ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକ ଓ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ଆଗରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଡାକରାରେ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ତଥା ରାଜ୍ୟ ହରିଜନ ମୋର୍ଚ୍ଚା ସେଲ ସଂଯୋଜକ ଭାଗିରଥୀ ବେହେରାଙ୍କ ନେତୃତ୍ୱରେ ଦୁଇ ବ୍ଲକ ଅଫିସ୍ମାନଙ୍କରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଦୁଇ ବ୍ଲକ ଅଫିସ ବ୍ୟାପକ ପିସି କାରବାର ଚାଲୁଥିବା ସାଂଗକୁ ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନରେ ପ୍ରିୟାପ୍ରୀତି ତୋଷଣ ଦେଖାଦେଇଛି । ପି.ଏମ୍.ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ କର୍ମୀ । ଏପରିକି ବେକାରୀ ସମସ୍ୟା, ଦରଦାମ୍ ବୃଦ୍ଧି, ନାରୀ ନିର୍ଯାତନା, ଚାଷୀ ମାରଣ ନୀତି ସବୁଠୁ ଉର୍ଦ୍ଧ୍ବରେ ରହିଛି ବୋଲି ତୀବ୍ର ବିରୋଧ କରାଯାଇଛି । ସର୍ବୋପରି ଟାଟା ପାୱାରର ଖାଉଟି ମାରଣ ନୀତି ଯୋଗୁଁ ଗରୀବ ଲୋକମାନେ ହନ୍ତସନ୍ତ ହୋଇଗଲେଣି । ଏହି ସମସ୍ତ ବିଷୟରେ ଅବଗତ ହୋଇ ପ୍ରଶାସନ ଖୁବଶୀଘ୍ର ପଦକ୍ଷେପ ନେଇ ଏହାର ଆଶୁ ସମାଧାନ କରାଯିବା ନେଇ ପ୍ରଶାସନକୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହିସବୁ ସମସ୍ୟା ବିରୁଦ୍ଧରେ ସ୍ୱର ଉଠାଇ ଏହି ନଅ ଗୋଟି ଦାବୀ ନେଇ ଛତ୍ରପୁର ବ୍ଲକ ଓ ଗଞ୍ଜାମ ବ୍ଲକ ଘେରାଉ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକ ସଭାପତି ଏନ. ଗଣେଶ ରେଡ୍ଡୀ, ଛତ୍ରପୁର ନଗର ସଭାପତି ଜଲାଲ ଖାନ୍, ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ, ବରିଷ୍ଠ ନେତା ଗଣପତି ବାରିକ, ଅଶୋକ ପଟ୍ଟନାୟକ, ଛାତ୍ର ନେତା ମହେଶ କୁମାର ଗୌଡ଼, ଚକ୍ରପାଣି ପଲାଇ, ଶ୍ରୀନିବାସ ରାଓ, ହୃଷୀକେଶ ବେହେରା, ଭବାନୀ ବେହେରା, ଧରଣୀ ବାରିକ, ରବି ମୁଦୁଲି ପ୍ରମୁଖ ଯୋଗ ଏହି ବିକ୍ଷୋଭ ଓ ରାଲିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।