ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ଲୋୟର୍ ସୁକ୍ତେଲ୍ ଡ୍ୟାମ୍ର ଜଳସ୍ତର ବଢ଼ିଚାଲିଥିବା ବେଳେ ବସ୍ଥାପିତଙ୍କୁ ଗାଁ ଛାଡ଼ିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସୂଚନା ଅନୁସାରେ ଡ୍ୟାମ୍କୁ ୧୭୬ କ୍ୟୁବିକ୍ ମିଟର ଜଳ ପ୍ରବେଶ ଥିବା ବେଳେ ମାତ୍ର ୩୦ କ୍ୟୁବିକ୍ ମିଟର ଜଳ ଏବେ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବଢ଼ିବାରେ ଲାଗିଛି । କିଛି ଗାଁକୁ ଡ୍ୟାମ୍ ପାଣି ପହଂଚି ସାରିଥିବା ବି କୁହାଯାଉଛି । ଏଭଳି ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣାଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ବିସ୍ଥାପିତଙ୍କ ପାଖକୁ ପହଂଚି ଗାଁ ଛାଡ଼ିବାକୁ ନେହୁରା ହୋଇଛନ୍ତି । ସେମାନଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବାସସ୍ଥାନକୁ ଚାଲିଯିବା ପାଇଁ ଅନୁରୋଧ କରାଯାଇଛି । ଅନ୍ୟପକ୍ଷରେ ବିସ୍ଥାପିତମାନେ ପ୍ରଶାସନର ଅନୁରୋଧକୁ ଶୁଣିନାହାନ୍ତି । ଗାଁ ନଛାଡ଼ିବା ପାଇଁ ଅଡ଼ି ବସିଛନ୍ତି । ସଂପୂର୍ଣ୍ଣ ବିସ୍ଥାପିତ ଅର୍ଥ ନ ପାଇବା ପର୍ଯ୍ୟନ୍ତ ସେମାନେ ଗାଁରେ ରହିବାକୁ ଜିଦ୍ ଧରି ରହିଛନ୍ତି । ସେପଟେ ଡୁଙ୍ଗୁରିପାଲି, ଅନ୍ତପାଲି, ବନ୍ଛୋର୍ପାଲି ଭଳି ଅନେକ ଗାଁରେ ନାନା ପ୍ରକାର ଅବ୍ୟବସ୍ଥା ଦେଖା ଦେଇସାରିଛି । ଡ୍ୟାମ୍ ଜଳସ୍ତର ବଢ଼ିବା କାରଣରୁ ବିଜୁଳି ଓ ପିଇବା ପାଣି ଯୋଗାଣରେ ବ୍ୟାଘାତ ସୃଷ୍ଟି ହୋଇଛି । ତଥାପି ମଧ୍ୟ ବିସ୍ଥାପିତମାନେ ମାଟି ଛାଡ଼ିବାକୁ ନାରାଜ ଥିବା ବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ବୁଝାସୁଝା କରିବାର ଉଦ୍ୟମ ଜାରି ରହିଥିବା ଦେଖିବାକୁ ମିଳିଛି । ଯଦି ଆଗକୁ ବର୍ଷା ଲାଗି ରହେ, ତେବେ ଆହୁରି ଫୁଲିବ ଲୋୟର୍ ସୁକ୍ତେଲ୍ ଡ୍ୟାମ୍ ଓ ଗାଁରେ ରହି ଯାଇଥିବା ବିସ୍ଥାପିତଙ୍କ ପ୍ରତି ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା ରହିଛି । ଏହି କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଅଂଟା ଭିଡ଼ିଛି ବିସ୍ଥାପିତଙ୍କୁ ଗାଁରୁ ସ୍ଥାନାନ୍ତର କରିବା ପାଇଁ ।
Next Post