ଟିକ୍ରାପଡାରେ ଶ୍ରୀରାମ ନବମୀ ଉପଲକ୍ଷେ ଶୋଭାଯାତ୍ରା, ‘ଜୟ ଶ୍ରୀରାମ’ ଧୂନିରେ କମ୍ପି ଉଠିଲା ଅଞ୍ଚଳ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡାରେ ଶ୍ରୀରାମ ନବମୀ ଉତ୍ସବ ଅବସରରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀରାମ ନବମୀ ମହୋତ୍ସବ ସମିତି ଆନୁକୂଲ୍ୟରେ ଗତକାଲି ଅପରାହ୍ନ ୨ ଘଣ୍ଟା ସମୟରେ ଜଗନ୍ନାଥ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗାଁର ସମସ୍ତ ସାହି ପରିକ୍ରମା କରାଯାଇଥିଲା । ଶୋଭାଯାତ୍ରା ପୂର୍ବରୁ ଗୌରଚନ୍ଦ୍ର ସୁଆର ଭଗବାନ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରିଥିଲେ । ପରେ ୧୯୯୨ ମସିହାରେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ଯାଇଥିବା କାରସେବକ ସଜନୀକାନ୍ତ ଦାସ, ପ୍ରଶାନ୍ତ କୁମାର ପାତ୍ର, ହରିଶଙ୍କର ସାହୁ, କପିଳାସ ଭୋଇ, ସୁନୀଲ ରାଜପଲିଆଙ୍କୁ ସମିତି ତରଫରୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ପରେ ଏକ ସୁସଜ୍ଜିତ ରଥରେ ଭଗବାନ ଶ୍ରୀରାମଙ୍କ ପ୍ରତିମାଙ୍କୁ ବିରାଜମାନ କରାଇ ଗ୍ରାମରେ ଶୋଭାଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ରାରେ ଗ୍ରାମର ଶତାଧିକ ଭକ୍ତ ସାମିଲ ହୋଇଥିଲେ । ‘ଜୟ ଶ୍ରୀରାମ’ ଧ୍ୱନିରେ ସମଗ୍ର ପରିବେଶ ମୁଖରିତ ହୋଇଉଠିଥିଲା । ଏହି ଟିକ୍ରାପଡାରେ ଶ୍ରୀରାମ ନବମୀ ଉପଲକ୍ଷେ ପ୍ରଥମ ଥର ପାଇଁ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବାରୁ ସାଧାରଣରେ ବହୁ ଉତ୍ସାହ ଦେଖିବାକୁ ମିଳିଥିଲା । ଏଥିରେ ଗ୍ରାମବାସୀ ଶୋଭାଯାତ୍ରା ପରିଚାଳନାରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.