jayashree

ପାଇକମାଲ ବ୍ଲକ ମହିଳା ଶକ୍ତିର ସମସ୍ତ ପଦାଧିକାରୀମାନଙ୍କ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମହିଳା ଶକ୍ତିର ସମସ୍ତ ପଦାଧିକାରୀମାନଙ୍କ ସମ୍ମିଳନୀ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ସ୍ଥିତ ଆଇଓସିଏଲ୍‌ ଗେଷ୍ଟ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବ୍ଲକ ମହିଳା ଶକ୍ତିର ସଭାପତି ଲଲିତ ଜଗତଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ରାଜ୍ୟ ସଭାପତି ଗୋପାଳ ପ୍ରଧାନ, ଜିଲ୍ଲା ସଭାପତି ନରୋତ୍ତମ ପ୍ରଧାନ ଓ ଜୋନାଲ ସଭାପତି ଉତ୍ତମ ମହାନନ୍ଦ ଉପସ୍ଥିତ ଥିଲେ । ବରଗଡ଼ ଜିଲ୍ଲାର ସମସ୍ତ ବ୍ଲକ ର ମହିଳା ଓ ପୁରୁଷ ପଦାଧିକାରୀମାନେ ଉପସ୍ଥିତ ରହି ମହିଳା ଶକ୍ତି ବିଷୟରେ ଆଲୋଚନା କରିଥିଲେ । ଏହି ମହିଳା ଶକ୍ତି କେବଳ ବିଧବା, ତଲାକ୍ ଶୁଦା (ନିର୍ଯ୍ୟାତିତ) ଏବଂ କିନ୍ନର (ତୃତୀୟ ଲିଙ୍ଗି)ମାନଙ୍କ ପାଇଁ କାମ କରିବ । ସେମାନଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଲେଖାଏଁ ଆଜୀବନ ପେନସନ୍, ତାଙ୍କ ପୁଅ ଏବଂ ଝିଅମାନଙ୍କୁ ୨୨ ବର୍ଷ ପର୍ଯ୍ୟନ୍ତ ସରକାରୀ କିମ୍ବା ବେସରକାରୀ ସ୍କୁଲରେ ମାଗଣାରେ ପାଠପଢା ବ୍ୟବସ୍ଥା, ରହୁଥିବା ଘରେ ଇଲେକ୍ଟ୍ରିବିଲ୍‌ର ପ୍ରତିମାସ ମାଗଣା ବ୍ୟବସ୍ଥା, ବସ୍ ଏବଂ ଟ୍ରେନ ଭଡା (ଦୂରବର୍ତ୍ତୀ ଯାତ୍ରା), ପାଣି ବିଲ୍ ମାଗଣା ବ୍ୟବସ୍ଥା, ଯେଉଁମାନେ ଭଡ଼ା ଘରେ ରହୁଥିବେ ସେମାନଙ୍କ ପାଇଁ ଘରଭଡ଼ା ଦେୟ ମାଗଣା କିମ୍ବା ଟ୍ରଷ୍ଟ ତରଫରୁ ଘରର ବ୍ୟବସ୍ଥା କରାଯିବ । ଏହି ୬ଟି ମାଗଣା ଯୋଜନାଗୁଡିକ “ମହିଳା ଶକ୍ତି ସେବା ସଂସ୍ଥା ରାଷ୍ଟ୍ରୀୟ ଟ୍ରଷ୍ଟ” ତରଫରୁ ମିଳିବ ବୋଲି ରାଜ୍ୟ ସଭାପତି କହିଥିଲେ । ବୈଠକରେ ପାଇକମାଲ ବ୍ଲକ ମହିଳା ଶକ୍ତିର ଉପସଭାପତି ଦୁଃଶାସନ କୁମ୍ଭାର, ମହାସଚିବ ପ୍ରହଲ୍ଲାଦ ବେଶ୍ରା, ଅନିରୁଦ୍ଧ କୁମ୍ଭାର, ତୀର୍ଥ କୁମ୍ଭାର ମହିଳା ତରଫରୁ ଉପ ସଭାନେତ୍ରୀ ଶ୍ରୀମତୀ ରାଖିଶ୍ୱରୀ ବେଶ୍ରା, ମହାସଚିବ ଶ୍ରୀମତୀ ଆରତୀ ଛେଚୁଆ ଉପସ୍ଥିତ ଥିଲେ । ମଳିକା କୁମ୍ଭାର ସ୍ଵାଗତ ଭାଷଣ ଦେଇଥିବା ବେଳେ ପ୍ରହଲ୍ଲାଦ ବେଶ୍ରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.