pakka

ମହାଭାରତ

bbehera
  • ନୀଳାଦ୍ରି ମହାପାତ୍ର

ଏବେ ତୋର ମୋର
ସଂପର୍କ କହିଲେ
ପଶାଖେଳ ପରବର୍ତ୍ତୀ ଦୃଶ୍ୟ।

ମୋର ସମସ୍ତ
କାମନା -ବାସନା
ବିଶ୍ୱାସ -ଛଳନା
ସାତ ସିନ୍ଦୁକରେ ସାଇତା
ଚିନ୍ତା ଓ ଚେତନା
ବାଜି ଲଗେଇ ହାରି ସାରିଛି
ତୋ ଗୁପ୍ତ ଗୋଟି ଚାଳନାରେ ।

ତୋ ଛାତିରେ ଆଉ
ସୂଚ୍ୟଗ୍ର ମେଦିନୀ ନାହିଁ
ମୋ ପ୍ରେମମୟ ପାଦ ଥାପିବାକୁ
ମୋ ସମର୍ପଣ ପଣର କେଶକୁ
ଘୋଷାରି,
ତୋ ରକ୍ତିମ ରାଜସଭାରେ
ମୋତେ ଉଭା କର
ମୋ ଥର ଥର କାକୁସ୍ଥକ୍ରାନ୍ତ
କାଂଦୁର ଦେହଟାକୁ
ବିବସ୍ତ୍ର କର
ଖାଲି ଆଖିରେ
ଦେଖିପାରିବୁ ମୋ ଦେହର କ୍ଷତ ।

ମୋର ତ ଆରମ୍ଭ ହବ ଏବେ
ଅଜ୍ଞାତ ବାସ, ବନବାସ
ନିର୍ଜନତା ସହ ସହବାସ
ହେଇଯିବି
ତୋ ଛାଇ ପଡୁନଥିବା ରାଜ୍ୟର
ଛତ୍ରପତି ସମ୍ରାଟ ।

ତୋ ହାତ ତିଆରି
ଛଳନାର ରମ୍ୟ ଜତୁଗୃହରେ
ଜଳିବି ମୁଁ ଆଜୀବନ
କୋଉ ଶତ୍ରୁଟାଏ ଯେ
ତୋ ପାଇଁ ରଚି ବସିବି ମହାଭାରତ
ଖୋଜି ବସିବି ବ୍ରହ୍ମାସ୍ତ୍ର, ଦିବ୍ୟାସ୍ତ୍ର
ଏମିତିରେ ତ ତୋ ଜୀବନ ନେଇଯିବ
ମୋ ନିଶ୍ୱାସରେ ବାହୁନୁଥିବା
ତୋ ପାଇଁ ଶବ୍ଦଭେଦି ବତାସ ।

ନିର୍ବିକଳ୍ପ
ସହିଦନଗର
ଭୁବନେଶ୍ଵର
9431113658

jay balangir
Leave A Reply

Your email address will not be published.

five + eight =