ମୁରିବାହାଲ ଥାନା ଅଞ୍ଚଳରୁ ୭ ଦାଦନ ଶ୍ରମିକ ଉଦ୍ଧାର : ଅଟୋ ସହ ଡ୍ରାଇଭର ଅଟକ, ଦାଦନ ଦଲାଲ ଓ ସର୍ଦ୍ଦାର ଫେରାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରୁ ଗୋଟିଏ ପରିବାରର ୨ ଶିଶୁଙ୍କ ସମେତ ୭ ଜଣ ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରିଥିବା ବେଳେ ଏହି ଶ୍ରମିକମାନଙ୍କୁ ଚାଲାଣ କରୁଥିବା ଦାଦନ ଦଲାଲ ଓ ସର୍ଦ୍ଦାର ଜଣଙ୍କ ଫେରାର ହୋଇଯାଇଥିବା ଜଣାପଡିଛି । ସମସ୍ତ ଦାଦନ ଶ୍ରମିକ ଟିଟିଲାଗଡ ଥାନା କତରକେଲା ପଞ୍ଚାୟତ କୁମୁଡ଼ିପଦର ଗ୍ରାମର ହୋଇଥିବା ବେଳେ ଏମାନଙ୍କୁ ତାଙ୍କ ଗ୍ରାମର ଦାଦନ ଦଲାଲ ଡାକ୍ଟର ବାଗ ଓ କଣ୍ଟାବାଞ୍ଜିର ମୁଖ୍ୟ ସର୍ଦ୍ଦାର ଇବ୍ରାହିମ ଖାଁ ଓରଫ୍‌ ଟାରଜନ ୪୦ରୁ ୫୦ହଜାର ଟଙ୍କା ବଇନା ଦେଇ ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଉଦ୍ଧାର ଦାଦନ ଶ୍ରମିକମାନେ ହେଲେ ଲମ୍ବୋଦର ଦେବଗୁରୁ(୪୫), ଲକ୍ଷ୍ମୀ ଦେବଗୁରୁ(୪୦), ତପନ ଦେବଗୁରୁ(୨୨), ଦୀପାଞ୍ଜଳି ଦେବଗୁରୁ(୧୮) ଓ ଲଳିତା ଦେବଗୁରୁ(୧୮)ଙ୍କ ସହ ଅନ୍ୟ ଦୁଇ ଜଣ ଛୋଟ ଶିଶୁଥିବା ଜଣାପଡ଼ିଛି । ଏମାନଙ୍କୁ ମୁରିବାହାଲରୁ ଗୁଲମୀ ରାସ୍ତାରେ ପୁଲିସ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ଅଟୋ ନଂ ସିଜି ୦୪ ଟି ୪୩୭୬ରେ ଚାଲାଣ କରୁଥିବା ବେଳେ ଉଦ୍ଧାର କରିଥିଲା । ଟିଟିଲାଗଡର ଅଟୋ ଡ୍ରାଇଭର ରାଜେଶ ନାଗ(୪୫)ଙ୍କୁ ପୁଲିସ ଅଟକ ରଖିଛି । ଖବର ପାଇ ବଲାଙ୍ଗିର ଲେବର ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସୁନା ଓ ଏଏଲ୍‌ଓ ସୁକାନ୍ତ ସେଠୀ ପହଞ୍ଚି ଅଧିକ ତଦନ୍ତ କରି ସମସ୍ତଙ୍କୁ ତାଙ୍କ ପରିବାର ନିକଟକୁ ପଠାଇ ଦିଆଯାଇଛି ବୋଲି କହିଛନ୍ତି । ଦାଦନ ଶ୍ରମିକଙ୍କୁ ଚାଲାଣ କରୁଥିବା ଦାଦନ ଦଲାଲ ଓ ସର୍ଦ୍ଦାର ଫେରାର ଥିବା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ତେବେ ଦୀର୍ଘ ଦିନ ପରେ ଅଞ୍ଚଳରୁ ଏହା ପ୍ରଥମ ଦାଦନ ଉଦ୍ଧାର ଘଟଣା ଅଟେ ।

Leave A Reply

Your email address will not be published.