଳ୍ପ ପାଇଁ ୪୯ କୋଟି, ଅଙ୍ଗ ନଦୀରେ କୁଟସିଙ୍ଘା ପ୍ରକଳ୍ପ ପାଇଁ ୨୪୭.୫୦ କୋଟି
  • ୪ଟି ବ୍ଲକ୍‌ର ଜନସାଧାରଣ ଉପକାର ପାଇବେ
  • ଭୂତଳ ଜଳର ସ୍ତର ବୃଦ୍ଧି, ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦିରେ ହେବ ସହାୟକ
  • 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ ବଲାଙ୍ଗିର ଗସ୍ତ ସମୟରେ ମିଳିଥିଲା ପ୍ରସ୍ତାବ, ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ପ୍ରକଳ୍ପ ଅନୁମୋଦନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୯୬.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହି ପ୍ରକଳ୍ପ ଦୁଇଟି ହେଉଛି – ସୁନଗଡ ନଦୀରେ ସିକୁଆଁ/ସିଲେଟକଣି ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ଅଙ୍ଗ ନଦୀରେ କୁଟସିଙ୍ଘା ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ସିକୁଆଁ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୪୯ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ କୁଟସିଙ୍ଘା ପ୍ରକଳ୍ପ ପାଇଁ ୨୪୭.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ବଲାଙ୍ଗିର ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ । ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ।

ଏହାଦ୍ବାରା ୪ଟି ବ୍ଲକ୍‌ର ଲୋକ ଉପକୃତ ହେବେ । ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ବିଶେଷ ସହାୟକ ହେବ । ସିକୁଆଁ ପ୍ରକଳ୍ପ ଦ୍ବାରା ଦେଓଗାଁ ଓ ବଲାଙ୍ଗିର ବ୍ଲକ୍‌ରେ ଜନସାଧାରଣ ଉପକୃତ ହେବା ବେଳେ, କୁଟସିଙ୍ଘା ପ୍ରକଳ୍ପ ଦ୍ବାରା ଡୁଙ୍ଗୁରିପାଲି ଓ ଅଗଲପୁର ବ୍ଲକ୍‌ର ଜନସାଧାରଣ ଉପକାର ପାଇବେ ।

Leave A Reply

Your email address will not be published.