ବଲାଙ୍ଗିର, (କେପିଏନ୍ଏସ୍) : ଠକ ହାବୁଡ଼ରେ ଏସ୍ଏଚ୍ଜି ଗ୍ରୁପ୍, ଥାନାରେ ମାମଲା । ଏଭଳି ଏକ ଘଟଣା ଘଟିଛି ପୁଇଁତଲା ଥାନା ଅନ୍ତର୍ଗତ ଖଇରମାଲ ଗାଁରେ । ଅଭିଯୋଗ ଅନୁସାରେ ଖଇରମାଲ ଗାଁରେ ୧୦ ଜଣ ମହିଳାଙ୍କୁ ନେଇ ଏକ ଏସ୍ଏଚ୍ଜି ଗ୍ରୁପ୍ ଗଠିତ ହୋଇଥିବା ବେଳେ ବୈଦେହୀ ବରିହା(୩୫) ସେହି ଗ୍ରୁପ୍ରେ ସଂପାଦିକା ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୩ ବର୍ଷ ତଳେ ସେହି ଗ୍ରାମର ଅଂଜନ କୁମାର ନାଗ ନାମକ ଜଣେ ଯୁବକ ଗାଁର ପିଲାମାନଙ୍କୁ ପାଠ ପଢ଼ାଇବା ସହ ଏସ୍ଏଚ୍ଜି ଗ୍ରୁପ୍ର ମହିଳାମାନଙ୍କୁ ନାନା ପ୍ରକାର ଲୋଭ ଦେଖାଇଥିଲେ । ଲୋଭରେ ପଡ଼ି ଏସ୍ଏଚ୍ଜି ଗ୍ରୁପ୍ର ମହିଳାମାନେ ଏଚ୍ଡିଏଫ୍ସି ବ୍ୟାଙ୍କରୁ ଗ୍ରୁପ୍ର ଦଶ ଜଣଙ୍କ ନାମରେ ୩ ଲକ୍ଷ ଟଙ୍କା ଋଣ ଆଣି ଅଂଜନଙ୍କୁ ଦେଇଥିଲେ । ଏହାପରେ ଅଂଜନ କିଛି ଦିନ ବ୍ୟାଙ୍କରେ ଋଣ କିସ୍ତି ପଇଠ କରିବା ପରେ ବାକି ଋଣ ଟଙ୍କା ଦେଲେ ନାହିଁ । ଏହାପରେ ବ୍ୟାଙ୍କ କର୍ମଚାରୀମାନେ ଏସ୍ଏଚ୍ଜି ଗ୍ରୁପ୍ର ମହିଳାମାନଙ୍କୁ ଋଣ ପରିଶୋଧ ପାଇଁ କହୁଛନ୍ତି । ସେହିପରି ଗ୍ରୁପ୍ର ୮ ଜଣ ମହିଳାଙ୍କ ନାମରେ ପୁଣି ୨ ଲକ୍ଷ ଟଙ୍କା ଏକ୍ସିସ୍ ବ୍ୟାଙ୍କରୁ ଋଣ କରି ଅଂଜନ କୁମାର ନାଗଙ୍କୁ ଏସ୍ଏଚ୍ଜି ମହିଳା ଗ୍ରୁପ୍ ଦେଇଥିବା ବେଳେ ସେହି ଋଣ ଟଙ୍କା ମଧ୍ୟ ସେ ପଇଠ କରୁନଥିବା ଯୋଗୁଁ ବ୍ୟାଙ୍କ କର୍ମଚାରୀମାନେ ସ୍ଏଚ୍ଜି ଗ୍ରୁପ୍ର ମହିଳାମାନଙ୍କୁ ଟଙ୍କା ଫେରସ୍ତ ମାଗୁଥିବା ଅଭିଯୋଗ କରିଛନ୍ତି । ଏପରିକି ମହିଳାମାନଙ୍କ ପାସ୍ବୁକ୍ରୁ ମଧ୍ୟ ଚଂଚକତା କରି ରଂଜନ ଟଙ୍କା ଉଠାଇ ନେଇଥିବା ସଂପୃକ୍ତ ମହିଳାମାନେ ଅଭିଯୋଗ କରିଛନ୍ତି । ଏହାର ବିହିତ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୁଇଁତଲା ଥାନାରେ ଏସ୍ଏଚ୍ଜି ଗ୍ରୁପ୍ ପକ୍ଷରୁ ଅଭିଯୋଗ କରାଯାଇଛି ।
Next Post