ଚାଷୀ ପ୍ରତିନିଧିଙ୍କ ଚାଷୀ ଆତ୍ମହତ୍ୟା ଘଟଣାରେ ବୁବେଲ ଗ୍ରାମ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମିଳିତ କୃଷକ ମଂଚ, ବଲାଙ୍ଗିରର ଏକ ଚାରି ଜଣିଆ ପ୍ରତିନିଧି ମଣ୍ଡଳୀ ବୁବେଲ ଗ୍ରାମର ଆତ୍ମହତ୍ୟା କରିଥିବା ଚାଷୀ ରମେଶ କୁମାର ଭୋଇଙ୍କ ପରିବାର ସଦସ୍ୟ ତଥା ଗ୍ରାମବାସୀଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ଆକାଶ ମିଶ୍ର, ଯତି ପ୍ରଧାନ, ବିଭୁଦତ୍ତ ମିଶ୍ର ଓ ମଧୁସୁଦନ କ୍ଷେତି ଯାଇ ଚକଡା ଓ ମାଟିଗୁଣ୍ଡି ପ୍ରଭୃତି ପୋକ ଦାୟରୁ ଫସଳ ରକ୍ଷା କରି ନ ପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଚାଷୀ ସ୍ୱର୍ଗତ ରମେଶ କୁମାର ଭୋଇଙ୍କ ପତ୍ନୀ ତଥା ସନ୍ତାନମାନଙ୍କୁ ଭେଟି ସମବେଦନା ଜଣାଇଥିଲେ । ପରେ ସଂପୃକ୍ତ ଧାନକ୍ଷେତକୁ ମଧ୍ୟ ଗସ୍ତ କରି କ୍ଷତିଗ୍ରସ୍ତ ଧାନ ଫସଲକୁ ନିରୀକ୍ଷଣ କରି ବ୍ୟାପକ କ୍ଷତି ହୋଇଥିବାର ଜାଣିବାକୁ ପାଇଥିଲେ । ରୋଗ, ପୋକ ଦାଉରୁ ରକ୍ଷା କରିବା ପାଇଁ ବିଲରୁ ପାଣି ମଧ୍ୟ କଟାଯାଇ ପ୍ରାକୃତିକ ଉପାୟରେ ପୋକ ଦମନ ପାଇଁ ଚାଷୀ ସ୍ୱର୍ଗତ ଭୋଇ ଚେଷ୍ଟା କରିଥିବାର ଜଣାପଡିଥିଲା । ଦୁଇ ଦୁଇ ଥର କୀଟ ନାଶକ ସିଞ୍ଜନ ପରେ ମଧ୍ୟ ପୋକ ଦମନ ନ ହେବାରୁ ଶ୍ରୀ ଭୋଇ ଫସଲ ହାନୀ ଓ ଋଣ ସୁଝିବା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଏକ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ । କୃଷି ବିଭାଗର ଏଥିପ୍ରତି ଚରମ ଉଦାସୀନତାକୁ ଚାଷୀ ନେତାମାନେ ନା ପସନ୍ଦ କରି ଶ୍ରୀ ଭୋଇଙ୍କ ବିଧବା ପତ୍ନୀ ଖିରୋଦିନୀ ଭୋଇଙ୍କୁ ଉଚିତ କ୍ଷତିପୁରଣ ଯଥା ୫୦ ଲକ୍ଷ ଟଙ୍କା ଏବଂ ତନମଧ୍ୟରୁ ୫ଲକ୍ଷ ଟଙ୍କା ତୁରନ୍ତ ସାହାଯ୍ୟ ସହ ତାଙ୍କୁ ଯୋଗ୍ୟତା ଅନୁସାରେ ସରକାରୀ ଚାକିରି ତଥା ସନ୍ତାନ ଚନ୍ଦନ ଭୋଇ ଏବଂ ଗୁଡଲି ଭୋଇଙ୍କ ଶିକ୍ଷା ବାବଦରେ ସମସ୍ତ ଖର୍ଚ୍ଚ ସରକାର ବହନ କରିବାକୁ ଦୃଢ ଦାବୀ କରିଥିଲେ ।

jittmm
Leave A Reply

Your email address will not be published.