୩ରୁ ଭୋପାଳରେ ଏସିଆର ସର୍ବବୃହତ୍ ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ‘ଉନ୍ମେଷ’

  • ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ୭୫ଟି କାର୍ଯ୍ୟକ୍ରମରେ ଯୋଗଦେବେ ଶହେ ଭାଷାର ୫୭୫ ଲେଖକ

ଭୋପାଳ : ଅଗଷ୍ଟ ୩ରୁ ୬ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଭୋପାଳରେ ଏସିଆର ସର୍ବବୃହତ୍ ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ‘ଉନ୍ମେଷ’ ଅନୁଷ୍ଠିତ ହେବ । ଭୋପାଳରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାହିତ୍ୟ ଏକାଡେମୀର ସଚିବ କେ. ଶ୍ରୀନିବାସରାଓ କହିଛନ୍ତି ଯେ, ଏହା ବିଶ୍ୱର ସର୍ବବୃହତ୍ ସାହିତ୍ୟ ମହୋତ୍ସବ ହେବାକୁଯାଉଛି । ଏହି ଉତ୍ସବର ପ୍ରତ୍ୟେକ ସଂସ୍କରଣରେ ନୂତନ ବିଷୟ ଏବଂ ନୂଆ ଲେଖକମାନଙ୍କୁ ଆଲୋଚନାରେ ଅଂଶଗ୍ରହଣ କରିବାର ସୁଯୋଗ ଦିଆଯାଉଛି ବୋଲି ସେ କହିଥିଲେ । ଏହି ସାହିତ୍ୟ ମହୋତ୍ସବ ସହିତ ସଂଗୀତ ନାଟକ ଏକାଡେମୀ ଦ୍ୱାରା ‘ଉତ୍କର୍ଷ’ ଶୀର୍ଷକୋଥ ଜାତୀୟ ଲୋକ ଏବଂ ଆଦିବାସୀ ପ୍ରଦର୍ଶନ କଳା ମହୋତ୍ସବ ମଧ୍ୟ ଅନୁଷ୍ଠିତ ହେବ । ଉଭୟ କାର୍ଯ୍ୟକ୍ରମକୁ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନ କରିବେ । ଏହି ଅବସରରେ ମଧ୍ୟପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ଓ ସଂସ୍କୃତି ବିଭାଗର ରାଜ୍ୟ ମନ୍ତ୍ରୀ ମୀନାକ୍ଷୀ ଲେଖୀ ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉମା ନନ୍ଦୁରୀ ଉପସ୍ଥିତ ରହିବେ । ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀ, ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଏବଂ ମଧ୍ୟପ୍ରଦେଶ ସରକାର ମିଳିତ ଭାବେ ଏହି ଉତ୍ସବ ଆୟୋଜନ କରୁଛନ୍ତି । ଏଥିରେ ୭୫ଟି ଅଧିବେଶନରେ ୧୦୦ଟି ଭାଷାର ୫୭୫ରୁ ଅଧିକ ଲେଖକ ଲେଖିକା ଅଂଶଗ୍ରହଣ କରିବେ । ଭାରତ ବ୍ୟତୀତ ଅନ୍ୟ ୧୩ଟି ଦେଶର ଲେଖକମାନେ ଏହି ଉତ୍ସବରେ ଯୋଗଦେବେ । ସୂଚନାଯୋଗ୍ୟ ଯେ, ଏହା ହେଉଛି ‘ଉନ୍ମେଷ’ର ଦ୍ୱିତୀୟ ସଂସ୍କରଣ । ଗତ ବର୍ଷ ଜୁନ୍ ମାସରେ ଶିମଲାଠାରେ ଏହାର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା । ଏଥର ‘ଉନ୍ମେଷ’ ସାହିତ୍ୟ ମହୋତ୍ସବରେ ବହୁଭାଷୀ କବିତା ଏବଂ ଗଳ୍ପ ପାଠ ସହିତ ଡାକ୍ତରଙ୍କ ସାହିତ୍ୟ, ସମୁଦ୍ର ସାହିତ୍ୟ, ଯନ୍ତ୍ରର ଉତ୍ଥାନ – ଲେଖକହୀନ ସାହିତ୍ୟ, ସୃଜନଶୀଳତା ବୃଦ୍ଧି କରୁଥିବା ଶିକ୍ଷା, ଅନୁବାଦ, ଯୋଗ ସାହିତ୍ୟ, ସାହିତ୍ୟ ଏବଂ ପ୍ରକୃତି, ଇ-ସାହିତ୍ୟ ଇତ୍ୟାଦି ନୂଆ ବିଷୟରେ ଆଲେଚନାଚକ୍ର ଅନୁଷ୍ଠିତ ହେବ । ଅନ୍ୟ ଅଧିବେଶନ ଗୁଡ଼ିକରେ ଭାରତୀୟ କବିତା, ଭାରତୀୟ ଭକ୍ତି ସାହିତ୍ୟ, ଭାରତର ସାଂସ୍କୃତିକ ଐତିହ୍ୟ, ଭାରତୀୟ ନାଟକରେ ଭିନ୍ନ ଧାରା, ବିବିଧତା ମଧ୍ୟରେ ଏକତା, ସିନେମା ଏବଂ ସାହିତ୍ୟ, ବିଦେଶୀ ଭାଷାରେ ଭାରତୀୟ ସାହିତ୍ୟର ପ୍ରଚାର ପ୍ରସାର, ମାତୃଭାଷାର ମହତ୍ତ୍ବ, ନାରୀବାଦ ଏବଂ ସାହିତ୍ୟ, ଆଦିବାସୀ ସାହିତ୍ୟ ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯିବ । ଏହି ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବରେ ବହୁ ପ୍ରତିଷ୍ଠିତ ଲେଖକ, ବିଦ୍ୱାନ, ସାମ୍ବାଦିକ, ଅନୁବାଦକ, ପ୍ରକାଶକ, ସାଂସ୍କୃତିକ କର୍ମୀ, ନାଟ୍ୟକର୍ମୀ, ଚଳଚ୍ଚିତ୍ର ନିର୍ମାତାଙ୍କ ବ୍ୟତୀତ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ତେଲେଙ୍ଗାନାର ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜନ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ । ପ୍ରତି ସନ୍ଧ୍ୟାରେ ମଧ୍ୟପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଉତ୍ସବରେ ସାହିତ୍ୟ ଏକାଡେମୀ ଏବଂ ଅନ୍ୟ ସାହିତ୍ୟ ଅନୁଷ୍ଠାନଗୁଡ଼ିକର ପୁସ୍ତକ ଆକର୍ଷଣୀୟ ରିହାତି ମୂଲ୍ୟରେ ବିକ୍ରି ପାଇଁ ଉପଲବ୍ଧ ହେବ ।

Leave A Reply

Your email address will not be published.