କେନ୍ଦୁପତ୍ର ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀ ଧୋକା ଦେଇ “ଲଲିପପ” ଧରାଇ ଦେଲେ : ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ୪୦ ହଜାର ବନ୍ଧେଇ ଶ୍ରମିକ ଓ ୨୨ ହଜାର ସିଜିନାଲ କର୍ମଚାରୀମାନଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଧୋକା ଦେଇ “ଲଲିପପ” ଧରାଇ ଦେଲେ ବୋଲି ପଦ୍ମପୁର ପୂର୍ବତନ ବିଧାୟକ ତଥା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ନେତା ପ୍ରଦୀପ ପୁରୋହିତ ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ଗତ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିବା ପଛରେ ଓଡ଼ିଶାର କେନ୍ଦୁପତ୍ର ଶ୍ରମିକମାନଙ୍କ ମଧ୍ୟ ଏକ ବଡ ଯୋଗଦାନ ଅଛି । ନବୀନ ପଟ୍ଟନାୟକଙ୍କ ସରକାର ବିଭିନ୍ନ ସମୟରେ କେନ୍ଦୁପତ୍ର ଶ୍ରମିକମାନଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପୁରଣ କଲେ ନାହିଁ କେନ୍ଦୁପତ୍ର ଲାଭାଂଶରୁ ଶହେ ପ୍ରତିଶତ ବୋନସ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଏବେ ମାତ୍ର ୨୫% ବୋନସ ଘୋଷଣା କରିବା ଦ୍ୱାରା କେନ୍ଦୁପତ୍ର ଶ୍ରମିକମାନଙ୍କୁ ଧୋକା ଦେଇଛନ୍ତି ବୋଲି ଶ୍ରୀ ପୁରୋହିତ ସରକାରଙ୍କୁ ସମାଲୋଚନା କରିଛନ୍ତି । ୨୦୧୩ ମସିହା ଜାନୁୟାରୀ ୧୩ ତାରିଖ ଦିନ ରେଢାଖୋଲଠାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଦ୍ୱାରା ଆୟୋଜିତ କରାଯାଇଥିବା ଏକ ବିଶାଳ ଶ୍ରମିକ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀଙ୍କ ପାଇଁ ଚାକିରି ସର୍ତ୍ତାବଳୀ ଲାଗୁ କରାଯିବ ବୋଲି ଘୋଷଣା କରିଥିଲେ କିନ୍ତୁ ବିଜେଡି ସରକାର ୧୦ ବର୍ଷ ପରେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । କେନ୍ଦୁପତ୍ର ତୋଳାଳୀମାନଙ୍କ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଯୋଡିବା, ତୋଲାଳୀମାନଙ୍କୁ ଶିକ୍ଷାବୃତ୍ତି, ବିବାହ ସହାୟତା ପ୍ରଦାନ ଯାହା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ତାହା ଭୁଲିଗଲେ ବୋଲି ଏବଂ ଆଗକୁ ନିର୍ବାଚନ ସମୟରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଏହା ମନେ ପଡିବ ବୋଲି ପ୍ରଦୀପ ପୁରୋହିତ ସମାଲୋଚନା କରିଛନ୍ତି । ୨୦୧୮ରୁ ସର୍ବନିମ୍ନ ମଜୁରୀ ବୃଦ୍ଧି ହୋଇଥିବା ବେଳେ ସିଜିନାଲ କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଇ ନାହିଁ କିମ୍ବା ବନ୍ଧେଇ ଶ୍ରମିକମାନଙ୍କ ବଣ୍ତଲ ଦର ବୃଦ୍ଧି ମଧ୍ୟ ସରକାର କଲେ ନାହିଁ । କେବଳ ୨୫% ବୋନସ ଘୋଷଣା କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ନବୀନ ପଟ୍ଟନାୟକ ଧୋକା ଓ ବିଶ୍ୱାସ ଘାତକ କରିଛନ୍ତି ବୋଲି ଶ୍ରୀ ପୁରୋହିତ ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.